ଭୋପାଳ: କୋଭିଡ଼ ନିୟମ ଉଲ୍ଳଂଘନ ଦଣ୍ଡରୁ ବାଦ ପଡିନି କୁକୁର। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରର ପଲାସିଆ ଅଞ୍ଚଳରୁ ଗୋଟିଏ କୁକୁରକୁ ଗିରଫ କରିଛି ପୋଲିସ । ଏହି ଅସାଧାରଣ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟିବା ପରେ ଇନ୍ଦୋର ଜିଲ୍ଲାପାଳ ଲକଡାଉନକୁ ନିୟମକୁ କଡାକଡି ଲାଗୁ କରିବା ପାଇଁ ଗତ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ । ତେବେ ଲକଡାଉନ ସମୟରେ ସ୍ଥାନୀୟ ଅଞ୍ଚଳରେ ଜଣେ ଲୋକ ନିଜ ପାଳିତ କୁକୁରକୁ ନେଇ ରାସ୍ତାରେ ଯାଉଥିବା ସମୟରେ ପୋଲିସ ତାଙ୍କୁ ଅଟକ ରଖିଥିଲା । ଲକଡାଉନ ସମୟରେ ଘରେ ନ ରହି ରାସ୍ତାରେ ବୁଲୁଥିବାରୁ ଉକ୍ତ ବ୍ୟକ୍ତିଙ୍କ ସମେତ କୁକୁରକୁ ମଧ୍ୟ ଗିରଫ କରିଥିବା ଜଣାପଡିଛି ।
ବର୍ତ୍ତମାନ ପୋଲିସ ଉଭୟଙ୍କୁ ଥାନାରେ ଅଟକ ରଖିଛି । ବ୍ୟକ୍ତି ଜଣକ ପୋଲିସ ନିକଟରେ ନିବେଦନ କରିବା ପରେ ପୋଲିସ ତାଙ୍କ କୁକୁରକୁ ମୁକ୍ତ କରିଥିଲା । ତେବେ ଲକଡାଉନ ସମୟରେ ପଶୁକୁ ମଧ୍ୟ ରାସ୍ତାରେ ବୁଲିବାକୁ ନ ଦେବାକୁ ଥାନା ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ସମେତ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ସାଜିଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ