କୋଲକାତା: ପଶ୍ଚିମବଙ୍ଗରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । ଏହି ପର୍ଯ୍ୟାୟରେ ଉଭୟ ଶାସକ ଓ ବିରୋଧୀ ଦଳର ଫୋକସରେ ରହିଛି ରାଜ୍ୟର ହଟସିଟ ନନ୍ଦିଗ୍ରାମ । ତୃଣମୂଳ କଂଗ୍ରେସର ବଙ୍ଗ ଗଡ ଦଖଲ କରିବାକୁ ପ୍ରଥମରୁ ହିଁ ସମସ୍ତ ଶକ୍ତି ଲଗାଇଦେଇଥିଲା ଭାରତୀୟ ଜନତା ପାର୍ଟି ।
ବଙ୍ଗରେ ବିଜୟୀ ହେବାକୁ ବିଜେପି ଆଶାବାଦୀ ଥିବା ବେଳେ ପ୍ରଶ୍ନ ଉଠୁଛି ଦଳକୁ ଶକ୍ତି ଯୋଗାଇବା ପଛରେ ରହିଛି କାହାର ହାତ? କାହା ରଣନୀତିରେ ତୃଣମୂଳ ସ୍ତରରୁ ବିଜେପିକୁ ଶକ୍ତଶାଳୀ କରିବାକୁ କରାଯାଇଛି ଯୋଜନା ? ଏହି ସମସ୍ତ ପ୍ରଶ୍ନ ମଧ୍ୟରେ ଉତ୍ତରରେ କେବଳ ଗୋଟିଏ ନାଁ ଆସେ, ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହ ।
ପ୍ରଥମରୁ ହିଁ ପଶ୍ଚିମବଙ୍ଗର କୋଣ ଅନୁକୋଣରେ ପହଞ୍ଚିବାକୁ ଗୃହମନ୍ତ୍ରୀଙ୍କ ମାଷ୍ଟରପ୍ଲାନ ବଳରେ ପ୍ରସ୍ତୁତ ହୋଇଥିଲା ରୋଡ ଶୋର ରୋଡମ୍ୟାପ । ଘରେ ଘରେ ଯାଇ ପ୍ରଚାର କରିବା ବିଜେପିର ଥିଲା ରଣନୀତି ।
ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର ଅଭିଯାନ ଉପରେ ପକାନ୍ତୁ ନଜର । ପ୍ରଚାରର ଶେଷ ଦିନରେ ଶାହଙ୍କ 50 କିଲୋମିଟରର ରୋଡ ଶୋ । ଏହା ପୂର୍ବରୁ ମଧ୍ୟ ଗୃହମନ୍ତ୍ରୀଙ୍କ ନେତୃତ୍ବରେ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ରୋଡ ଶୋ କରିଥିଲା ବିଜେପି ।
ଶାହଙ୍କ ରୋଡ ଶୋ ଏପରି ଅଞ୍ଚଳରେ ହୋଇଛି, ଯେଉଁଠି ବିଜେପିର ବଡ ବଡ ନେତା ମଧ୍ୟ ଏଠାକୁ ଗସ୍ତ କରିପାରିନଥିଲେ । ଛୋଟରୁ ଅତି ଛୋଟ ଗଳିରେ ମଧ୍ୟ ଶାହାଙ୍କ ରୋଡ ଶୋ ହୋଇଥିବା ବେଳେ ଜନସାଧାରଣଙ୍କ ସହ ସିଧାସଳଖ ମିଶିବାକୁ ପ୍ରୟାସ କରିଥିଲେ ଗୃହମନ୍ତ୍ରୀ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସ୍ଥାନୀୟ ନେତାଙ୍କୁ ପ୍ରଥମେ ଭେଟି ବିଜୟଲାଭର ମନ୍ତ୍ର ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଆଉ ଏହାପରେ ଆରମ୍ଭ ହୁଏ ରଣନୀତି । ଗୃହମନ୍ତ୍ରୀଙ୍କ ଗସ୍ତ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ବରେ ବଙ୍ଗର କୋଣ ଅନୁକୋଣକୁ ବ୍ୟାପିଯାଇଥିଲେ ଦଳୀୟକର୍ମୀ । ଲକ୍ଷ୍ୟ ଥିଲା ଘରେ ଘରେ ଯାଇ ଲୋକଙ୍କ ସହ ସିଧା ସମ୍ବାଦ । ଆଉ ଏହି ରଣନୀତି ବଳରେ ଆଜି ବଙ୍ଗ ଦଖଲ ନେଇ ଦାବି କରୁଛି ବିଜେପି ।