ଲକ୍ଷ୍ନୌ: କୋରୋନା ମହାମାରୀ କାରଣରୁ ଦେଶରେ ଜାରି ରହିଛି ଲକଡାଉନ । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ହେଲେ, କେତେକ ରାଜ୍ୟରେ ଲକଡାଉନ ନିୟମକୁ କୋହଳ କରିଛନ୍ତି ବିଭିନ୍ନ ରାଜ୍ୟ ସରକାର । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଠାରୁ ଉତ୍ତରପ୍ରଦେଶର ସବୁଜ ଜୋନ୍ ଜିଲ୍ଲା ଗୁଡିକରେ ବସ୍ ଚଳାଚଳ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ୟୁପି ରାଜ୍ୟ ସଡ଼କ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜ ଶେଖର କହିଛନ୍ତି ଯେ ଗ୍ରୀନ ଜୋନ ଅଞ୍ଚଳରେ କେବଳ ବସ ଚଳାଚଳ କରିବ । ଗ୍ରୀନ ଜୋନରେ ଦୁଇଟି ଜିଲ୍ଲା ମଧ୍ୟରେ ବସ୍ ଚଳାଚଳ କରିବ ବୋଲି ସେ କହିଛନ୍ତି । ତେବେ ବସରେ ଯାତ୍ରା କରିବା ସମୟରେ ସମସ୍ତ ଯାତ୍ରୀ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି ।
ଏପରିକି, ଯେଉଁ ମାନଙ୍କ ପାଖରେ ମାସ୍କ ନଥିବ ସେମାନଙ୍କୁ ବସରେ ଚଢିବାକୁ ଅନୁମତି ଦିଆଯିବ ନାହିଁ । ବସରେ ଯାତ୍ରା କରିବା ପୂର୍ବରୁ ହାତକୁ ଭଲ ଭାବରେ ସାନିଟାଇଜ କରିବା ପାଇଁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବସରେ ଯାତ୍ରୀ ଯାତ୍ରା କରିବେ । ବସରେ ଥିବ କଣ୍ଡକ୍ଟର ଓ ଡ୍ରାଇଭର ଗ୍ଲୋବସ ଓ ମାସ୍କ ବ୍ୟବହାର କରିବା ପାଇଁ କୁହାଯାଇଛି । ତେବେ ଯାତ୍ରା କରୁଥିବା ବସ ଗୁଡିକୁ ଦିନକୁ ଦୁଇ ଥର ସାନିଟାଇଜ କରାଯିବ ବୋଲି ସୂଚନା ରହିଛି ।
ସୌଜନ୍ୟ IANS