ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ ଘଟିଛି ( blast inside rohini court In Delhi) । ଆଜି (ଗୁରୁବାର) ପୂର୍ବାହ୍ନ ପ୍ରାୟ 10.40 ସମୟରେ ଏକ ସମାନ୍ୟ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ କାରଣ ଜଣାପଡିନଥିବା ବେଳେ ଏଥିର ଜଣେ ଆହତ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଏକ ଲ୍ୟାପଟପ କିମ୍ବା ଟିଫିନ ବୋମା ଦ୍ବାରା ଏହି ବିସ୍ଫୋରଣକୁ ରୂପ ଦିଆଯଆଇଥିବା ଅନୁମାନ କରୁଛି ଦିଲ୍ଲୀ ପୋଲିସ ।
ବିସ୍ଫୋରଣଟି କୋର୍ଟ ପରିସରରେ ଚାମ୍ବର ନଂ 102ରେ ଘଟିଥିବା ପ୍ରେସବାର୍ତ୍ତା ମାଧ୍ୟମରେ ସୂଚନା ରଖିଛନ୍ତି ଉତ୍ତର ଦିଲ୍ଲୀର ଓକିଲ ସଂଘ ସମ୍ପାଦକ ଭିନିତ ଜିନ୍ଦଲ । ତେବେ ଏହି ଘଟଣାରେ ଜଣେ ଆହତ ହୋଇ ଚିକିତ୍ସାଧୀନ ଥିବାବେଳେ କୋର୍ଟ ପ୍ରକ୍ରିୟା ବନ୍ଦ ରହିଛି । ଘଟଣାସ୍ଥଳରେ ପୋଲିସ ସୁରକ୍ଷା ବଢାଯାଇଥିବାବେଳେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।
ଚଳିତବର୍ଷ ସେପ୍ଟେମ୍ବରରେ ମଧ୍ୟ ରୋହିଣୀ କୋର୍ଟ ପରିସରରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । କୋର୍ଟ ପରିସରରେ ଏପରି ହିଂସା ବାରମ୍ବାର ଘଟିବା ପରେ ଆଇନଜୀବୀମାନେ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ