କୋଲକାତା: ମଝି ସମୁଦ୍ରରେ ଫସିଲେ 511 ଶ୍ରଦ୍ଧାଳୁ । ପଶ୍ଚିମବଙ୍ଗରେ ହୁଗୁଳି ନଦୀ ଓ ବଙ୍ଗୋପସାଗରର ସଙ୍ଗମସ୍ଥଳରେ ଥିବା ଗଙ୍ଗାସାଗରକୁ ବୁଡ଼ ପକାଇବାକୁ ଯାଉଥିବା ବେଳେ ସମୁଦ୍ର ମଝିରେ ଫସିଥିବା 511 ଶ୍ରଦ୍ଧାଳୁଙ୍କୁ ତଟରକ୍ଷୀ ବାହିନୀ ଉଦ୍ଧାର କରିଛି । ଘନ କୁହୁଡ଼ି ଓ ଜୁଆର ଯୋଗୁଁ ଗତ ରାତିରୁ କାକଦ୍ବୀପ ସମୁଦ୍ର ମଝିରେ ଦୁଇଟି ବୋଟ ଫସି ରହିଥିଲା ।
ଗତ ରାତିରେ ଦୁଇଟି ବୋଟରେ 500ରୁ 600 ଶ୍ରଦ୍ଧାଳୁ ଗଙ୍ଗାସାଗରରେ ବୁଡ ପକାଇବାକୁ ଯାଉଥିଲେ । ଘନ କୁହୁଡ଼ି ଓ ସ୍ବଳ୍ପ ଲହଡ଼ି ଯୋଗୁଁ କାକଦ୍ବୀପ ନିକଟ ସମୁଦ୍ର ମଝିରେ ଥିବା ବାଲିରେ ରବିବାର ରାତିରୁ ଫସି ରହିଥିଲା । ସୂଚନା ମିଳିବା ପରେ ତଟରକ୍ଷୀ ବାହିନୀ ହାଲଡିଆ ଏବଂ ଫ୍ରେଜରଗଞ୍ଜରୁ ଦୁଇଟି ବୋଟ ସହାୟତାରେ ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ କରିଥିଲେ । ସୋମବାର ସକାଳ 9.45ରେ ଦୁଇଟି ବୋଟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆକଳନ କରିଥିଲା । ଏହାପରେ ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ କାକଦ୍ବୀପ ନିକଟସ୍ଥ ସ୍ଥାନକୁ ପହଞ୍ଚାଯାଇଥିଲା । ବିଳମ୍ବିତ ରାତି 1ଟା ସୁଦ୍ଧା ସମସ୍ତ 511 ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: Magh bihu celebration: ସୁପ୍ରିମକୋର୍ଟଙ୍କ ବାରଣ ସତ୍ତ୍ବେ ମଧ୍ୟ ଆସାମରେ ମଇଁଷି ଲଢେଇ
ହିନ୍ଦୁ ଧର୍ମରେ ଗଙ୍ଗାବୁଡ଼ର ଏକ ବିଶେଷ ମାନ୍ୟତା ରହିଛି । ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ କରାଇବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ 51 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଗଙ୍ଗାସାଗର ପଶ୍ଚିମବଙ୍ଗର ଦକ୍ଷିଣ 24 ପରଗାନାରେ ରହିଛି । ଏହି ସ୍ଥାନରେ ଗଙ୍ଗା ଓ ସାଗର ମିଳନ ହେତୁ ଗଙ୍ଗାସାଗର କୁହାଯାଏ । ଏଠାରେ କପିଳ ମୁନିଙ୍କ ଆଶ୍ରମ ଥିବା କିମ୍ବଦନ୍ତୀରୁ ଜଣାଯାଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ: Kotpally Dam: କୋଟପାଲି ଡ୍ୟାମରେ ଅଘଟଣ, ପହଁରୁଥିବା ବେଳେ ଗୋଟିଏ ପରିବାରର ୪ ମୃତ
ପୌଷ ମାସ ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁଙ୍କୁ ପୁଣ୍ୟ ପ୍ରାପ୍ତି ହୁଏ । ଏହି ପରିପ୍ରେକ୍ଷୀରେ ଗତ 8 ତାରିଖରୁ 16 ତାରିଖ ଯାଏଁ ଅନୁଷ୍ଠିତ ହୋଇଥିବା ଗଙ୍ଗାସାଗର ମେଳା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଘାଟରେ ତଟରକ୍ଷୀ ବାହିନୀ ନିୟୋଜିତ ରହିଥିଲେ । ଲୋକଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଦୁଇଟି ବୋଟ୍ ପାଟ୍ରୋଲିଂ କରୁଥିଲା । ଏହା ବ୍ୟତୀତ କୋଷ୍ଟଗାର୍ଡ ବିମାନ ଏବଂ ଜାହାଜ ଦ୍ବାରା ସମୁଦ୍ରକୂଳ ଉପରେ ନଜର ରଖାଯାଇଥିଲା ।