Rahul Gandhi China Remark: ଚୀନ ପ୍ରତି ରାହୁଲଙ୍କ ଏତେ ଶ୍ରଦ୍ଧାଭାବ କାହଁକି ? ପାଲଟା ପ୍ରଶ୍ନ କଲା ବିଜେପି - ଅଭିଯୋଗକୁ ଭିତ୍ତିହୀନ କହିଲା ବିଜେପି
ଭାରତର ଜାଗାକୁ ଚୀନ ଅକ୍ତିଆର କରିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ଦେଲା ବିଜେପି । ଅଧିକ ପଢନ୍ତୁ


Published : Aug 25, 2023, 6:32 PM IST
ନୂଆଦିଲ୍ଲୀ: ଭାରତର ଜମିକୁ ଚୀନ ଅକ୍ତିଆର କରିଛି ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ଦଳ । ଏହାସହିତ କଂଗ୍ରେସ ଉପରେ ଦଳ ଆକ୍ରମଣ କରିଛି । ଏଭଳି ଭିତ୍ତିହୀନ ଓ ଅବୈଧ ଅଭିଯୋଗ ଆଣିବା ରାହୁଲଙ୍କ ଅଭ୍ୟାସରେ ପରିଣତ ହୋଇଥିବା କହିଛି ବିଜେପି ।
ରାହୁଲଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, "ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କହିଥିଲେ ଯେ ତାଙ୍କ ସରକାର ୧୯୫୨ ମସିହାରେ ଚୀନ ସେନାଙ୍କ ଲାଗି ୩୫୦୦ଟନ୍ ଚାଉଳ ପଠାଇଥିଲା । ଏହି ସମୟରେ ଚୀନ ସହିତ ଭାରତର ସମ୍ପର୍କ ଭଲ ନଥିବା ବେଳେ ଭାରତ ଚାଉଳ ରପ୍ତାନୀ କରିଥିଲା । ପ୍ରଧାନମନ୍ତ୍ରୀ ଆସିବା ପରେ ଚୀନ କୂଟନୈତିକ କ୍ଷେତ୍ରରେ ଦୁର୍ବଳ ହୋଇପଡ଼ିଛି । ହେଲେ ଚୀନ ପ୍ରତି ରାହୁଲ ଗାନ୍ଧୀଙ୍କ ଏତେ ଶ୍ରଦ୍ଧାଭାବ କାହଁକି ଆସୁଛି ? ଏହା କଣ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ମିଳିଥିବା ଡୋନେସନ ନା ଚୀନ କମ୍ୟୁନିଷ୍ଟ ପାର୍ଟି ସହିତ ହୋଇଥିବା ବୁଝାମଣାର ପରିଣାମ ?"
ଏହାସହିତ ବିଜେପି ମୁଖପାତ୍ର ସୁଧାଂଶୁ ଚୀନର କମ୍ୟୁନିଷ୍ଟ ପାର୍ଟି ସହିତ କଂଗ୍ରେସର ହୋଇଥିବା ବୁଝାମଣା ପତ୍ରକୁ ସାର୍ବଜନୀନ କରିବା ଲାଗି ମଧ୍ୟ ପ୍ରେସ କନଫରେନ୍ସରେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସାମରିକ, କୂଟନୈତିକ ଓ ଆର୍ଥିକ କ୍ଷେତ୍ରରେ ଭାରତ ଐତିହାସିକ ଉପଲବ୍ଧି ହାସଲ କରିଛି । ଚୀନର ଅନେକ ଷଡ଼ଯନ୍ତ୍ର ପରେ ମଧ୍ୟ ବିଶ୍ବ ସ୍ତରରେ ଭାରତର ଆଧିପତ୍ୟ ବୃଦ୍ଧି ପାଇଛି ।
ରାହୁଲ ଗାନ୍ଧୀଙ୍କ RSS ମନ୍ତବ୍ୟକୁ ନେଇ ସୁଧାଂଶୁ କହିଛନ୍ତି, "ପଣ୍ଡିତ ଜବାବହରଲାଲ ନେହେରୁ ଚାୀନ ଯୁଦ୍ଧ ସମୟରେ ଆରଏସଏସର ସହାୟତାକୁ ପ୍ରଶଂସା କରିଥିଲେ । ସଂଘକୁ ଜାନୁଆରୀ ୨୬ ତାରିଖ ପରେଡରେ ସାମିଲ କରିଥିଲେ । ମାତ୍ର କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳ ହିସାବରେ ନିଜ ଭୂମିକା ତୁଲାଇପାରୁନାହିଁ , ବରଂ ବିରୋଧୀ ଭାବେ ଦେଶକୁ ସବୁବେଳେ ଦୁର୍ବଳ କରିବା ଲାଗି ଉଦ୍ୟମ କରୁଛି । "
ସୂଚନା ଥାଉ କି ଶୁକ୍ରବାର ରାହୁଲ ଗାନ୍ଧୀ କାର୍ଗିଲରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ବିଜେପି ସରକାର ଉପରେ ବର୍ଷିଛନ୍ତି । ଏହି ସଭାରେ ସେ ଅଭିଯୋଗ କରିଛନ୍ତି ଯେ ଚୀନ ଭାରତର ଜମିକୁ ଅକ୍ତିଆର କରିଛି । ହେଲେ ଏପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଚୀନ ଭାରତର ଇଞ୍ଚେ ଜମିକୁ ମଧ୍ୟ ନେଇପାରିବ ନାହିଁ । ଯାହାକି ସମ୍ପୂର୍ଣ୍ଣ ମିଥ୍ୟା । ରାହୁଲଙ୍କ ଏହି ଅଭିଯୋଗ ପରେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ପ୍ରେସମିଟ କରି ପାଲଟା ଜବାବ ଦେଇଛନ୍ତି ।