ଗାନ୍ଧୀନଗର: ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ମାଛଧରା ବୋଟ । ଶନିବାର ଗୁଜୁରାଟର କୁଚ୍ଚ ଜିଲ୍ଲାର କ୍ରେକ ଅଞ୍ଚଳରୁ ୨ ପାକିସ୍ତାନୀ ମାଛଧରା ବୋଟକୁ ଜବତ କରିଛି ସୀମା ସୁରକ୍ଷା ବଳ(BSF) । ବିଏସଏଫ ପାଟ୍ରୋଲିଂ କରୁଥିବା ବେଳେ ଏହି ସଫଳତା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ବିଏସଏଫର ଭୁଜ୍ ପାଟ୍ରୋଲିଂ ଦଳ ହରାମି ନାଲା କ୍ରିକା ଅଞ୍ଚଳରେ କିଛି ମତ୍ସ୍ୟଜୀବୀ ଡଙ୍ଗା ଏବଂ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଏହାପରେ ଡଙ୍ଗା ଦୁଇଟିକୁ ଜବତ କରିଥିବା ବେଳେ ମତ୍ସ୍ୟଜୀବୀ ମାନେ ପାଟ୍ରୋଲିଂ ପାର୍ଟିକୁ ଚକମା ଦେଇ ଖସିଯିବାକୁ ସଫଳ ହୋଇଥିଲେ । ଜବତ ଡଙ୍ଗାରୁ କୌଣସି ସନ୍ଦେହଜନକ ଜିନିଷ ଜବତ ହୋଇନଥିବା ବେଳେ ୨୦ରୁ ୨୫ କେଜି ମାଛ, ୨ଟି ମାଛ ଜାଲ ଓ ବରଫ ବାକ୍ସ ସହ ଅନ୍ୟାନ୍ୟ କିଛି ଉପକରଣ ଜବତ ହୋଇଛି ।
ଏହା ମଧ୍ୟ ପଢନ୍ତୁ:-୫ ବୋଟ୍ ସହ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଧରିଲା BSF ଟିମ୍
ଏହା ପୂର୍ବରୁ ଅଗଷ୍ଟ ୫ରେ ଗୁଜୁରାଟର ହରାମିନାଲା ନିକଟରେ ଭୁଜ୍ ପଟ୍ରୋଲିଂ ଟିମ୍ ୫ଟି ପାକିସ୍ତାନୀ ବୋଟ୍ ଜବତ କରିବା ସହ ୨ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଅଟକ ରଖଥିଲା । ଏହି ଅଞ୍ଚଳରେ ପାକିସ୍ତାନ ମତ୍ସ୍ୟଜୀବୀ ବୋଟ୍ ଉପରେ ନଜର ରଖିବାକୁ ପାଟ୍ରୋଲିଂ ଲଗାତାର ତନାଘନା ଜାରି ରଖିଥାଏ । ଅଧିକ ମାଛ ଧରିବା ଆଶାରେ ଅନେକ ସମୟରେ ପାକିସ୍ତାନ ମତ୍ସ୍ୟଜୀବୀ ଭାରତ ସୀମା ରେଖାକୁ ଚାଲି ଆସନ୍ତି ।