କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରେ କ୍ରମାଗତ ରାଜ୍ୟରୁ ସାମ୍ନାକୁ ଆସୁଛି ହତ୍ୟା, ଜଳାପୋଡା ଓ ହିଂସା ଘଟଣା । ଏହି କ୍ରମରେ ବିଜେପିର ବାରାକପୁର ସାଂସଦ ଅର୍ଜୁନ ସିଂହଙ୍କ ଘର ସାମ୍ନାରେ ବୋମା ମାଡ ହୋଇଛି । ବୋମା ମାଡ ନେଇ ସୂଚନା ଦେଇଛନ୍ତି ଖୋଦ ସାଂସଦ ଅର୍ଜୁନ ସିଂହ ।
ଅଭିଯୋଗ ଅନୁଯାୟୀ, ବୁଧବାର ରାତିରେ ଜଗଦ୍ଦଲରେ ସାଂସଦ ଅର୍ଜୁନ ସିଂହଙ୍କ ଘର ସାମ୍ନାରେ ବୋମା ମାଡ ହୋଇଛି । ରାତି ପାଖାପାଖି 2ଟା ସମୟରେ ଦୁବୃର୍ତ୍ତ ସାଂସଦଙ୍କ ଘରକୁ ବୋମା ମାଡ କରିଥିଲେ, ଯାହାପରେ ଦୋହଲି ଯାଇଥିଲା ଆଖପାଖ ଅଞ୍ଚଳ । ଘଟଣାରେ ତୃଣମୂଳ କଂଗ୍ରେସର ହାତ ଥିବା ଅଭିଯୋଗ କରିଛନ୍ତି ସାଂସଦ ।
ଅର୍ଜୁନ ସିଂହ ପୋଲିସ ଆଗରେ ଅଭିଯୋଗ କରି କହିଛନ୍ତି, ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚାଯାଉଛି । ତେବେ ରାଜ୍ୟରେ ସିଆଇଏସଏଫ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ବେ ସାଂସଦଙ୍କ ଘର ସାମ୍ନାରେ ବୋମା ମାଡକୁ ନେଇ ଉଠିଛି ପ୍ରଶ୍ନ ।