ନୂଆଦିଲ୍ଲୀ: ଭାରତ ସୀମାରେ ଚୀନ ଗ୍ରାମ ନିର୍ମାଣ ଖବରକୁ ଖଣ୍ଡନ କଲେ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ । ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC)ର ଭାରତ ଅଞ୍ଚଳରେ କୌଣସି ଅନୁପ୍ରବେଶ ହୋଇନାହିଁ । ଏକ ନୂତନ ଗ୍ରାମ ନିର୍ମାଣ ଉଦ୍ଦେଶ୍ୟରେ ଚୀନ୍ ସୈନ୍ୟମାନେ ଭାରତୀୟ ପାର୍ଶ୍ୱକୁ ପ୍ରବେଶ କରିଥିବା ବିବାଦ ବିଷୟରେ ଉଲ୍ଲେଖ କରି ସିଡିଏସ୍ ରାୱତ କହିଛନ୍ତି ଯେ, ଏହି ତଥ୍ୟ ସତ୍ୟ ନୁହେଁ ।
ଭାରତ-ଚୀନ ସୀମାରେ ଥିବା ଗ୍ରାମଗୁଡିକ ଚୀନର, ମାତ୍ର ସେସବୁ ଚୀନ ଅଞ୍ଚଳରେ ହିଁ ରହିଥିବା ରାୱତ ସ୍ପଷ୍ଟ କରିଛନ୍ତି । ଭାରତର ଅଞ୍ଚଳକୁ ଚୀନ ପ୍ରବେଶ କରିପାରି ନାହିଁ । ଆମେରିକାର ପ୍ରତିରକ୍ଷା ବିଭାଗ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ପରେ ପ୍ରତିରକ୍ଷା ମୁଖ୍ୟ ଏହାକୁ ଖଣ୍ଡନ କରିଛନ୍ତି । ରିପୋର୍ଟ ଅନୁଯାୟୀ, LAC ପୂର୍ବ ତିବ୍ଦତ ସ୍ବୟଂ ଶାସିତ ଅଞ୍ଚଳ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଥିବା “ବିବାଦୀୟ ଅଞ୍ଚଳ” ମଧ୍ୟରେ ଚୀନ ଏକ ଗ୍ରାମ ନିର୍ମାଣ କରିଛି । ମାତ୍ର ଭାରତ ସରକାର ଏହି ଖବରକୁ ଖଣ୍ଡନ କରିଛନ୍ତି ।
ଆମେରିକାର ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତିକ୍ରିୟା ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ, ଏହା ଚୀନର 'ଭାରତୀୟ ସୀମାରେ ଚୀନର ପ୍ରବେଶ କିମ୍ବା ଚୀନର କୌଣସି ଅଯଥା ଦାବିକୁ ଭାରତ ଗ୍ରହଣ କରେ ନାହିଁ ।'
ଗୁରୁବାର ଏକ ମିଡିଆ କନକ୍ଲେଭରେ ଯୋଗଦେଇ ସିଡିଏସ୍ ରାୱତ ଏହି ଖବରକୁ ଖଣ୍ଡନ କରି କହିଛନ୍ତି ଯେ, ଆମର ଅନୁସନ୍ଧାନ ଅନୁସାରେ ବର୍ତ୍ତମାନ ସୁଦ୍ଧା LAC ପାର୍ଶ୍ୱରେ ଚୀନ କୌଣସି ଗ୍ରାମ ନିର୍ମାଣ କରିନାହିଁ । ପ୍ରକାଶିତ ହୋଇଥିବା ତଥ୍ୟ ସମ୍ପୂର୍ଣ୍ଣ ମିଛ ।