ନୂଆଦିଲ୍ଲୀ: ଆମେରିକା ସ୍ଥଳସେନାରେ ନିୟୋଜିତ ଥିବା ଅତ୍ୟାଧୁନିକ ଚିନୁକ୍ ହେଲିକପ୍ଟରର (CH-47 Chinook helicopters) ର ଉଡାଣ ବନ୍ଦ କରାଯିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ନିର୍ମାଣକାରୀ ଆମେରିକୀୟ କମ୍ପାନୀ ବୋଇଂ(Boeing)ଠାରୁ କାରଣ ସ୍ପଷ୍ଟ କରିବା ପାଇଁ ତଥ୍ୟ ମଗାଯାଇଥିଲା । ତେବେ ଭାରତୀୟ ବାୟୁସେନାରେ ନିୟୋଜିତ ଥିବା ସମସ୍ତ ଚିନୁକ ହେଲିକପ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ସେଥିରେ କୌଣସି ବୈଷୟିକ ତ୍ରୁଟି ନଥିବା କହିଛି ନିର୍ମାଣକାରୀ ସଂସ୍ଥା । ବାୟୁସେନାକୁ ଏହି ସୂଚନା ଦେଇଛନ୍ତି ସଂସ୍ଥାର ଭାରତ ମୁଖ୍ୟ (Boeing India president) ।
ବୋଇଂ ଇଣ୍ଡିଆ ପ୍ରେସିଡେଣ୍ଟ ସଲୀଲ ଗୁପ୍ତେ (Salil Gupte) କହିଛନ୍ତି, ‘‘ଭାରତୀୟ ବାୟୁସେନାରେ ବ୍ୟବହାର ହେଉଥିବା ଏହି ବର୍ଗର ସମସ୍ତ ହେଲିକପ୍ଟର ବୈଷୟିକ ଭାବେ ସମ୍ପୂର୍ଣ୍ଣ ଠିକ । କୌଣସି ଯାନ୍ତ୍ରିକ ତ୍ରୁଟି ନାହିଁ ।’’ ଖବର ସରବରାହ ସଂସ୍ଥା ANIକୁ ସୂଚନା ଦେଇ କହିଛନ୍ତି । ‘‘ଆମେରିକାରେ ଏପରି ସମସ୍ୟା ସୃଷ୍ଟି ହେବା ପରେ ଭାରତୀୟ ବାୟୁସେନା କମ୍ପାନୀକୁ ଏହାର କାରଣ ସମ୍ପର୍କରେ ପଚାରିଥିଲା । ତେବେ ଆମ ବିଶେଷଜ୍ଞ ଓ ଇଞ୍ଜିନିୟରମାନେ ଭାରତୀୟ ସେନାରେ ବ୍ୟବହୃତ ହେଉଥିବା ହେଲିକପ୍ଟରରେ କୌଣସି ବୈଷୟିକ ସମସ୍ୟା ନଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛନ୍ତି । ଆମେ ଏସମ୍ପର୍କରେ ବାୟୁସେନାକୁ ଅବଗତ ମଧ୍ୟ କରିଛୁ ।’’
ନିକଟରେ ସ୍ଥଳସେନାରେ ନିୟୋଜିତ ସମସ୍ତ ଚିନୁକ ହେଲିକପ୍ଟରକୁ ଗ୍ରାଉଣ୍ଡିଂ କରିଛି ଆମେରିକା ସ୍ଥଳ ସେନା (grounding of American Army fleet) । ଏହାକୁ ନେଇ ଭାରତରେ ମଧ୍ୟ ଚିନ୍ତା ବଢିଥିଲା । ଭାରତ ଆମେରିକା ଠାରୁ ଏହି ଅତ୍ୟାଧୁନିକ ଲଢୁଆ ବର୍ଗର 15ଟି ହେଲିକପ୍ଟର ବାୟୁସେନାରେ ନିୟୋଜିତ କରିଥିବା ବେଳେ ବୈଷୟିକ ସମସ୍ୟାକୁ ନେଇ ଭାରତୀୟ ବାୟୁସେନା ମଧ୍ୟ ଚିନ୍ତାରେ ପଡିଥିଲା । ପରେ ଏନେଇ ସବିଶେଷ ତଥ୍ୟ ପ୍ରଦାନ ପାଇଁ ହେଲିକପ୍ଟର ନିର୍ମାଣ କରିଥିବା ଆମେରିକୀୟ ସଂସ୍ଥା (American defence manufacturer Boeing) ବୋଇଂକୁ ରିପୋର୍ଟ ମାଗିଥିଲା ଭାରତୀୟ ବାୟୁସେନା ।
ଏହା ମଧ୍ୟ ପଢନ୍ତୁ:-ଚିନୁକ୍ ଚଡକ: ହଠାତ୍ ଉଡାଣ ବନ୍ଦ କଲା ଆମେରିକା, ଟେନସନ୍ରେ ଭାରତ
ବର୍ତ୍ତମାନ ଭାରତୀୟ ବାୟୁସେନାରେ ଆମେରିକା ଠାରୁ କିଣାଯାଇଥିବା 15 ଟି ଅତ୍ୟାଧୁନିକ ଚିନୁକ (Chinook helicopter) ଡବଲ ରୋଟର ହେଲିକପ୍ଟର କାର୍ଯ୍ୟକ୍ଷମ ରହିଛି । ତେବେ ବିଭିନ୍ନ ମିଶନରେ ଏହାକୁ ବାରମ୍ବାର ବ୍ୟବହାର ମଧ୍ୟ କରାଯାଉଛି । ଆମେରିକା ସେନା ତାର ହେଲିକପ୍ଟରକୁ ଗ୍ରାଉଣ୍ଡିଂ କରିବା ପରେ ଭାରତ ମଧ୍ୟ ଚିନ୍ତିତ ହୋଇପଡିଥିଲା । ଆଜି କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ