ଭୋପାଳ: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଲଗାତାର ବିବାଦରେ ଫସୁଛି । ଝାବୁଆଠାରେ ଏକ ବିବାହ ସମାରୋହରେ ଯୁବତୀଙ୍କ ମେକ-ଅପ କିଟରେ ଦେଖିବାକୁ ମିଳିଛି କଣ୍ଡୋମ ଓ ଗର୍ଭ ନିରୋଧକ ବଟିକା । ଏହାକୁ ନେଇ ବିବାହ କରୁଥିବା ବରକନ୍ୟାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ପରିବାର ନିୟୋଜନ କାର୍ଯ୍ୟକ୍ରମର ଏକ ଅଂଶ ବୋଲି କହି ଲୋକଙ୍କୁ ବୁଝାସୁଝା କରିଛନ୍ତି । ସେପଟେ ବିରୋଧୀ କଂଗ୍ରସେ ଏନେଇ ସରକାରଙ୍କୁ ଟାର୍ଗେଟ କରିଛି । ପୂର୍ବରୁ ବିବାହ କରିବାକୁ ଆସିଥିବା କନ୍ୟାଙ୍କ ଭର୍ଜିନିଟି ଟେଷ୍ଟ କରି ଚର୍ଚ୍ଚାକୁ ଆସିଥିଲା ଏହି ଯୋଜନା ।
ଏବେ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସୋମବାର ଚାନ୍ଦଲା ଜିଲ୍ଲା ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 292 ଦମ୍ପତିଙ୍କ ବିବାହ ଏଠାରେ ହୋଇଥିଲା । ବିଶେଷ କଥା ହେଉଛି ଏହି କାର୍ଯ୍ୟକ୍ରମରେ ବରକୁ ଦିଆଯାଇଥିବା ମେକ୍ ଅପ କିଟ୍ ଖୋଲିବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଏଥିରେ କଣ୍ଡୋମ ସହିତ ଗର୍ଭନିରୋଧକ ବଟିକା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଅନେକ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଭଳି କାର୍ଯ୍ୟକ୍ରମରେ ଏପରି ସାମଗ୍ରୀ ଦେବା ଠିକ୍ ନୁହେଁ ବୋଲି ସମ୍ପର୍କୀୟମାନେ ମତବ୍ୟକ୍ତ କରିଥିଲେ ।
ଏହା ବି ପଢନ୍ତୁ- Virginity Test: ବିବାହ ପୂର୍ବରୁ ହେଲା କୁମାରୀତ୍ବ ପରୀକ୍ଷା, ମଣ୍ଡପରୁ ଫେରିଲେ ଅନେକ ଯୁବତୀ
କେବଳ ଏହା ନୁହେଁ ଏହି କିଟରେ ନକଲି ସାମଗ୍ରୀ ବଣ୍ଟନ ପ୍ରସଙ୍ଗ ସାମ୍ନାକୁ ଆସିଛି । ଅନେକ ଥର ବିରୋଧୀମାନେ ଏହି ଘଟଣାରେ ଦୁର୍ନୀତି ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ବିବାହ କରିବାକୁ ଆସିଥିବା ଯୁବତୀଙ୍କ ଗର୍ଭଧାରଣ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ଆସିବା ପରେ କିଛି ଯୁବତୀଙ୍କୁ ବିବାହ କରିବାକୁ ବାରଣ କରାଯାଇଥିଲା । ଏହା ଉପରେ କଂଗ୍ରେସ ମଧ୍ୟ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି । ଏହି ପରୀକ୍ଷାକୁ ବିଜେପି ସରକାରଙ୍କ ଦ୍ବାରା ରକ୍ତହୀନତା ପରୀକ୍ଷା କୁହାଯାଉଥିଲା, କିନ୍ତୁ ସ୍ବାସ୍ଥ୍ୟ ଅଧିକାରୀମାନେ ଗର୍ଭଧାରଣ ପରୀକ୍ଷା କରିଥିବା ସ୍ବୀକାର କରିଥିଲେ । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।
ଗତ ଏପ୍ରିଲ ୨୩ ତାରିଖରେ ଡିଣ୍ଡୋରି ଜିଲ୍ଲାର ଗାଡାସରଇ କସବେ ଠାରେ ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ମାଧ୍ୟମରେ ପ୍ରାୟ ୨୨୯ ଯୋଡ଼ିଙ୍କ ବିବାହ ଉତ୍ସବର ଆୟୋଜନ ହୋଇଥିଲା । ଏହି ସାମୁହିକ ବିବାହ ସମାରୋହରେ ଅନେକ ଯୁବତୀ ପହଞ୍ଚିଥିଲେ । ବିବାହ ପାଇଁ ପହଞ୍ଚିଥିବା ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ନାମରେ କୁମାରୀତ୍ବ ଟେଷ୍ଟ ସହ ପ୍ରେଗ୍ନେନ୍ସି ଟେଷ୍ଟ କରାଯାଇଥିଲା । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ସେମାନଙ୍କ ନାମକୁ ତାଲିକାରୁ ହଟାଇ ଦିଆଯାଇଥିଲା । ଏପରିକି ଅନେକ ଯୁବତୀ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆସିଥିବା ବେଳେ ସେମାନଙ୍କୁ ଫେରାଇ ଦିଆଯାଇଥିଲା ।