ପାଟନା: ବିହାର ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରତିବାଦର ସାମ୍ନା କରିବାକୁ ପଡିଛି । ରାଜଧାନୀ ପାଟନା ବିଶ୍ବବିଦ୍ୟାଳୟକୁ ଆସିଥିବା ନଡ୍ଡାଙ୍କୁ ବାମପନ୍ଥୀ ଛାତ୍ର ସଂଗଠନ AISA ର ସଦସ୍ୟ ବିରୋଧ କରିବା ସହ ଗୋ-ବ୍ୟାକ ଗୋ ବ୍ୟାକ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀ ଛାତ୍ରମାନେ ବିଜେପି ନେତୃତ୍ବାଧୀନ NDA ସରକାର ଆଣିଥିବା ଜାତୀୟ ଶିକ୍ଷା ନୀତି ପ୍ରତ୍ୟାହାର କରିବା ସହ ପାଟନା ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ଷ୍ଟାଟସ ପ୍ରଦାନ କରିବା ପାଇଁ ମଧ୍ୟ ଦାବି କରିଥିବା ଦେଖିବାକୁ ମିଳିଥିଲା ।
ସ୍ଥିତି ଏପରି ହୋଇଥିଲା ଯେ, ନଡ୍ଡା ପ୍ରତିବାଦକାରୀ ଛାତ୍ରଙ୍କ ମଝିରେ ଫସି ଯାଇଥିବା ମଧ୍ୟ ନଜର ଆସିଥିଲା । ସେଠାରେ ଉପସ୍ଥିତ ନଡ୍ଡାଙ୍କ ସୁରକ୍ଷା କର୍ମୀ ଓ ପୋଲିସ ବଳ ଆନ୍ଦୋଳନକାରୀ ଛାତ୍ରଙ୍କୁ ଘଉଡାଇବା ସହ ନଡ୍ଡାଙ୍କୁ ଭିଡରୁ ବାହାର କରିଥିଲେ । ତେବେ ଅନ୍ୟ ଏକ କାରଣ ଅନୁସାରେ, ନୀତିଶ କୁମାରଙ୍କ ଜେଡିୟୁ ନେତୃତ୍ବରେ ବିଜେପି ସମର୍ଥିତ ସରକାର ଶାସନରେ ଥିଲେ ମଧ୍ୟ ବିଜେପି ଓ ଜେଡିୟୁ ମଧ୍ୟରେ ପୂର୍ବ ଭଳି ଭଲ ସମ୍ପର୍କ ନାହିଁ । ପୂର୍ବରୁ ଜେଡିୟୁ ମୁଖ୍ୟ ନୀତିଶ କୁମାର ମଧ୍ୟ ପାଟନା ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ଷ୍ଟାଟସ ଦେବା ପାଇଁ ଦାବି ଉଠାଇଥିଲେ । ତେଣୁ ନଡ୍ଡାଙ୍କ ଗସ୍ତକୁ ଦେଖି ଏପରି କିଛି ଘଟଣା ସୃଷ୍ଟି ହୋଇଥାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ଅନ୍ୟପଟେ ଏପରି ସ୍ଥିତି ପାଇଁ ବିଜେପି ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛି । ପୋଲିସ ଜାଣିଶୁଣି ଆନ୍ଦୋଳନକାରୀଙ୍କୁ ନଡ୍ଡାଙ୍କ ନିକଟକୁ ଯିବାପାଇଁ ସୁଯୋଗ ଦେଇ ଏପରି ସ୍ଥିତି ସୃଷ୍ଟି କରାଇଥିବା ଅଭିଯୋଗ କରିଛି ଦଳ । ନଡ୍ଡା ନିଜେ ଏହି କଲେଜର ଜଣେ ପୂରାତନ ଛାତ୍ର ଥିଲେ ମଧ୍ୟ । ରାଜନୀତି ବିଜ୍ଞାନରେ ସେ ସ୍ନାତକୋତ୍ତର ମଧ୍ୟ ହାସଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ