ନୂଆଦିଲ୍ଲୀ: ଭାରତରେ ଜାରି ଚାଷୀ ଆନ୍ଦୋଳନର ସମର୍ଥନରେ ବିଦେଶୀ ସେଲିବ୍ରିଟିଙ୍କ ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ । ଏହାରି ମଧ୍ୟରେ ବଲିଉଡ ମଧ୍ୟ ଏହି ଆନ୍ଦୋଳନରେ ଏଣ୍ଟ୍ରି ମାରିଛି । ମାମଲା ଏତେ ଆଗକୁ ବଢିଯାଇଛି ଯେ, ଶେଷରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ ଚେତାବନୀ ଦେବାକୁ ପଡିଥିଲା ।
ବୈଦେଶିକ ମନ୍ତ୍ରଣାଳୟର ସମର୍ଥନରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଟ୍ବିଟ କରି କହିଛନ୍ତି, ପରିସ୍ଥିତି ଖରାପ କରିବାକୁ ଯେଉଁମାନେ ପ୍ରୟାସ କରୁଛନ୍ତି ସେମାନଙ୍କ ଉପରେ ନଜର ରଖିବା ଉଚିତ । ଅକ୍ଷୟ କୁମାର ଲେଖିଛନ୍ତି, ଚାଷୀ ଆମ ଦେଶର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉଛି । ମତଭେଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଏକ ଶାନ୍ତିପୂର୍ଣ୍ଣ ସଙ୍କଳ୍ପର ସମର୍ଥନ କରିବା ଜରୁରୀ ।
ଚାଷୀ ଆନ୍ଦୋଳନକୁ ସମର୍ଥନ କରି କିଛି ବିଦେଶୀ ସେଲିବ୍ରିଟି ଟ୍ବିଟ କରିଥିଲେ । ଏହି ଟ୍ବିଟକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କଡା ଜବାବ ଦେଇଛି । ତେବେ ବୈଦେଶିକ ମନ୍ତ୍ରଣାଳୟର ବୟାନ ପରେ ଆଗରୁ ଚାଷୀ ଆନ୍ଦୋଳନକୁ ଇନ୍ଧନ ଯୋଗାଉଥିବା କିଛି ବଲିଉଡ କଳାକାର ଏବେ ବ୍ୟାକଫୁଟ୍କୁ ଆସିଯାଇଛନ୍ତି ।
ଏବାବଦରେ ଫିଲ୍ମ ନିର୍ମାତା କରନ ଜୋହର ଟ୍ବିଟ କରି କହିଛନ୍ତି, ସବୁ ମୁହୂର୍ତ୍ତରେ ଆମକୁ ଧୈର୍ଯ୍ୟ ଧରିବାକୁ ପଡିବ । ସମାଧାନ ଦିଗରେ କାମ କରିବାକୁ ହେବ । ଆମ ଚାଷୀ ଦେଶର ମେରୁଦଣ୍ଡ । କାହାରିକୁ ଆମକୁ ଭାଗ କରିବାକୁ ଦିଆଯିବ ନାହିଁ ବୋଲି ଟ୍ବିଟ କରି କହିଛନ୍ତି କରନ । ସେପଟେ ବୈଦେଶିକ ମନ୍ତ୍ରଣାଳୟର ବୟାନ ପରେ ଏକତା କପୁର ଟ୍ବିଟ କରି କହିଛନ୍ତି, ମିଥ୍ୟା ପ୍ରଚାର ବିରୋଧରେ ଆମକୁ ଏକଜୁଟ ହେବାକୁ ପଡିବ ।