ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ ମାସରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଚନ୍ଦ୍ରଯାନ-୩ ଲଞ୍ଚ କରିବାକୁ ଯାଉଛି । ଏନେଇ ବୁଧବାର ଲୋକସଭାର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଚନ୍ଦ୍ରଯାନ-୨ରୁ ମିଳିଥିବା ଶିକ୍ଷା ଏବଂ ବୈଶ୍ବିକ ବିଶେଷଜ୍ଞମାନଙ୍କ ପ୍ରସ୍ତାବକୁ ଆଧାର କରି ଚନ୍ଦ୍ରଯାନ-୩ ପାଇଁ କାର୍ଯ୍ୟ ଚାଲିଛି । ଏଥିପାଇଁ ଆବଶ୍ୟକ ପରୀକ୍ଷା ମଧ୍ୟ ଶେଷ ହୋଇଛି ଏବଂ ୨୦୨୨ ଅଗଷ୍ଟ ମାସରେ ଉତକ୍ଷେପଣ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି ।
ଚନ୍ଦ୍ରାଭିଯାନରେ କ୍ରମାଗତ ବିଳମ୍ବ ହେବାର କାରଣ ପଚରାଯିବାରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର୍ ଜିତେନ୍ଦ୍ର ସିଂହ କହିଲେ ଯେ, କୋଭିଡ୍-୧୯ ଯୋଗୁଁ ଚାଲିଥିବା କେତେଗୁଡ଼ିଏ ଅଭିଯାନ ପ୍ରଭାବିତ ହୋଇଛି । କ୍ଷେପଣାସ୍ତ୍ର ତିଆରି କରାଯିବା ପାଇଁ ଯେଉଁ ଯନ୍ତ୍ରାଂଶ ସବୁ ଆବଶ୍ୟକ ହୋଇଥାଏ ସେସବୁ ପ୍ରସ୍ତୁତ ହୋଇ ଅଛି । କୋରୋନା ମହାମାରୀ କାରଣରୁ ସେଗୁଡିକୁ ପରୀକ୍ଷଣ କରାଯାଇପାରି ନାହିଁ ।ଚଳିତ ବର୍ଷ ମୋଟ ୧୯ଟି କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି ।
ଯେଉଁଥିରେ ୮ଟି ଲଞ୍ଚ ଭେଇକିଲ୍ ମେସିନ୍ ଥିବା ବେଳେ, ୭ଟି ସ୍ପେସ୍କ୍ରାଫ୍ଟ ମିସନ୍ ଏବଂ ୪ଟି ଟେକ୍ନୋଲୋଜି ଡେମୋନଷ୍ଟେ୍ରଟର୍ ମିସନ୍ ରହିଛି । ୨୦୨୨ର ପ୍ରଥମ ଉତ୍କ୍ଷେପଣ ଆସନ୍ତା ସପ୍ତାହରେ ଇସ୍ରୋ ରିସାଟ୍-୧ଏ(RISAT-1A)କୁ ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ୍ ଦ୍ବାରା ମହାକାଶକୁ ଉତ୍କ୍ଷେପଣ କରିପାରେ । କିନ୍ତୁ ଏ ବିଷୟରେ ଚୂଡ଼ାନ୍ତ ତାରିଖ ଏଯାଏଁ ଘୋଷଣା କରାଯାଇନାହିଁ ।