ହାଇଦ୍ରାବାଦ: ଗୁଜୁରାଟ ମୋର୍ବି ଝୁଲା ପୋଲ ଅଘଟଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି । ହସଖୁସିରେ କିଏ ପରିବାର ସହ ତ କିଏ ସାଙ୍ଗ ସହ ଝୁଲାପୋଲ ବୁଲି ଆସିଥିଲେ । ଗୁଜୁରାଟ ମୋର୍ବି ଝୁଲା ପୋଲ ଛିଡିବାରୁ ବର୍ତ୍ତମାନ ସୁଦ୍ଧା ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଏହି ଅଘଟଣକୁ ନେଇ ବିଶ୍ବର ଜଣାଶୁଣା ବ୍ୟକ୍ତିତ୍ବ ଶୋକ ବ୍ୟକ୍ତ କରିଥିଲେ । ଏହି କ୍ରମରେ ଆଜି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ଇଜିପ୍ଟ ସରକାର ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଏହାକୁ ନେଇ ଚୀନର ଏକ ସ୍ଥାନୀୟ ମିଡିଆ ରିପୋର୍ଟ ପ୍ରକାଶ କରିଛି ।
ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ସି ଜିନପିଙ୍ଗ୍ କହିଛନ୍ତି, "ଚୀନ ସରକାର ଓ ନାଗରିକଙ୍କ ପକ୍ଷରୁ ମୋର୍ବି ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଓ ଆହତଙ୍କ ପ୍ରତି ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।"
ସେପଟେ ଇଜିପ୍ଟ ପକ୍ଷରୁ ମଧ୍ୟ ମୋର୍ବି ଝୁଲା ପୋଲ ଅଘଟଣ ଶୋକ ବ୍ୟକ୍ତ କରାଯାଇଛି । ଇଜିପ୍ଟ ସରକାରଙ୍କ ଏକ ବିବୃତ୍ତି ଜାରି କରି ଶୋକ ବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାର ଓ ଆହତଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଇଜିପ୍ଟ ସରକାର ।
ମଙ୍ଗଳବାର ଅପରାହ୍ନ ସୁଦ୍ଧା ମୋର୍ବି ଘଟଣାରେ ମୃତ୍ୟୁସଂଖ୍ୟା ୧୩୫ରେ ପହଞ୍ଚିଛି । ମଙ୍ଗଳବାର ଉଦ୍ଧାରକାରୀ ଦଳ ଆଉ ଏକ ମୃତଦେହ ଉଦ୍ଧାର କରିବା ପରେ ମୃତ୍ୟୁସଂଖ୍ୟା ୧୩୫ରେ ପହଞ୍ଚିଛି । ଏବେ ନିଖୋଜଙ୍କ ସନ୍ଧାନ ଜାରି ରଖିଛି ଉଦ୍ଧାରକାରୀ ଦଳ । ନିଖୋଜ ରହିଥିବା ପ୍ରାୟ ବ୍ୟକ୍ତି ବିଶେଷଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ସ୍ଥାନୀୟ ପ୍ରଶାସନ ସୂଚନା ପ୍ରଦାନ କିରଛି ।
ରବିବାର ସମୟ ସନ୍ଧ୍ୟା 6ଟାରେ ମାଛୁ ନଦୀରେ ଅଚନାକ ଛିଣ୍ଡି ପଡିଲା ଝୁଲାପୋଲ । ପୋଲରେ ପ୍ରାୟ 400 ଲୋକ ଥିଲେ । ପୋଲ ଛିଣ୍ଡିବା ମାତ୍ରେ ପୋଲ ଉପରେ ଥିବା ଶତାଧିକ ଲୋକେ ନଦୀରେ ପଡି ଯାଇଥିଲେ । ଜୀବନ ବଞ୍ଚାଇବାକୁ ଲୋକଙ୍କ ଚିତ୍କାରରେ ଫାଟି ପଡ଼ିଥିଲା ସମଗ୍ର ଅଞ୍ଚଳ । କିଛି ମୃତ୍ୟୁକୁ ମାତ୍ ହେଇ ଜୀବନ ଫେରି ପାଇଲେ କିନ୍ତୁ ଅନେକ ହାରିଗଲେ । ଅଘଟଣରେ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 56ଜଣ ଛୋଟ ପିଲା ଥିଲେ । ଏବେ ବି ନଦୀଗର୍ଭରୁ କେତେକ ବ୍ୟକ୍ତି ନିଖୋଜ ରହିଛନ୍ତି । ତେଣୁ ଏବେ ବି ସର୍ଚ୍ଚ ଅପରେସନ ଜାରି ରିହଛି ।