ଗୌହାଟୀ: ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଯାଉଛି ଆସାମ ବିଧାନସଭା ନିର୍ବାଚନ । ହେଲେ ବିଜୟର ଧାରା ଜାରି ରଖିବାକୁ ଏବେଠୁ ଅଣ୍ଟା ଭିଡିସାରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ବିଜେପିର ସ୍ଥିତି ମଜବୁତ ରହିଛି ବୋଲି କହିଛନ୍ତି ଆସାମ ଗସ୍ତରେ ଥିବା ଦଳର ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଆସାମ ବିଧାନସଭା ନିର୍ବାଚନରେ ବିଜେପି ମିଶନ 100+ ସ୍ବପ୍ନ ପୁରା କରିବ ବୋଲି ଦାବି କରିଛନ୍ତି ବୈଜୟନ୍ତ ।
ବୈଜୟନ୍ତ ପଣ୍ଡା କହିଛନ୍ତି, ଆସାମରେ ବିଜେପି ଦୃଢ ସ୍ଥିତିରେ ରହିଛି । ନିକଟରେ ବୋଡଲ୍ୟାଣ୍ଡ ଟେରିଟୋରିୟାଲ କାଉଁସିଲ (BTC) ନିର୍ବାଚନ ସ୍ପଷ୍ଟ କରିଛି ଯେ ରାଜ୍ୟରେ ବିଜେପିର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି । ଏନେଇ ଆମର ସମ୍ପୂର୍ଣ୍ଣ ବିଶ୍ବାସ ଯେ ଆସାମରେ ବିଜେପି ଏହାର 100+ ମିଶନକୁ ନିଶ୍ଚୟ ହାସଲ କରିବ ବୋଲି ଗୌହାଟୀରେ ଗଣମାଧ୍ୟମକୁ କହିଛନ୍ତି ବୈଜୟନ୍ତ ।
3 ଦିନିଆ ଆସାମ ଗସ୍ତରେ ଯାଇ ପଣ୍ଡା ଏଠାରେ ଦଳୀୟ ସ୍ଥିତିର ସମୀକ୍ଷା କରିଛନ୍ତି । ଏହାସହ ଦଳର ନେତାଙ୍କ ସହ ମଧ୍ୟ ବୈଠକରେ ଆଗାମୀ ବିଧାନସଭା ନିର୍ବାଚନର ରଣନୀତି ନେଇ ଆଲୋଚନା ହୋଇଛି ।
ଚାଷୀ ଆନ୍ଦୋଳନକୁ ନେଇ ବୈଜୟନ୍ତ କହିଛନ୍ତି, ଏହା ପ୍ରଥମ ଥର ନୁହେଁ, ଏପରି କିଛି ଦଳ ଅଛନ୍ତି ଯେଉଁମାନେ ଜନସାଧାରଣଙ୍କଠାରୁ ଆସ୍ଥା ହରାଇଛନ୍ତି । କିଛି ବର୍ଷ ପୂର୍ବେ ଭାରତୀୟ ସେନା ଶତ୍ରୃ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ତେବେ ଯେଉଁମାନେ ସେତେବେଳେ ସର୍ଜିକାଲ ଷ୍ଟ୍ରାଇକ ହୋଇନଥିବା ନେଇ କହୁଥିଲେ ସେମାନେ ଆଜି ଚାଷୀଙ୍କ ନାଁରେ ଆନ୍ଦୋଳନ କରୁଥିବା କହିଛନ୍ତି ବୈଜୟନ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ