କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟରୁ ଲାଗିଛି ଜବରଦସ୍ତ ଝଟକା । ଅଦାଲତ ମଧ୍ୟରେ ବିଚାରପତିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇ ଫସିଲେ ମୁଖ୍ୟମନ୍ତ୍ରୀ ମମତା । ମୁଖ୍ୟମନ୍ତ୍ରୀଙ୍କ ଉପରେ 5 ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ ।
ମାମଲାର ଶୁଣାଣି କରି ବିଚାରପତି କୌଶିକ ଚନ୍ଦା କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି । ଅଭିଯୋଗର କୌଣସି ଆଧାର ନାହିଁ । ସାମ୍ବିଧାନିକ ପଦରେ ଥାଇ ନ୍ୟାୟପାଳିକା ଉପରକୁ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟ ଜନକ । କୋର୍ଟଙ୍କ ସମୟ ନଷ୍ଟ ବିଚାର ପ୍ରକ୍ରିୟାରେ ବାଧା ଦେବା ଅଭିଯୋଗରେ ମମତାଙ୍କ ଉପରେ 5 ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ବିଚାରପତି କୌଶିକ ଚନ୍ଦା । ଜରିମାନା ଅର୍ଥ କୋଭିଡ ପ୍ରଭାବିତ ଓକିଲଙ୍କ ପରିବାର ପ୍ରତି ଖର୍ଚ୍ଚ କରାଯିବ ବୋଲି ବିତାରପତି କୌଶିକ ଚନ୍ଦା ନିର୍ଦ୍ଦେଶନାମା ଦେଇଛନ୍ତି ।
କଣ ଥିଲା ମମତାଙ୍କ ଅଭିଯୋଗ ?
ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହେବା ପରେ ପୁନଃ ମତଗଣନା ଦାବି କରି ମମତା ହାଇକୋର୍ଟ ଯାଇଥିଲେ । ମମତାଙ୍କ ଅଭିଯୋଗ ଥିଲା ଭୋଟ ଗଣତିରେ ଚଞ୍ଚକତା କରାଯାଇଛି । ଏହାକୁ ନେଇ ସେ କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋଲକାତା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତିଙ୍କୁ ଚିଠି ଲେଖି ତାଙ୍କ ମାମଲା ବିଚାରପତି କୌଶିକ ଚନ୍ଦାଙ୍କ ଖଣ୍ଡପୀଠ ବଦଳରେ ଅନ୍ୟ ଖଣ୍ଡପୀଠକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ । ମମତା ଅଭିଯୋଗ କରିଥିଲେ ବିଚାରପତି କୌଶିକ ଚନ୍ଦା ବିଜେପି ସହ ସମ୍ପର୍କରେ ଅଛନ୍ତି । ଏହାସହ ସେ ବିଜେପିର ସଦସ୍ୟ ମଧ୍ୟ ଥିଲେ । ଏହି ସ୍ଥିତିରେ ତାଙ୍କ ଖଣ୍ଡପୀଠରେ ଶୁଣାଣି ହେଲେ ନିରପେକ୍ଷ ରାୟ ଆସିବ ନାହିଁ ।
ଆଜି କୌଶିକ ଚନ୍ଦା ମାମଲାର ଶୁଣାଣି କରି ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ଏହାସହ 5 ଲକ୍ଷ ଟଙ୍କାର ଜରିମାନା ଦାୟର କରିଛନ୍ତି । ଏହାସହ ବିଚାରପତି କୌଶିକ ଚନ୍ଦା ନିଜେ ମାମଲାରୁ ଓହରି ଯାଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରତିଦ୍ବନ୍ଦିତା କରି ବିଜେପି ପ୍ରାର୍ଥିୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ । ପରାଜୟକୁ ଚ୍ୟାଲେଞ୍ଜ ସହ ଆଉ ଥରେ ଭୋଟ ଗଣତି ଦାବି କରି ହାଇକୋର୍ଟ ଯାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ