ନୂଆଦିଲ୍ଲୀ: ଏଲଏସିରେ ବିବାଦ ମଧ୍ୟରେ ଗୁରୁବାର ବାଂଲାଦେଶ ସୀମା ସଂଲଗ୍ନ କୋଲକାତାର ମାଲଦାରୁ ଜଣେ ଚୀନ ନାଗରିକକୁ ଧରିଥିଲା ବିଏସଏଫ । ଗିରଫ ଚୀନ ନାଗରିକ ଜଣକ ଗୁପ୍ତଚର ବୋଲି କୁହାଯାଉଛି ।
ଗିରଫ 36 ବର୍ଷୀୟ ଚୀନ ନାଗରିକ ନାଁ ଜୁନୱଇ ବୋଲି ଜଣାପଡିଛି । ଜୁନୱଇ ଅବୈଧ ଭାବରେ ସୀମା ପାର ହେବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା ।
ସୂଚନା ଅନୁଯାୟୀ, ଜୁନୱଇ ଖୁଲାସା କରିଛି ଯେ ତା ସାଙ୍କ ପ୍ରତିମାସ ଭାରତରୁ 10ରୁ 15 ସିମକାର୍ଡ ଚୀନ ପଠାଉଥିଲା । ଜୁନୱଇ କହିଛି ଯେ ତା'ର ଗୁରୁଗ୍ରାମରେ ଏକ ହୋଟେଲ ଅଛି, ଯେଉଁଥିରେ ଅନ୍ୟ ଚୀନ ନାଗରିକ କାର୍ଯ୍ୟରତ ଅଛନ୍ତି ।
ଅନୁପ୍ରବେଶକାରୀ ଚୀନ ନାଗରିକ ଛାନଭିନ ପରେ ତା ପାଖରୁ ଚୀନର ପାସପୋର୍ଟ, ଲାପଟପ, 2ଟି ଦାମୀ ମୋବାଇଲ, ଗୋଟିଏ ବାଂଲାଦେଶୀ ସିମକାର୍ଡ, ଗୋଟିଏ ଭାରତୀୟ ସିମକାର୍ଡ, 2ଟି ଚୀନ ସିମକାର୍ଡ, 2ଟି ପେନଡ୍ରାଇଭ, ବ୍ୟାଟେରୀ, ଟଙ୍କା ନେଣଦେଣ ମେସିନ, ଏଟିଏମ କାର୍ଡ, ଆମେରିକୀୟ ଡଲାର ଜବତ ହୋଇଛି ।
ଚୀନ ଗୁପ୍ତଚର ହାନ ଜୁନୱଇ ଭାରତ-ବାଂଲାଦେଶ ସୀମାରେ ଥିବା ମାଲଦା ଜିଲ୍ଲାର ସୁଲତାନପୁର ନିକଟରେ ଏକ ଚୋରାମାର୍ଗ ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିବାକୁ ଚାହୁଁଥିଲା, କିନ୍ତୁ ସେଠାରେ ମୁତୟନ ବିଏସଏଫ ଯବାନମାନେ ତାକୁ ଧରିଥିଲେ । ତେବେ ସେ ସେଠାରେ ମଧ୍ୟ ପଳାଇବାକୁ ଚେଷ୍ଟା କରିଥିଲା ।
ପଚରାଉଚରା ବେଳେ ଜୁନୱଇ କହିଛି, ଯେ ସେ 2010ରେ ପ୍ରଥମ ଥର ପାଇଁ ହାଇଦ୍ରାବାଦ ଆସିଥିଲା । ଏଥି ସହିତ, ଦିଲ୍ଲୀ-ଗୁରୁଗ୍ରାମ 2019ରେ ତିନିଥର ଆସିଛି | ଏହାର ବର୍ତ୍ତମାନର ପାସପୋର୍ଟ ଚୀନର ହୁବେଇର ବୋଲି ଜଣାପଡିଛି ।