ନୂଆଦିଲ୍ଲୀ: CBSE ଦ୍ବାଦଶ ପରୀକ୍ଷା ନେଇ ଆଜି(ଗୁରୁବାର) ସରକାରଙ୍କ ଦ୍ବାରା ଗଠିତ 13 ଜଣିଆ କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ଦଶମ ଏକାଦଶ ଓ ଦ୍ବାଦଶର ପ୍ରିବୋର୍ଡ ପରୀକ୍ଷା ଫଳକୁ ଆଧାର କରି ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ନିର୍ଣ୍ଣୟ କରାଯିବ ବୋଲି କହିଛି କମିଟି । ଯେଉଁ ପିଲାମାନେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କମିଟି ଉଲ୍ଲେଖ କରିଛି ।
ଦ୍ବାଦଶ ଶ୍ରେଣୀ ପ୍ରିବୋର୍ଡ ପରୀକ୍ଷାର 40ପ୍ରତିଶତ ମାର୍କକୁ ନେଇ ପରୀକ୍ଷା ଫଳ ବାହାରିବ । ସେହିପରି ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପ୍ରର୍ଦଶନକୁ ଭିତ୍ତିକରି ଏହି ମାର୍କ ମୂଲ୍ୟାଙ୍କନ କରାଯିବ । ଏକାଦଶ ଓ ଦଶମ ଶ୍ରେଣୀର 30 ପ୍ରତିଶତ ମାର୍କ ଶ୍ରେଷ୍ଠ 3 ଟି ବିଷୟରୁ ଅନୁଧ୍ୟାନ କରାଯିବ ।
ଯଦି କୌଣସି ଛାତ୍ର ଏହି ଉର୍ତ୍ତୀର୍ଣ୍ଣ ମାନଦଣ୍ଡକୁ ପାର କରିବାରେ ଅଯୋଗ୍ୟ ହୁଏ ତେବେ ତିନି ବର୍ଷର ଅଧୟନକୁ ବିଚାରକୁ ନିଆଯିବ । ସେମାନଙ୍କୁ ଅତ୍ୟାବଶ୍ୟକ ପୁନରାବୃତ୍ତି କିମ୍ବା କମ୍ପାର୍ଟମେଣ୍ଟ ବର୍ଗରେ ରଖାଯିବ। ଯେଉଁ ଛାତ୍ରଛାତ୍ରୀ ଏହି ପରୀକ୍ଷା ଫଳରେ ଅସନ୍ତୁଷ୍ଟ ହେବେ ସେମାନେ ପରବର୍ତ୍ତୀ ସମୟରେ CBSE ଦ୍ବାରା ହେବାକୁ ଥିବା ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଲ ।
ସୂଚନାଯୋଗ୍ୟ ଯେ, ଜୁନ 4ରେ ଆସେସମେଣ୍ଟ ପଲିସ ତିଆରି କରିବା ପାଇଁ 13 ଜଣିଆ କମିଟି ଗଠନ କରିଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । କମିଟି ଗଠନ ହେବାର 10 ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ଆଜି ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଦାଖଲ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ