ଚେନ୍ନାଇ: ତାମିଲନାଡ଼ୁର ଚେନ୍ନାଇ ସ୍ଥିତ ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ଦୁଇ ନୂଆ ଅତିଥି । ଗତ ଶୁକ୍ରବାର ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନକୁ ଜାମ୍ମୁ ଓ କାଶ୍ମୀରରୁ ଏଠାକୁ ଦୁଇଟି ହିମାଲୟନ କଳା ଭାଲୁ ଅଣା ଯାଇଛି । ଦୁଇ ହିମାଲୟନ କଳା ଭାଲୁ ଜାମ୍ମୁର ତାୱିରୁ MGR-ଆଣ୍ଡାମାନ ଏକ୍ସପ୍ରେସର ଏକ ସ୍ବତନ୍ତ୍ର କୋଚ୍ ଯୋଗେ ଜାମ୍ମୁ ଓ କାଶ୍ମୀରରୁ ଚେନ୍ନାଇ ଆସିଛି । ଚେନ୍ନାଇର ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନ ଭାରତର ସର୍ବବୃହତ୍ ଏବଂ ସର୍ବପୁରାତନ ଚିଡ଼ିଆଖାନା, ଯାହା ବନ୍ଦାଲୁର ଚିଡିଆଖାନା ନାମରେ ମଧ୍ୟ ପରିଚିତ ।
ଦୁଇ ରାଜ୍ୟର ଚିଡ଼ିଆଖାନାର ବୁଝାମଣା ମୁତାବକ ଆସନ୍ତା ନଭେମ୍ବର 15 ତାରିଖ ଦିନ ବନ୍ଦାଲୁର ଚିଡିଆଖାନାରୁ ଏହା ବଦଳରେ ଦୁଇଟି ମହାବଳ ବାଘ ଜାମ୍ମୁ ଓ କାଶ୍ମୀରର ଜମ୍ବୁ ଚିଡିଆଖାନାକୁ ପଠାଯିବକୁ ସ୍ଥିର କରାଯାଇଛି । ଜମ୍ବୁ ଚିଡିଆଖାନାକୁ ପ୍ରଥମ ଥର ମହାବଳ ବାଘ ଯାଉଥିବାରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଚିଡିଆଖାନାର କର୍ମଚାରୀମାନଙ୍କୁ ଏକ ସପ୍ତାହର ଟ୍ରେନିଂ ଦିଆଯିବ । ବନ୍ଦାଲୁର ଚିଡିଆଖାନାର କର୍ମଚାରୀମାନେ ଏହି ଟ୍ରେନିଂ ପ୍ରଦାନ କରିବେ ।
ଏହା ମଧ୍ୟ ପଢନ୍ତୁ ....ନନ୍ଦନକାନନର ନୂଆ ଅତିଥି ତାମରିନ-ଗୁଣ୍ଡୁଚି ମାଙ୍କଡ
ସେପଟେ ଜମ୍ବୁ ଚିଡିଆଖାନାର କର୍ମଚାରୀ ଏବଂ ଜଙ୍ଗଲ କର୍ମଚାରୀମାନଙ୍କ ତତ୍ତ୍ୱବଧାନରେ ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ଦୁଇ କଳାଭାଲୁ ପହଞ୍ଚିବା ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଉଭୟ ଭାଲୁର ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା । ଏହାପରେ ସାମୟିକ ଭାବେ ସେମାନଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି । ଉକ୍ତ ଅବଧି ସରିବା ପରେ ଲୋକମାନଙ୍କ ଦେଖିବା ପାଇଁ କଳା ଭାଲୁ ଦ୍ବୟଙ୍କୁ ଖୁଆଡ଼ରେ ଛଡ଼ାଯିବା ନେଇ ଚିଡିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ ....ନନ୍ଦନକାନନରେ ନୂଆ ଅତିଥି, ଜନ୍ମ ନେଲା ଦୁଇ ମୁଣ୍ଡିଆ କଇଁଛ
ଏହି ଅବସରରେ ବନ୍ଦାଲୁର ଚିଡିଆଖାନାର ନିର୍ଦେଶକ ଶ୍ରୀନିବାସ ଆର୍ ରେଡ୍ଡୀ ବ୍ୟାଘ୍ର ବଂଶବୃଦ୍ଧି ତଥା ଜୀବସଂରକ୍ଷଣରେ ବନ୍ଦାଲୁର ଚିଡିଆଖାନାର ସଫଳତା ଏବଂ ମୁଖ୍ୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଦେଶର ଅନ୍ୟ ଚିଡିଆଖାନା ଗୁଡିକ ସହିତ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ବିଲୁପ୍ତ ପ୍ରାୟ ଜୀବମାନଙ୍କ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଥିଲେ । କେନ୍ଦ୍ର ଚିଡ଼ିଆଖାନା ପ୍ରାଧିକରଣ ଅଧିନିୟମ ଅନୁସାରେ ଏହି ପ୍ରାଣୀ ବିନିମୟ ସମ୍ଭବ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ