ମୁମ୍ବାଇ: ୨୦୨୦ରେ ମୁମ୍ବାଇରେ ଜଣେ ନାଇଜେରିଆ ଯୁବକଙ୍କ ଠାରୁ ଡ୍ରଗ୍ସ ଭଳି କିଛି ପାଉଡର ଏବଂ ବଟିକା ଜବତ ହୋଇଥିଲା । ATS କୋକେନ ସନ୍ଦେହରେ ଜବତ ପାଉଡରର ଯାଞ୍ଚ ପାଇଁ ଫରେନସିକ ଲ୍ୟାବ୍କୁ ପଠାଇଥିଲା । ଲ୍ୟାବ୍ ରିପୋର୍ଟ ଆଧାରରେ ପରେ ସମ୍ପୃକ୍ତ ନାଇଜେରିଆ ନାଗରିକଙ୍କ ବିରୁଦ୍ଧରେ ବମ୍ବେ ସେସନ କୋର୍ଟରେ ମାମଲା ରୁଜୁ ହୋଇ ତାଙ୍କୁ ଜେଲ୍ ଦଣ୍ଡାଦେଶ ମିଳିଥିଲା । ବର୍ତ୍ତମାନ ସେହି ଯୁବକ ଦେଢ ବର୍ଷ ଜେଲ୍ରେ କାଟିବା ପରେ ଏବେ ସାଙ୍ଘାତିକ ଖବର ସାମ୍ନାକୁ ଆସିଛି । ଫରେନ୍ସିକ ଲ୍ୟାବର ଟାଇପିଂ ତ୍ରୁଟି ଯୋଗୁଁ ସମ୍ପୃକ୍ତ ଯୁବକ ବିନା ଅପରାଧରେ ସଜ୍ଜା ଭୋଗିଥିବା ଜଣାପଡିଛି ।
ନାଇଜେରିଆ ଯୁବକଙ୍କ ଠାରୁ କୋକାଇନ ସନ୍ଦେହରେ ATS ଜବତ କରିଥିବା ପାଉଡର ଓ ବଟିକା ଡ୍ରଗ୍ସ ନୁହେଁ । ଲ୍ୟାବ୍ର କେମିକାଲ ବିଶ୍ଲେଷକ ଟାଇପିଂ ତ୍ରୁଟି ଯୋଗୁଁ ସେହି ଧଳା ପାଉଡର NDPS ଆକ୍ଟ ଅଧିନରେ ଆସୁଥିବାର ଭୁଲ୍ ରିପୋର୍ଟ ଦେଇଥିଲେ । ATS ମଧ୍ୟ କୋର୍ଟରେ ଏହି ଭୁଲ୍ ରିପୋର୍ଟ ଦାଖଲ କରିଥିଲା । ଫଳରେ ଡ୍ରଗ୍ସ ଚଲାଣ ମାମଲାରେ ଯୁବକଙ୍କୁ ଜେଲ୍ ଯିବାକୁ ପଡିଥିଲା । ଦେଢ ବର୍ଷ ପରେ ଏବେ ଫରେନସିକ ଲ୍ୟାବର ଆସିଷ୍ଟାଣ୍ଟ ଡାଇରେକ୍ଟର ATSର ବରିଷ୍ଠ ଅଧିକାରୀଙ୍କୁ ନିଜର ତ୍ରୁଟି ସମ୍ପର୍କରେ ଚିଠି ଲେଖିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ଜବତ ପାଉଡର କୋକେନ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ବମ୍ବେ ହାଇକୋର୍ଟ ସମ୍ପୃକ୍ତ ଯୁବକଙ୍କୁ ଜେଲ୍ରୁ ମୁକାଳିବା ସହ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।