ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି । ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଆଜି ଚାରୋଟି ରାଜ୍ୟ ପାଇଁ ନୂତନ ନିର୍ବାଚନ ପ୍ରଭାରୀଙ୍କୁ ଦାୟିତ୍ଵ ଦିଆଯାଇଛି। ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ପାଇଁ ୪ ଜଣ ନିର୍ବାଚନ ପ୍ରଭାରୀଙ୍କୁ ନିଯୁକ୍ତ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଏହି ଦାୟିତ୍ବ ଦେଇଛନ୍ତି ।
ଆଗକୁ ରହିଛି ୪ ଗୁରୁତ୍ବପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ । ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ଜନତା ପାର୍ଟି । ୪ ରାଜ୍ୟ ପାଇଁ ୪ ଜଣ ନିର୍ବାଚନ ପ୍ରଭାରୀ ଓ ୫ ଜଣ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଏହି ଦାୟିତ୍ବ ଦେଇଛନ୍ତି । ରାଜସ୍ଥାନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ଵ ଦିଆଯାଇଥିବା ବେଳେ ଗୁଜରାଟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ କୁଲଦୀପ ବିଷ୍ଣୋଇଙ୍କୁ ସହ-ପ୍ରଭାରୀ ଭାବେ ଦାୟିତ୍ଵ ଦିଆଯାଇଛି। ସେହିପରି ଛତ୍ତିଶଗଡ଼ରେ ଓମ ପ୍ରକାଶ ମାଥୁରଙ୍କୁ ନିର୍ବାଚନ ପ୍ରଭାରୀ କରାଯାଇଛି । ତା' ସହିତ ମନସୁଖ ମାଣ୍ଡଭ୍ୟଙ୍କୁ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି ।
ଏହା ବି ପଢନ୍ତୁ- Rajasthan polls: ଦିଲ୍ଲୀରେ ତୁଟିବ ରାଜସ୍ଥାନ କଳି ! କଂଗ୍ରେସ ବୈଠକରେ ଗେହେଲଟ-ପାଇଲଟ ଉପସ୍ଥିତ
ମଧ୍ୟପ୍ରଦେଶ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନିର୍ବାଚନ ପ୍ରଭାରୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନିର୍ବାଚନ ସହପ୍ରଭାରୀ ଭାବେ ଦାୟିତ୍ବ ମିଳିଛି । ବିଜେପି ସାଂସଦ ପ୍ରକାଶ ଜାଭେଦକରଙ୍କୁ ତେଲେଙ୍ଗାନା ଦାୟିତ୍ଵ ଏବଂ ସୁନିଲ ବଂଶଲଙ୍କୁ ତେଲେଙ୍ଗାନାର ସହପ୍ରଭାରୀ ଭାବେ ଦିଆଯାଇଛି । ସେହିପରି ଗୌହାଟୀରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।
ଏହା ବି ପଢନ୍ତୁ- MP Assembly Poll: କର୍ଣ୍ଣାଟକ ପରେ ମଧ୍ୟ ପ୍ରଦେଶ, ରାହୁଲ କହିଲେ 150ରୁ ଅଧିକ ଆସନ ଜିତିବୁ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସଠୁ ପରାଜିତ ହେବା ପରେ ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ବିଜେପି ରଣନୀତି ପ୍ରସ୍ତୁତି କରିଛି । ଏହି କ୍ରମରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି ଶକ୍ତିଶାଳୀ ବିଜେପି । ଏହି 4 ରାଜ୍ୟ ସହିତ ମିଜୋରାମରେ ମଧ୍ୟ ଅକ୍ଟୋବର-ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଜାଭେଦକର ତେଲେଙ୍ଗାନାରେ ସହ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, " ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପି ଲାଗି ଲୋକଙ୍କ ମନ ପରିବର୍ତ୍ତନ ହୋଇଛି । ଆମେ ବିଧାନସଭା ନିର୍ବାଚନରେ ନିଶ୍ଚିତ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବୁ ।"