ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଲିଆ ଜିଲ୍ଲା ଅନ୍ତର୍ଗତ ନାଗଓ୍ବା ଗାଁରେ ଅଭାବନୀୟ ଘଟଣା । ଦୁର୍ବ୍ୟବହାରର ବିରୋଧ କରିବାରୁ ଯୁବତୀଙ୍କୁ ଜିଅଁନ୍ତା ଜାଳିଲା ପଡୋଶୀ ଘର ଯୁବକ । ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଜଣାପଡିଛି ।
ସୂଚନା ଅନୁଯାୟୀ, ଯୁବତୀ ଜଣକ କୋଚିଂ ଯାଉଥିବା ସମୟରେ ପଡୋଶୀ ଯୁବକ ତାଙ୍କୁ ପ୍ରତିଦିନ ହଇରାଣ କରୁଥିଲା । ତା' କଥା ନ ମାନିଲେ ବର୍ବାଦ କରିବାକୁ ମଧ୍ୟ ଧମକ ଦେଇଥିଲା । ତେବେ ଛାତ୍ରୀ ଆଜି କୋଚିଂକୁ ଯାଉଥିବା ବେଳେ ସଂପୃକ୍ତ ଯୁବକ ତାଙ୍କ ସହ ଅସଦାଚରଣ କରିଥିଲା । ଯାହାକୁ ଛାତ୍ରୀ ଜଣକ ବିରୋଧ କରିଥିଲେ । ଏଥିରେ ରାଗି ଯାଇ ଅଭିଯୁକ୍ତ ଯୁବତୀଙ୍କ ଘରେ ପହଞ୍ଚି କିରୋସିନ ଢାଳି ତାଙ୍କୁ ନିଆଁ ଲଗାଇ ଦେଇଥିଲା । ଝିଅକୁ ବଞ୍ଚାଇବାକୁ ଯାଇ ତାଙ୍କ ବାପା ମଧ୍ୟ ନିଆଁକୁ ଡେଇଁ ପଡିଥିଲେ । ତେବେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ଶରୀରର ଅଧିକାଂଶ ଭାଗ ପୋଡି ଯାଇଥିବାରୁ ସେ ଏବେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ