କୋଭିଡ-୧୯ ମହାମାରୀ ଦୁଇ ଦୁଇଟି ସମସ୍ୟା ସୃଷ୍ଟି କରିଛି । ଅର୍ଥନୈତିକ ଗତି ଶିଥିଳ ହୋଇ ରାଜସ୍ବ ସୃଷ୍ଟିକୁ ପ୍ରଭାବିତ କରିବା ସହ ସ୍ବାସ୍ଥ୍ୟ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଭଳି ସାମାଜିକ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ଅନୁଭୂତ ହୋଇଛି । ଦୁଇଟି ଯାକ ମଧ୍ୟରେ ସନ୍ତୁଳନ ରଖିବା କାଠିକର ବ୍ୟାପାର । ତେବେ, ଏ କ୍ଷେତ୍ରରେ ମଧ୍ୟମ ମାର୍ଗ ଆପଣାଇଛି କେନ୍ଦ୍ର ବଜେଟ୍ । ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟ କରିବା ଭାରତରେ ଏକ ନିରନ୍ତର ସମସ୍ୟା ରହିଆସିଛି । କିନ୍ତୁ କୋଭିଡ -୧୯ ଯୋଗୁଁ ସ୍ବାସ୍ଥ୍ୟ କ୍ଷେତ୍ରରେ ଥିବା ଦୋଷଦୁର୍ବଳତା ଓ ତ୍ରୁଟିରେ ସୁଧାର ଆଣିବା ସହ ଅଧିକ ଅର୍ଥ ବିନିଯୋଗର ଆବଶ୍ୟକତା ଅନୁଭୂତ ହୋଇଛି । ବିକଶିତ ହୁଅନ୍ତୁ ବା ବିକାଶଶୀଳ ଦେଶ, ସମସ୍ତେ ମହାମାରୀ ପ୍ରକୋପରେ ପ୍ରଭାବିତ ହୋଇଛନ୍ତି । ଆଉ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଥିବା ଦୋଷଦୁର୍ବଳତା ମହାମାରୀ ସମସ୍ୟାକୁ ଦ୍ବିଗୁଣିତ କରିଛି ।
୨୦୨୧-୨୨ ସାଧାରଣ ବଜେଟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ବାସ୍ଥ୍ୟ ଗବେଷଣା ଓ ଆୟୁଷ ମନ୍ତ୍ରାଳୟ ପାଇଁ ୭୬ ହଜାର ୯୦୧ ଟଙ୍କାର ବ୍ୟୟବରାଦ କରିଛନ୍ତି । ଗତ ବର୍ଷର ବଜେଟ ଠାରୁ ଏହା ୧୧ ପ୍ରତିଶତ ଅଧିକ । ଗତ ଚାରି ବର୍ଷ ମଧ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ସର୍ବାଧିକ ବୃଦ୍ଧି । ତେବେ, ସମଗ୍ର ସରକାରୀ ବ୍ୟୟ ଦୃଷ୍ଟିରୁ ଦେଖିବାକୁ ଗଲେ ଏହାର ଭାଗ ୨ ଦଶମିକ ୨୧ ପ୍ରତିଶତ ହିଁ ରହିଛି । ୨୦୨୦-୨୧ ବଜେଟରେ ବି ପାଖାପାଖି ଏହି ସମାନ ସ୍ଥିତି ଥିଲା । ଅଲଗା ଅଲଗା ଆବଣ୍ଟନ ଯଦି ଦେଖିବା, ତାହା ହେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ମିଳିଛି ୭୧ ହଜାର ୨୬୮ କୋଟି । ମାତ୍ର ୯ ପ୍ରତିଶତ ଅଧିକ ହିଁ ମିଳିଛି । ଆୟୁଷ ମନ୍ତ୍ରାଳୟ ପାଇଁ ପ୍ରାୟ ୨ ହଜାର ୯୭୦ କୋଟି ଓ ସ୍ବାସ୍ଥ୍ୟ ଗବେଷଣା ବିଭାଗକୁ ୨ ହଜାର ୬୬୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥର ବଜେଟରେ ମୋଟ ସରକାରୀ ବ୍ୟୟରୁ ସ୍ବାସ୍ଥ୍ୟ ବିଭାଗର ଭାଗ ମାତ୍ର ୨ ଦଶମିକ ୨୧ ପ୍ରତିଶତ, ଯାହା କି ଅତି ସାମାନ୍ୟ । ସ୍ବାସ୍ଥ୍ୟ ପାଇଁ ପ୍ରଚୁର ଅର୍ଥ ବ୍ୟୟ କରୁଥିବା ଘର ପରିବାରଗୁଡିକ ପାଇଁ ଏହି ପରିମାଣ ଆର୍ଥିକ ବୋଝ ଲାଘବ କରି ନ ପାରେ । ମୋଟ ପକେଟ ଖର୍ଚ୍ଚ ୬୩ ପ୍ରତିଶତ ରହିଛି, ଯାହା କି ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଉଛି ।
ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା ଏକ ପ୍ରଶଂସନୀୟ ଘୋଷଣା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧୀନରେ ଘୋଷିତ ଏହି ଯୋଜନା ଓ ଆତ୍ମନିର୍ଭର ଭାରତ ଅଭିବୃଦ୍ଧି ହାସଲର ୬ଟି ସ୍ତମ୍ଭ ମଧ୍ୟରୁ ଗୋଟିଏ । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଯୋଜନା ଅନ୍ତର୍ଗତ ୬୪ ହଜାର ୧୮୦ କୋଟି ଅନୁଦାନର ବ୍ୟବସ୍ଥା ବଜେଟରେ କରାଯାଇଛି । ଆସନ୍ତା ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଖୋଲିବା, ପବ୍ଲିକ ଲ୍ୟାବ୍ ସ୍ଥାପନା, ବିମାନବନ୍ଦର ଓ ବନ୍ଦରରରେ ପବ୍ଲିକ ହେଲ୍ଥ ୟୁନିଟ କାର୍ଯ୍ୟକ୍ଷମ କରିବା ଓ ରୋଗ ନିୟନ୍ତ୍ରଣ ଜାତୀୟ କେନ୍ଦ୍ରଗୁଡିକ ଦୃଢ କରିବା ଭଳି ଅନେକ ପଦକ୍ଷେପ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ଓ ସାର୍ବଜନୀନ ସ୍ବାସ୍ଥ୍ୟ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ରଖାଯାଇଛି । ମୌଳିକ ସ୍ବାସ୍ଥ୍ୟ ସେବା, ସର୍ଭେଲାନ୍ସ ବ୍ୟବସ୍ଥା ଓ ପବ୍ଲିକ ହେଲଥ୍ ଫଙ୍କସନ ଉପରେ ଆମେ ଯଦି ଅଧିକ ଅର୍ଥ ବିନିଯୋଗ ନ କରିବା, ତାହା ହେଲେ ଏହାର ପରିଣାମ କେତେ ଭୟଙ୍କର ହୋଇପାରେ, ତାହା କୋଭିଡ ମହାମାରୀରୁ ଆମକୁ ଶିକ୍ଷା ମିଳିଛି । ଏ ଦୃଷ୍ଟିରୁ ସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ଘୋଷିତ ବିଭିନ୍ନ ପଦକ୍ଷେପ ସଂକ୍ରାମକ ରୋଗଗୁଡିକର ପରିଚାଳନା ଓ ସେଗୁଡିକର ନିୟନ୍ତ୍ରଣ କ୍ଷେତ୍ରରେ ବେଶ ସହାୟକ ହୋଇପାରିବ । ହେଲେ ସବୁକିଛି ନିର୍ଭର କରୁଛି ସମ୍ବଳ ଉପରେ । ଆବଣ୍ଟିତ ଅର୍ଥ ଯଥେଷ୍ଟ ହୋଇ ନ ପାରେ । ଅତିରିକ୍ତ ଭାବେ ୩୫ ହଜାର କୋଟି ଟଙ୍କା କୋଭିଡ ଟିକାକରଣ ପାଇଁ ଧାର୍ଯ୍ୟ କରାଯାଇଛି । ଏହା ଏକ ବାସ୍ତବିକ ପଦକ୍ଷେପ ଭଳି ଲାଗୁଛି । ଏହା ଦ୍ବାରା ବହୁସଂଖ୍ୟାରେ ଲୋକ ଉପକୃତ ହୋଇପାରିବେ । ଶୀଘ୍ର ଟିକାକରଣ ସଂପନ୍ନ ହୋଇପାରିବ, ତାହା ଆମର ଅର୍ଥନୀତି ପାଇଁ ଲାଭଦାୟକ ହେବ । କାରଣ ଅଧିକରୁ ଅଧିକ ଲୋକ ଅର୍ଥନୈତିକ କାର୍ଯ୍ୟକଳାପରେ ନିୟୋଜିତ ହୋଇ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବେ ।
ଏଥର ବଜେଟରେ ସ୍ବାସ୍ଥ୍ୟର ସାମାଜିକ ନିର୍ଦ୍ଧାରକ ଯଥା ପୋଷଣ, ପାନୀୟ ଜଳ ଓ ପରିମଳ ଅଭିଯାନ ପାଇଁ ମଧ୍ୟ ଆଖିଦୃଶିଆ ବ୍ୟୟବରାଦ କରାଯାଇଛି । ପାନୀୟ ଜଳ ଓ ପରିମଳ ପାଇଁ ବ୍ୟୟବରାଦ ବୃଦ୍ଧି ପାଇଛି । ୨୦୨୦-୨୧ ବର୍ଷରେ ଏହା ୨୧ ହଜାର ୫୧୮ କୋଟି ଥିବା ବେଳେ ବର୍ତ୍ତମାନ ୬୦ ହଜାର ୩୦ କୋଟିକୁ ବୃଦ୍ଧି କରାଯାଇଛି । ଗତବର୍ଷର ବଜେଟ ଏଷ୍ଟିମେଟଠାରୁ ଏହା ୩ ଗୁଣ ଅଧିକ । କିନ୍ତୁ ଏହାର ବିପରୀତ ଗତବର୍ଷ ତୁଳନାରେ ଏଥର ପୋଷଣ କାର୍ଯ୍ୟକ୍ରମକୁ ଅପେକ୍ଷାକୃତ କମ୍ ଅର୍ଥ ମିଳିଛି । ଭାରତରେ ପୋଷଣ କାର୍ଯ୍ୟକ୍ରମରେ ଅଗ୍ରଗତି କାହିଁକି ହୋଇପାରୁନାହିଁ, ସେ ନେଇ ଚିନ୍ତା କରିବାର ବେଳ ଆସିଛି । ଏପରିକି ସମୃଦ୍ଧ ରାଜ୍ୟଗୁଡିକରେ ମଧ୍ୟ ପୋଷଣଜନିତ ସମସ୍ୟା ଦେଖାଦେଇଛି । ବଜେଟରେ ମିଶନ ପୋଷଣ ୨.୦ର ଘୋଷଣା ନ୍ୟୁଟ୍ରିସନ ସେକ୍ଟର ପାଇଁ ବଡ ପ୍ରୋତ୍ସାହନ ସଦୃଶ ହୋଇପାରେ । କିନ୍ତୁ ଏ ବାବଦରେ ଶୀଘ୍ର ଟିପ୍ପଣୀ କରିବା ଉଚିତ ନୁହେଁ ।
ସେ ଯାହା ହେଉ, ସ୍ବାସ୍ଥ୍ୟ ଓ କଲ୍ୟାଣ ପାଇଁ ବଜେଟୀୟ ଆବଣ୍ଟନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଅର୍ଥ କମିଶନର ଅନୁଦାନକୁ ମିଶାଉ ସ୍ବାସ୍ଥ୍ୟ କ୍ଷେତ୍ରକୁ ୪୦ ପ୍ରତିଶତ ଅର୍ଥ ମିଳିଛି । ଆଉ ପାନୀୟ ଜଳ ଓ ପରିମଳର ସେୟାର ୪୩ ପ୍ରତିଶତ ରହିଛି ।
ସ୍ବାସ୍ଥ୍ୟ ହେଉଛି ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ମଧ୍ୟରୁ ଅନ୍ୟତମ । ହେଲଥ କେୟାରରେ ଅନେକ ଆହ୍ବାନ ଥିବାରୁ ଏହାକୁ ପ୍ରାଥମିକତା ଦେବ ଅସଙ୍ଗତ ନୁହେଁ । ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ( ପିଏମଜେଏୱାଇ )ର ଘୋଷଣା ସହ ସ୍ବାସ୍ଥ୍ୟ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା । ୨୦୨୦ରେ ମଧ୍ୟ ସ୍ବାସ୍ଥ୍ୟ ପୁଣି ଥରେ ଭୁଲ କାରଣରୁ ଚର୍ଚ୍ଚାରେ ରହିଥିଲା । କିନ୍ତୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟ କରିବା ପାଇଁ ସୃଷ୍ଟି ହୋଇଥିବା ପ୍ରୟାସ ଅଧିକ ଗତିଶୀଳ ହେବା ଦରକାର । ଏଥିପାଇଁ ପବ୍ଲିକ ସ୍ପେଡିଂ ବୃଦ୍ଧି କରିବା ଜରୁରୀ ହୋଇପଡିଛି । ଅନେକ ବିକାଶଶୀଳ ଓ ବିକଶିତ ଦେଶ ଅପେକ୍ଷା ଭାରତ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ବିନିଯୋଗ କରୁନାହିଁ । ଏହି ସ୍ଥିତିରେ ପରିବର୍ତ୍ତନ ହେବା ଆବଶ୍ୟକ ।
ଡକ୍ଟର ସରିତ କୁମାର ରାଉତ
( ଲେଖକ ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ପବ୍ଲିକ୍ ହେଲଥ-ଆଇଆଇପିଏଚବିରେ ଆଡିସିନାଲ ପ୍ରଫେସର ଭାବେ କାର୍ଯ୍ୟରତ । ମତାମତ ସଂପୂର୍ଣ୍ଣ ବ୍ୟକ୍ତିଗତ ।)