ମୁମ୍ବାଇ: ମହାମାରୀ ସଂକ୍ରମଣ ବୃଦ୍ଧି ମଧ୍ୟରେ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରରେ ଏତେ ଲୋକଙ୍କୁ ଟୀକାକରଣ ବଡ ଚ୍ୟାଲେଞ୍ଜ । କେବଳ ସେତିକି ନୁହେଁ, ବ୍ୟାପକ ଟୀକାକରଣ କେନ୍ଦ୍ରର ସୁବିଧା ନଥିବାରୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଏନେଇ ଘରଘର ବୁଲି ଟିକା ଦେବାକୁ କହିଛନ୍ତି ବମ୍ବେ ହାଇକୋର୍ଟ ।
ବୁଧବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର କିଛି ମାସ ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ଘରକୁ ଯାଇ ଟୀକାକରଣ ଆରମ୍ଭ କରିଥାନ୍ତେ, ତେବେ ଜଣାଶୁଣା ବ୍ୟକ୍ତିଙ୍କ ସମେତ ଅନେକ ଜୀବନ ରକ୍ଷା ପାଇଥାନ୍ତା ।
ପ୍ରଧାନ ବିଚାରପତି ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଜିଏସ କୁଲକର୍ଣ୍ଣିଙ୍କ ଏକ ବେଞ୍ଚ କେନ୍ଦ୍ରକୁ କହିଛନ୍ତି ଯେ ଟୀକାକରଣ କେନ୍ଦ୍ର ଯିବାରେ ଅସମର୍ଥ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ଦରକାର ।
75 ବର୍ଷରୁ ଅଧିକ ବୟସ୍କ ନାଗରିକ, ନିର୍ଦ୍ଦିଷ୍ଟ ବ୍ୟକ୍ତି ଏବଂ ଶଯ୍ୟା କିମ୍ବା ହ୍ୱିଲ ଚେୟାରରେ ଥିବା ବ୍ୟକ୍ତିଙ୍କ ପାଇଁ ଘର ଘର ଯାଇ ଟୀକାକରଣ କାର୍ଯ୍ୟକ୍ରମ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି ଯାଚିକାରେ କୁହାଯାଇଛି ।