ହାଇଦ୍ରାବାଦ: କଂଗ୍ରେସ ଜାରି ରଖିଥିବା ଦେଶବ୍ୟାପୀ ଭାରତ ଯୋଡ ଯାତ୍ରା ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବାକୁ ଆଉ ମାତ୍ର କିଛି ଦିନ ବାକିଅଛି । ଚଳିତ ମାସ 30 ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 74ତମ ପୁଣ୍ୟତିଥିରେ ଏହି ଭାରତ ଯୋଡୋ ଯାତ୍ରା କାଶ୍ମୀରରେ ଶେଷ ହେବ । ତେବେ ଅନ୍ତିମ ତଥା ଉଦଯାପନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ କଂଗ୍ରେସ ସମାନ ବିଚାରଧାରାର ପ୍ରାୟ 21 ଦଳର ନେତାଙ୍କୁ ନିମନ୍ତ୍ରଣ କରିଛି ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ସମସ୍ତ ଦଳର ନେତାଙ୍କୁ ଚିଠି ଲେଖି ଆନୁଷ୍ଠାନିକ ଭାବେ ଭାରତ ଯୋଡ ଯାତ୍ରାର ଉଦଯାପନୀ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ତେବେ ଏହି ଚିଠିରେ ଦଳ ପକ୍ଷରୁ ଆୟୋଜିତ ଏହି ଦେଶବ୍ୟାପୀ ଯାତ୍ରାର ଉଦ୍ଦେଶ୍ୟ ଓ ସମାଜ ଉପରେ ପ୍ରଭାବ ସମ୍ପର୍କରେ ମଧ୍ୟ ଖଡଗେ ଉଲ୍ଲେଖ କରିଛନ୍ତି । ଏହି ଯାତ୍ରା ଦେଶରେ ଏକତା, ସମାନତା ଓ ସମାଜରେ ସଂହତି ବୃଦ୍ଧି କରିବାରେ ପ୍ରଭାବୀ ଭାବେ କାର୍ଯ୍ୟ କରିଛି ଖଡଗେ ଚିଠିରେ ଉଲ୍ଲେଖ କରିଛନ୍ତି ।
କଂଗ୍ରେସ ଦ୍ବାରା ନିମନ୍ତ୍ରିତ ହୋଇଥିବା ପାର୍ଟି ମଧ୍ୟରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ନୀତିଶ କୁମାରଙ୍କ JDU, ସିପିଏମ୍, ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ, ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ପ୍ରମୁଖ ରହିଛନ୍ତି । ବର୍ତ୍ତମାନ ସ୍ଥିତିରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ବିରୋଧରେ ନଜର ଆସୁଥିବା ପ୍ରାୟ ମସସ୍ତ ରାଜନୈତିକ ଦଳକୁ କଂଗ୍ରେସ ନିମନ୍ତ୍ରଣ କରିଛି । ସେହିପରି ଅନ୍ୟ ଏକ ରୋଚକ ତଥ୍ୟ ହେଉଛି, ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ଥିବା କେଜ୍ରିଓ୍ବାଲଙ୍କ ଆମ୍ ଆଦମୀ ପାର୍ଟିକୁ କଂଗ୍ରେସ ନିମନ୍ତ୍ରଣ କରିନାହିଁ ।
ସେପ୍ଟେମ୍ବର 7ରେ ତାମିଲନାଡୁର କନ୍ୟାକୁମାରୀରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ପଞ୍ଜାବରେ ପହଞ୍ଚିଛି । ଏହି ଯାତ୍ରା ଏପର୍ଯ୍ୟନ୍ତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣା ପରିକ୍ରମା କରି ପଞ୍ଜାବରେ ଜାରି ରହିଛି । ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଏହି ଯାତ୍ରାର ନେତୃତ୍ବ ନେଉଛନ୍ତି । ଜାନୁଆରୀ 30 ତାରିଖରେ ମହାତ୍ମା ଗାନ୍ଧୀଙ୍କ 74ତମ ପୁଣ୍ୟତିଥିରେ ଏହି ଯାତ୍ରା କାଶ୍ମୀରରେ ସମାପିତ ହେବାକୁ କାର୍ଯ୍ୟସୂଚୀ ସ୍ଥିର କରିଛି ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ