ନୂଆଦିଲ୍ଲୀ: ବିଜେପି ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଦିଲ୍ଲୀରୁ ପଞ୍ଜାବ ପୋଲିସ ଉଠାଇ ନେଇ ଗିରଫ ଘଟଣାରେ ତେଜିବାରେ ଲାଗିଛି ରାଜନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ଗତକାଲି ବାଗାକୁ ପଞ୍ଜାବ ପୋଲିସର ଏକ ଟିମ ଦିଲ୍ଲୀରୁ ଗିରଫ କରିଥିଲା । ତେବେ ଦିଲ୍ଲୀରୁ ପଞ୍ଜାବ ନେବା ବାଟରେ ହରିୟାଣା ପୋଲିସ ଓ ପଞ୍ଜାବ ପୋଲିସ ମଧ୍ୟରେ ବିବାଦ ଦେଖାଯିବା ସହ ପୁଣି ବାଗାଙ୍କୁ ଦିଲ୍ଲୀକୁ ଅଣାଯାଇଥିଲା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ତଜିନ୍ଦରପାଲ ସିଂ ବାଗାଙ୍କୁ ଦିଲ୍ଲୀରୁ ଗିରଫ କରି ମୋହାଲି ନେଉଥିବାବେଳେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ବାଧା ଦେଇଥିଲା ହରିୟାଣା ପୋଲିସ । ପରେ ପୁଣି ତାଙ୍କୁ ପୁନଃ ଦିଲ୍ଲୀ ଅଣାଯାଇଥିଲା । ଏପରି କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ବିରୋଧୀ ଓ କ୍ଷମତାର ଅପବ୍ୟବହାର ବୋଲି ବିଜେପି ଦର୍ଶାଇ ବିଜେପି ନିନ୍ଦା କରିବା ସହ ପଞ୍ଜାବରେ କ୍ଷମତାସୀନ ଆମ ଆଦମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦାୟୀ କରିଛି ।
ତେବେ ଆଜି କେଜ୍ରିଓ୍ବାଲଙ୍କ ବାସଭବନ ସାମ୍ନାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା । ଏକ ସ୍ବତନ୍ତ୍ର ପୋଲିସ ଟିମ ସହ ହିଂସା ନିରୋଧୀ ଟିମକୁ ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା । ପ୍ରଦର୍ଶନବେଳେ କିଛି ବିଜେପି ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ନେଇ ମଧ୍ୟ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ