ଭୋପାଳ(ମଧ୍ୟପ୍ରଦେଶ): ଚାଲିଥିଲା ବିବାହ ଉତ୍ସବ, ହଠାତ ଚାଲିଗଲା କରେଣ୍ଟ(Powercut in MP) । ଫଳରେ ଅଦଳବଦଳ ହୋଇଗଲେ ବରକନିଆଁ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମଧ୍ୟପ୍ରଦେଶ ଉଜ୍ଜୟିନୀର ଆସଲାନା ଅଞ୍ଚଳରେ । ମେ ୫ଦିନ ଏହି ଘଟଣା ଘଟିଥିବା ଜଣାପଡିଛି । ଆସାଲାନା ଅଞ୍ଚଳର ରମେଶ ଲାଲ ରେଲୋଟଙ୍କ ୩ଝିଅ ଓ ପୁଅଙ୍କ ମେ୫ ତାରିଖ ଦିନ ବିବାହ ଅନୁଷ୍ଠିତ ହୋଇଥିଲା ।
କୋମଲ ରାହୁଲଙ୍କୁ ବିବାହ କରିବାକୁ ଥିବା ବେଳେ ନିକିତା ଭୋଳାଙ୍କୁ ଓ କରିସ୍ମା ଗଣେଷଙ୍କୁ ବିବାହ କରିବାର ଥିଲା । କୋମଲଙ୍କ ବିବାହ ସନ୍ଧ୍ୟା ସମୟରେ ଶେଷ ହୋଇଯାଇଥିବା ବେଳେ ନିକିତା ଓ କରିସ୍ମାଙ୍କ ବିବାହ ରାତ୍ରି ସମୟରେ ହେବାରଥିଲା । ତେବେ ଉଭୟଙ୍କ ବରଯାତ୍ରୀ ଘରେ ପହଞ୍ଚିବା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା । ତେବେ ହଠାତ୍ ଏହି ସମୟରେ ବିଦ୍ୟୁତ କାଟ୍ ହୋଇଥିଲା । ପୌରହିତ ମନ୍ତ୍ରପାଠ ଆରମ୍ଭ କରିବା ବେଳେ ଦୁଇ କନ୍ୟା ବେଦୀରେ ଅଦଳବଦଳ ହୋଇଯାଇଥିଲେ । ନିକିତା ଗଣେଷଙ୍କ ସହ ଓ କରିସ୍ମା ଭୋଳାଙ୍କ ସହ ବେଦୀରେ ବସିଯାଇଥିଲେ ।
ଯେତେବେଳେ ବେଦୀ ପରିକ୍ରମା ସମୟ ଆସିଲା ଏହି ସମୟରେ ପରିବାର ଲୋକଙ୍କ ନଜର ପଡିଥିଲା ଉଭୟଙ୍କ ଉପରେ । ଏହାପରେ ତୁରନ୍ତ କନ୍ୟାଙ୍କୁ ପରିବର୍ତ୍ତନ କରାଯାଇଥିଲା । ଏହି ଘଟଣା ଗ୍ରାମରେ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ତେବେ ପ୍ରତିଦିନ ଏହି ଗ୍ରାମରେ ବିଜୁଳି କାଟ ହେଉଥିବା କାରଣରୁ ଏଭଳି ସମସ୍ୟା ଉପୁଜିଥିଲା ।