ରାୟପୁର: କଂଗ୍ରେସ ଶାସିତ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର କ୍ୟାମ୍ପେନ ଆରମ୍ଭ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେ । ଆଜି ଜାଙ୍ଗିର-ଚମ୍ପା ଜିଲ୍ଲାରେ ଆୟୋଜିତ ‘ଭରସାର ସମ୍ମିଳନୀ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଧିବଦ୍ଧ ଭାବେ ନିର୍ବାଚନୀ ଶଙ୍ଖ ଫୁଙ୍କିଛନ୍ତି ଖଡଗେ । କର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ଖଡଗେ ମଣିପୁର ହିଂସା ପ୍ରସଙ୍ଗ ଉଠାଇ ପ୍ରଥମରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ମଣିପୁର ପ୍ରସଙ୍ଗରେ ସଂସଦରେ ଦଳୀୟ ନେତା ରାହୁଲ ଗାନ୍ଧୀ ଯେଉଁ ପ୍ରଶ୍ନ କରିଥିଲେ, ସେନେଇ ପ୍ରଧାନମନ୍ତ୍ରୀ ଉତ୍ତର ରଖିପାରିଲେ ନାହିଁ ବରଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହୁରଙ୍କୁ ଅଟ୍ଟହାସ୍ୟ କଲେ ବୋଲି ଖଡଗେ କହିଛନ୍ତି ।
କର୍ଯ୍ୟକ୍ରମକୁ ସମ୍ବୋଧିତ କରି ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, "ସେମାନେ (ବିଜେପି) ଛତିଶଗଡରେ ବିକାଶର କଥା କହୁଛନ୍ତି । ହେଲେ ବିକାଶ କି’ଏ କରିଛି, ତାହା ସମସ୍ତେ ଜାଣନ୍ତି । ମୋଦି-ଶାହ ଯେଉଁ ସ୍କୁଲରେ ପାଠ ପଢିଛନ୍ତି ତାହା କଂଗ୍ରେସ ସମୟରେ ନିର୍ମିତ ହୋଇଛି । ସେମାନେ କ’ଣ ବଦେଶରୁ ପାଠ ପଢି ଫେରିଥିଲେ । ଏବେ ସେମାନେ ପ୍ରଶ୍ନ କରୁଛନ୍ତି, 70 ବର୍ଷ ଶାସନରେ କଂଗ୍ରେସ ଦେଶରେ କରିଛି କ’ଣ । ସଂସଦରେ ପ୍ରଧାନମନ୍ତ୍ରୀ ରାହୁଲଙ୍କ ପ୍ରଶ୍ନର ଉତ୍ତର ରଖିପାରିଲେନି । ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହୁରୁଙ୍କୁ ନେଇ କଟାକ୍ଷ କଲେ ।"
ସେହିପରି ଖଡଗେ, ଛତିଶଗଡ଼ରେ ଦଳ ପୁଣି ଥରେ ବିଧାନସଭା ନିର୍ବାଚନରେ ଜିତି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା କହିଛନ୍ତି । ଆଗାମୀ ଲୋକସଭା ନିର୍ବାଚନ (2024) ରେ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ିଛନ୍ତି । ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶକୁ ଧ୍ବଂସ କରିବାକୁ ଚାହୁଁଛି । ସମସ୍ତଙ୍କୁ ଦେଶ, ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ ବୋଲି ଖଡ଼ଗେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :-‘BJP ସହ କଦାପି ମିଶିବୁ ନାହିଁ’: ଅଜିତଙ୍କ ସହ ବୈଠକର ଗୋଟିଏ ଦିନ ପରେ ଶରଦଙ୍କ ସ୍ପଷ୍ଟୋକ୍ତି
ଚଳିତ ବର୍ଷ ନଭେମ୍ବରରେ କଂଗ୍ରେସ ଶାସିତ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଠାରେ କଂଗ୍ରେସ ଶାସନ ବଜାୟ ରଖିବାକୁ ସମସ୍ତ ପ୍ରୟାସ ଆରମ୍ଭ କରିସାରିଛି । ଖଡଗେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଉତ୍ତର ରାଜ୍ୟ ହିମାଚଳ ପ୍ରଦେଶ ଓ ଦକ୍ଷିଣରେ କର୍ଣ୍ଣାଟକରେ ଦଳ ଭାରତୀୟ ଜନତା ପାର୍ଟିକୁ ମାତ ଦେଇ କ୍ଷମତାକୁ ଫେରିଛି । ସେହି ସଫଳତାର ଧାରା ଜାରି ରଖିବା ସହ ପଶ୍ଚିମ କଂଗ୍ରେସ ଶାସିତ ରାଜସ୍ଥାନ ଓ ହିନ୍ଦି ହାର୍ଟଲାଣ୍ଡ ରାଜ୍ୟ ଛତିଶଗଡ଼ରେ ଦଳ କ୍ଷମତା ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି । 2024 ପୂର୍ବରୁ ହେଉଥିବା ଏହି ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ନିଜ ଗଡରେ କ୍ଷମତା ବଞ୍ଚାଇ ରଖିଲେ ଜାତୀୟ ରାଜନୀତିରେ ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ ଅଣ୍ଟା ଭିଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ