ବେଙ୍ଗାଲୁରୁ: ନିଜ ବାହାଘରରେ ଅଧିକ ସୁନ୍ଦର ଦିଶିବାକୁ ବିଉଟି ପାର୍ଲର ଯାଇଥିଲେ କନ୍ୟା । ମୁହଁକୁ ଅଧିକ ଗୋରା ଓ ଆକର୍ଷଣୀୟ କରିବା ପାଇଁ ମେକଅପ୍ ନେଲେ । ହେଲେ ଅଧିକ ମେକଅପ୍ ନେବା ପଡିଗଲା ମହଙ୍ଗା । କେମିକାଲରେ ପ୍ରସ୍ତୁତ ମେକଅପ୍ କ୍ରିମ ମୁହଁରେ ଲାଗିବା ପରେ କଳା ପଡିଗଲା ମୁହଁ । ଏମିତିକି ମୁହଁ ପୁରା ସିଝିଯିବା ସହ ଫୁଲିଗଲା । ଯାହାକୁ ଦେଖିବା ମାତ୍ରେ ବାହାଘର ପାଇଁ ସଫା ସଫା ମନା କରିଦେଲେ ବର । କର୍ଣ୍ଣାଟକ ହସନ ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।
ନିଜ ବାହାଘରରେ ସୁନ୍ଦର ଦିଶିବା କାହାର ବା ଇଚ୍ଛା ନୁହେଁ । ଆଜିକାଲି ଯୁବକ ଯୁବତୀମାନେ ବାହାଘର ଲୁକ୍ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଦାମୀ ଲେହେଙ୍ଗା ସହ ବିଉଟି ପାର୍ଲରରେ ମେକଅପ୍ ନେଉଛନ୍ତି । ହେଲେ ସେହି ମେକଅପ୍ କର୍ଣ୍ଣାଟକର ଜଣେ ଯୁବତୀଙ୍କ ପାଇଁ କାଳ ହୋଇଛି । ଅନ୍ୟ ଝିଅଙ୍କ ଭଳି ସମ୍ପୃକ୍ତ ଯୁବତୀ ମଧ୍ୟ ବାହାଘରରେ ଅଧିକ ସୁନ୍ଦର ଦିଶିବା ନିଶାରେ ମେକଅପ୍ ନେବାକୁ ବିଉଟି ପାର୍ଲର ଯାଇଥିଲେ । ପାର୍ଲର ମହିଳା ଯୁବତୀଙ୍କ ମୁହଁରେ ମେକଅପ୍ କରିଥିଲେ । ଯାହାପରେ ତାଙ୍କ ମୁହଁର ନକ୍ସା ହିଁ ବଦଳି ଯାଇଥିଲା ।
ଅଧିକ ସୁନ୍ଦର ଦିଶିବା ପାଇଁ ଯୁବତୀ କିଛି ନୂଆ କରିବାକୁ ଚାହିଁଥିଲେ । ତେଣୁକରି ପାର୍ଲର ମହିଳା ପ୍ରଥମେ ତାଙ୍କ ମୁହଁରେ ଫାଉଣ୍ଡେସନ ଲଗାଇଥିଲେ । ଏହାପରେ ମୁହଁରେ ବାମ୍ଫ ଦେଇଥିଲେ । ଫଳରେ ସଙ୍ଗେ ସଙ୍ଗେ ଯୁବତୀଙ୍କ ମୁହଁ କଳା ପଡିଯାଇଥିଲା । ମୁହଁ ପୁରା ସିଝି ଯାଇ ଫୁଲି ଯାଇଥିଲା । ବିବାହ ଠିକ୍ ପୂର୍ବରୁ କନ୍ୟାଙ୍କ ମୁହଁର ଏପରି ଅବସ୍ଥା ଦେଖି ବାହାଘର ଭାଙ୍ଗି ଦେଇଥିଲେ ବରପକ୍ଷ । ବର ବିବାହ କରିବା ପାଇଁ ସ୍ପଷ୍ଟ ମନା କରିଦେଇଥିଲେ ।
ଏହାମଧ୍ୟ ପଢନ୍ତୁ: ୟୁପି ବିଧାନସଭାରେ ବସିଲା କୋର୍ଟ, ଦିନକ ପାଇଁ ଜେଲ୍ ଗଲେ ୬ ଜଣ ପୋଲିସ୍
ବର୍ତ୍ତମାନ କନ୍ୟା ମେଡିକାଲରେ ଚିକିତ୍ସିତ ହେଉଥିବାର ଖବର ମିଳିଛି । ସେପଟେ କନ୍ୟାଙ୍କ ପରିବାର ଲୋକେ ସମ୍ପୃକ୍ତ ବିଉଟି ପାର୍ଲର ମାଲିକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ସମନ ଜାରି କରି ପଚରାଉଚରା କରୁଛି । ଏହି ଘଟଣାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହାମଧ୍ୟ ପଢନ୍ତୁ: ଫଟୋରୁ ବର୍ବରତା: ପ୍ରେମୀଯୁଗଳଙ୍କ ବ୍ୟକ୍ତିଗତ ଫଟୋ ଉଠାଇଲେ ବୃଦ୍ଧ, ପିଟି ପିଟି ମାରିଦେଲେ