ନୂଆଦିଲ୍ଲୀ: ଅଗ୍ନିପଥକୁ ଯୋଜନା (Agneepath Violence in Bihar)କୁ ନେଇ ସାରା ଦେଶରେ ଜାରି ରହିଛି ଆଶୀୟ ଯୁବକ ଓ ଛାତ୍ରଛାତ୍ରୀଙ୍କ ଜାରି ରହିଛି ବିକ୍ଷୋଭ । ବିଶେଷ କରି ବିହାରରେ ହଙ୍ଗାମା ପ୍ରତିବାଦ ଜାରି ରହିଛି । ଏହାସହ ବିଜେପି ନେତାଙ୍କୁ ଏବେ ଟାର୍ଗେଟ କରିଛନ୍ତି ଆନ୍ଦୋଳନକାରୀ । ଏହାକୁ ନେଇ ଏବେ ବିଜେପି ନେତାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Home Ministry) ବିଜେପି ନେତାଙ୍କ ସୁରକ୍ଷା ସମୀକ୍ଷା କରି ଆବଶ୍ୟକ ସୁରକ୍ଷା ଯୋଗାଇ ଦେଇଛି ।
ବିଜେପି ନେତାଙ୍କ ସୁରକ୍ଷା ସମୀକ୍ଷା ପରେ 10 ଜଣ ବିଜେପି ନେତାଙ୍କୁ କେନ୍ଦ୍ର ସରକାର ୱାଇ କ୍ୟାଟାଗୋରୀ ସୁରକ୍ଷା (Y category security) ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ବିହାର ଉପ-ମୁଖ୍ୟମନ୍ତ୍ରୀ ରେଣୁକା ଦେବୀ, ଉପ-ମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ, ସାଂସଦ ତଥା ବିହାର ବିଜେପି ମୁଖ୍ୟ ଡ. ସଞ୍ଜୟ ଜୟସ୍ବାଲ, ବିଧାୟକ ହରିଭୂଷଣ ଠାକୁର, ଦରଭଙ୍ଗା ବିଧାୟକ ସଞ୍ଜୟ ସରାୱଗୀ, ସାଂସଦ ପ୍ରଦୀପ ସିଂ, ସାଂସଦ ଗୋପାଳ ଠାକୁର, ଏମଏଲସି ଅଶୋକ ଅଗ୍ରୱାଲ, ଏମଏଲସି ଦିଲ୍ଲୀପ ଜୟସ୍ବାଲ ପ୍ରମୁଖ ଅଛନ୍ତି ।
ଅଗ୍ନିପଥ ଯୋଜନାକୁ ନେଇ ବିହାରରେ ହଙ୍ଗାମାକୁ ନେଇ ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ବାଲ ଅଭିଯୋଗ କରି କହିଥିଲେ ଆନ୍ଦୋଳନରେ ବିଜେପି ନେତାଙ୍କୁ ଆନ୍ଦୋଳନକାରୀ ଟାର୍ଗେଟ କରୁଛନ୍ତି । ଏହାସହ ସେମାନଙ୍କ ସମ୍ପତ୍ତିକୁ କ୍ଷତି ପହଞ୍ଚାଉଛନ୍ତି । ରାଜ୍ୟ ପୋଲିସ କୌଣସି ପଦକ୍ଷେପ ନେଉ ନାହିଁ। ଏପରି ଅଭିଯୋଗ ପରେ କେନ୍ଦ୍ର ସରକାର ଏହି ନେତା ମାନଙ୍କ ସୁରକ୍ଷା ସମୀକ୍ଷା କରିଥିଲେ । ପରେ ସମ୍ପୃକ୍ତ 10 ଜଣ ନେତାଙ୍କୁ ସିଆରପିଏଫ ୱାଇ କ୍ୟାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି ।