ଅଗରତାଲା: ବିଧାୟକଙ୍କ ଅଜବ କାରନାମା । ବିଧାନସଭାରେ ବସି ଅଶ୍ଲିଳ ଭିଡିଓ ଦେଖିଲେ ବିଧାୟକ । କ୍ୟାମେରାରେ କଏଦ ହେଲା ଦୃଶ୍ୟ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଅଶୋଭନୀୟ ଖବର ସାମ୍ନାକୁ ଆସିଛି ତ୍ରିପୁରାରୁ । ବିଧାୟକ ଯାଦବ ଲାଲ ନାଥ ଆଜି ବିଧାନଭାରେ ଏଭଳି କାରନାମା କରିଥିବା ଅଭିଯୋଗ ହୋଇଛି । ଆସନ ହାତେଇଥିବା ବିଜେପି ବିଧାୟକଙ୍କ ନାଁରେ ଆସିଛି ଏହି ସଙ୍ଗୀନ ଅଭିଯୋଗ । ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ବାଗବାସା ବିଧାୟକ ଯାଦବ ଲାଲ ନିଜ ଚୌକିରେ ବସି ପର୍ଣ୍ଣ ଭିଡିଓ ଦେଖିଥିଲେ ।
ସୂଚନାଅନୁସାରେ, ତ୍ରିପୁରା ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଯାଦବ ଲାଲ ନାଥ ନିଜ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖୁଥିଲେ । ସେହି ସମୟର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଛି । ତେବେ ଏହି ଭିଡିଓ ଆଜିର ହୋଇଥିବା ନେଇ ଦର୍ଶାଯାଇଥିବା ବେଳେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: Tripura Election Results : କ୍ଷମତା ବଜାୟ ରଖିଲା ବିଜେପି, ହାରିଲେ ପ୍ରଦେଶ ଅଧ୍ୟକ୍ଷ
ବାଗବାସାରୁ ବିଧାୟକ ରହିଛନ୍ତି ଯାଦବ ଲାଲ ନାଥ: ଯାଦବ ଲାଲ ନାଥ ବାଗବାସା ନିର୍ବାଚନ ମଣ୍ଡଳୀରୁ ବିଜୟ ପତାକା ଉଡାଇଥିଲେ । ତେବେ ୨୦୧୮ ମସିହା ବିଧାନସଭା ନିର୍ବାଚନରେ ବାଗବାସା ଆସନରୁ ବିଜୟ ହାସଲ କରିପାରି ନଥିଲା ବିଜେପି । ସିପିଏମ ନେତା ବିଜେପିର ପ୍ରଦୀପ କୁମାରଙ୍କୁ ୨୭୦ ଭୋଟରେ ପରାସ୍ତ କରିଥିଲେ । ତେବେ ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି ଯାଦବ ଲାଲ ନାଥଙ୍କ ଉପରେ ବାଜି ଲଗାଇଥିଲା । ସିପିଏମ ବିଜେତା ନାଥଙ୍କ ବିଜୟ ରଥକୁ ଅଟକାଇ ଦେଇଥିଲେ ଯାଦବ ଲାଲ । ସିପିଏମକୁ ୧୪୦୦ରୁ ଅଧିକ ଭୋଟରେ ହରାଇ ବାଜି ମାରିଥିଲେ ।
ପ୍ରକାଶଥାଉକି, ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଣିଥରେ ବାଜି ମାରିଥିଲା ବିଜେପି । ୨୦୧୮ରେ ତ୍ରିପୁରା ଦଖଲ କରିଥିବା ବିଜେପି ୫ବର୍ଷ ପରେ ମଧ୍ୟ କ୍ଷମତା ବଜାୟ ରଖିଥିଲା । ମୋଟ ୬୦ଆସନରୁ ଦଳ ୩୨ଟି ଆସନରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ପାଇଥିଲା । ତେବେ ବାଗବାସା ବିଧାନଭା ଆସନରୁ ସିପିଏମ ଗଡ ଭାଙ୍ଗି ଚର୍ଚ୍ଚାରେ ଥିବା ବିଧାୟକ ଯାଦବ ଲାଲ ନାଥଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ