ନୂଆଦିଲ୍ଲୀ: ଚାହୁଁଚାହୁଁ ବିତିଗଲା ବର୍ଷ 2020 । ବର୍ଷ ଆରମ୍ଭରୁ ସବୁ କିଛି ଠିକଠାକ ଚାଲିଥିଲା । କିନ୍ତୁ କିଏ ଜାଣିଥିଲା ବର୍ଷ 2020ର ଚିତ୍ର ବଦଳାଇ ଦେବ କୋଭିଡ-19 ଭଳି ଏକ ମହାମାରୀ । କୋରୋନା ଭାଇରସ, ସେହି ସମୟରେ ନାଁ ଟା ଶୁଣିବାକୁ ଯେତିକି ନୂଆ ଲାଗୁଥିଲା, ଏହାର ଭୟାବହତା ଏବେ ବିଶ୍ବବାସୀଙ୍କୁ ଦୋହଲାଇ ଦେଇଛି । ଚୀନରେ କେତେ କ'ଣ ରୋଗ ହେଉଛି, ତାହା ଭାରତ ଭଳି ଦେଶରେ କାହିଁକି ପ୍ରଭାବ ପକାଇବ ? ଏହି ମନୋଭାବ ନେଇ ଦେଶବାସୀ ନିଶ୍ଚିତ ହୋଇ ରହିଥିଲେ । କିନ୍ତୁ ଚାହୁଁଚାହୁଁ ବଦଳିଗଲା ସ୍ଥିତି, ପରିସ୍ଥିତି । କୋରୋନା ନ ବ୍ୟାପିବା ପାଇଁ ଜାରି ହେଲା ଲକଡାଉନ । ଚକଅଖ ସବୁ ବନ୍ଦ । ଜରୁରୀକାଳୀନ ସଂସ୍ଥାକୁ ବାଦ ଦେଲେ ସବୁଠି ଝୁଲିଲା ତାଲା । ବେକାରୀ ସମସ୍ୟା ସହ ଜୁଝି ନପାରି ଘରବାହୁଡା ହେଲେ ପ୍ରବାସୀ ଶ୍ରମିକ । ହଜାର ହଜାର କିଲୋମିଟର ଚାଲିଚାଲି ଘରେ ପହଞ୍ଚିଲେ ଲକ୍ଷ ଲକ୍ଷ ଶ୍ରମିକ । ଦୁଃଖ ସେତିକିରେ ସରିନଥିଲା । ହଜାର ହଜାର କୁନିକୁନି ପାଦ ଘରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଆଖି ବୁଜିଥିଲେ ।
କେଉଁଠୁ ଓ କେମିତି ଆରମ୍ଭ ହେଲା କୋରୋନା ଭାଇରସ ସଂକ୍ରମଣ ?
2019 ମସିହା ଡିସେମ୍ବର 31 ତାରିଖରେ ଚୀନର ଉହାନ ସହରରେ ପ୍ରଥମ କରି ଏହି ଭାଇରସ ସଂକ୍ରମଣ ହୋଇଥିଲା। ସାରସ ଭାଇରସ ଭଳି ଏହି ଭାଇରସ ଲକ୍ଷଣ ଥିବାରୁ ଏହାକୁ ସାରସ-2 ନୋଭେଲ କୋରୋନା ଭାଇରସ ନାମ ଦିଆଯାଇଥିଲା। ଏହି ମାରାତ୍ମକ ଭାଇରସ ପାଇଁ କୌଣସି ଔଷଧ ନଥିଲା। କୋରୋନା ଭାଇରସ ଠାରୁ ବର୍ତ୍ତିବାର ଗୋଟିଏ ମାତ୍ର ଉପାୟ ରହିଥିଲା, ତାହା ହେଉଛି ଦୂରତା ଅବଲମ୍ବନ। ଜାନୁଆରୀ 23 ରେ ପ୍ରଥମ ଥର ହୁୱେଇ ଓ ଉହାନକୁ କରାଯାଇଥିଲା ଲକଡାଉନ । ଏହି ଭାଇରସର କେଉଁଠାରୁ ସୃଷ୍ଟି ତାହା ଆଜି ଯାଏଁ ଅସ୍ପଷ୍ଟ। ବାଦୁଡ଼ି ଠାରୁ ସୃଷ୍ଟି ହୋଇଥିବା ସାର୍ସ ଭାଇରସ ସହ ଏହି ନୋଭେଲ କୋରୋନା ଭାଇରସ 70 ପ୍ରତିଶତ ମେଳ ଖାଉଥିଲା। ଏହାସହ ଓଟରୁ ସୃଷ୍ଟି ହୋଇଥିବା ମେର୍ସ ଭାଇରସ ସହ କୋରୋନା ଭାଇରସ 30 ପ୍ରତିଶତ ମେଳ ଖାଉଥିଲା । ଚୀନରେ ଏକ ଗବେଷଣା କେନ୍ଦ୍ରରେ ଜୈବିକ ଅସ୍ତ୍ର ତିଆରି ବେଳେ ଏହି ଭାଇରସ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ନେଇ କୌଣସି ଯୁକ୍ତିଯୁକ୍ତ ପ୍ରମାଣ ମିଳିପାରିନାହିଁ।
![year 2020 comes to end with the fear of covid 19 and labour migration](https://etvbharatimages.akamaized.net/etvbharat/prod-images/9979838_lockown.jpg)
ଭାରତରେ କୋରୋନା ସଂକ୍ରମଣ
ଜାନୁଆରୀ 30 ତାରିଖରେ ଦେଶରେ ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। କେରଳରେ ଚିହ୍ନଟ ହୋଇଥିବା କୋରୋନା ସଂକ୍ରମିତ ଚୀନର ଉହାନ ସହରରୁ ଫେରିଥିଲେ। ସେ ସେଠାରେ ରହି ପାଠ ପଢ଼ୁଥିଲେ। ଏହାପରେ ଫେବୃଆରୀ 2 ତାରିଖରେ ଦେଶରେ ଦ୍ବିତୀୟ କୋରୋନା ସଂକ୍ରମିତ ପୁନଃ କେରଳରେ ହିଁ ଚିହ୍ନଟ ହୋଇଥିଲେ। ଜଣଙ୍କ ପରେ ଜଣେ ଭାରତରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଥିଲା। ମାର୍ଚ୍ଚ 12ରେ ଦେଶରେ ପ୍ରଥମ କୋରନା ସଂକ୍ରମିତଙ୍କ ମୃ୍ତ୍ୟୁ ହୋଇଥିଲା। ମୃତ ବ୍ୟକ୍ତି ଜଣକ କର୍ଣ୍ଣାଟକର କଳାବୁର୍ଗି ଜିଲ୍ଲାର ହୋଇଥିବା ପରେ ପ୍ରଥମ କୋରୋନା ମୃତ୍ୟୁ ପରେ ଦେଶରେ ଭୟର ବାତାବରଣ ଖେଳି ଯାଇଥିଲା ।ମାର୍ଚ୍ଚ 16ରେ ରାଜ୍ୟରେ ପ୍ରଥମ କୋରୋନା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସଂକ୍ରମିତ ଯୁବକ ଜଣକ ସେହି ମାସରେ ଇଟାଲୀରୁ ଫେରି ଘରେ ଥିଲେ ଏବଂ କିଛି ଦିନ ପରେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ତେବେ ରାଜ୍ୟରେ ପ୍ରଥମେ ଭୁବନଶ୍ବର ଓ ରାଉରକେଲାକୁ ମିଶାଇ 5ଟି ସହର ଲକଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର ।
![year 2020 comes to end with the fear of covid 19 and labour migration](https://etvbharatimages.akamaized.net/etvbharat/prod-images/9979838_lockdown.jpg)
ଦେଶରେ ଲକଡାଉନ ଘୋଷଣା
ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସ ଟୀକାକୁ ନେଇ ପରୀକ୍ଷା ଚାଲିଛି । କୋରୋନା ମୁକାବିଲା ପାଇଁ ଲକଡାଉନ ଛଡା ସରକାରଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା । ପରୀକ୍ଷା ମୂଳକ ଭାବେ ମାର୍ଚ୍ଚ 22 ତାରିଖରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ରକ୍ଷା କରି ଦେଶବାସୀ ବି ଜନତା କର୍ଫ୍ୟୁକୁ ସଫଳ କରାଇଥିଲେ। ତେବେ ଦେଶରେ କୋରୋନା ସଂକ୍ରମଣ ବଢିବାକୁ ଲାଗିବାରୁ ମାର୍ଚ୍ଚ 24ରେ ପ୍ରଧାନମନ୍ତ୍ରୀ 21 ଦିନିଆ ଲକଡାଉନ ଘୋଷଣା କରିଥିଲେ। ଏହାପରେ ମାର୍ଚ୍ଚ 25 ରୁ ଏପ୍ରିଲ 14 ଯାଏଁ ଦେଶରେ ବସ, ଟ୍ରେନ ଓ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। କେବଳ ଜରୁରୀ ସେବା କାର୍ଯ୍ୟାଳୟ ଓ ସଂସ୍ଥାକୁ ଛାଡ଼ି ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର।
ଲକଡାଉନ ବଢାଇଲା ପ୍ରବାସୀ ସମସ୍ୟା
ଲକଡାଉନ ପରେ ବିଭିନ୍ନ ସଂସ୍ଥା ବନ୍ଦ ହୋଇଯାଇଥିଲା। କର୍ମଭୂମି ଛାଡି ଜନ୍ମଭୂମି ମୁହାଁ ହେଲେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକ । ତେବେ ଲକଡାଉନରେ ଗାଡ଼ି ମୋଟର ଚଳାଚଳ ବନ୍ଦ ଥିବାରୁ କେହି ଚାଲି ଚାଲି ହଜାର ହଜାର ମାଇଲ ଅତିକ୍ରମ କଲେ ତ କିଏ ଖଣ୍ଡିଏ ସାଇକେଲ ଧରି ବାହାରି ପଡ଼ିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସର ଦାଉ ଦାଉ ଖରାରେ କେବଳ ଯେ ପାଦ ଥକିପଡି ଥିଲା ତାହା ନୁହେଁ ଅନାହାରରେ ଅନେକଙ୍କ ମୃତ୍ୟୁ ହୋଇଥିଲା। ପୁଣି କେତେକ ଶ୍ରମିକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏସବୁ ଖବର ସତ୍ତ୍ବେ ପ୍ରବାସୀ ଶ୍ରମିକ ନିରନ୍ତର ଭାବେ ବିଭିନ୍ନ ରାଜ୍ୟରୁ ଘରକୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ପ୍ରାୟ 3 ଶହରୁ ଅଧିକ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସରକାର ସୂଚନା ଦେଇଛନ୍ତି । ଏପଟେ ସାଉଦି ଆରବ, ଦୁବାଇ, ଇଟାଲୀ ଓ ଓମାନ ଭଳି ଦେଶରେ କୋରୋନା ଲକଡାଉନରେ ଫସିଥିବା ଭାରତୀୟ ଭିଡିଓ ଭାଇରାଲ କରି ଉଦ୍ଧାର କରିବାକୁ ସରକାରଙ୍କୁ ନିବେଦନ କରିଥିଲେ । ଏହାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହାପରେ ‘ବନ୍ଦେ ଭାରତ’ ଓ ‘ସମୁଦ୍ର ସେତୁ’ ମିଶନରେ ଲକ୍ଷ ଲକ୍ଷ ଭାରତୀୟ ଫେରିଥିଲେ ସ୍ବଦେଶ ।
![year 2020 comes to end with the fear of covid 19 and labour migration](https://etvbharatimages.akamaized.net/etvbharat/prod-images/9979838_lockdown_3.jpg)
ଜୀବନ ନେଲା ଲକଡାଉନ
ମେ' 8ରେ ମହାରାଷ୍ଟ୍ର ଔରଙ୍ଗାବାଦ ରେଳ ଲାଇନରେ ପ୍ରବାସୀ ବିଶ୍ରାମ ନେବା ବେଳେ ଏକ ମାଲବାହୀ ଟ୍ରେନ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ 16 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ରର ଏକ ଷ୍ଟିଲ କମ୍ପାନୀରେ କାମ କରୁଥିବା ମୃତ ଶ୍ରମିକମାନେ ରୋଜଗାର ହରାଇ ଗାଁକୁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାୟ 150 କିଲୋମିଟର ଚାଲି ଚାଲି କ୍ଲାନ୍ତ ହେବାପରେ ରେଳଲାଇନରେ ବିଶ୍ରାମ ନେଉଥିଲେ।ସେହିପରି କେତେକ ଶ୍ରମିକଙ୍କ ଅଂଶୁଘାତରୁ ମୃତ୍ୟୁ ହୋଇଥିଲା। ପ୍ରବାସୀଙ୍କ ମଧ୍ୟରେ ଅଧିକାଂଶ ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବାସିନ୍ଦା ରହିଥିଲେ। ଓଡ଼ିଶାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସୁରଟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାଛଡ଼ା ଗୋଟିଏ ଜିଲ୍ଲାରୁ ଆଉ ଏକ ଜିଲ୍ଲାକୁ ଯିବାକୁ ବେଳେ ମଧ୍ୟ ବହୁ ଶ୍ରମିକ ପ୍ରାଣ ହରାଇଥିବା ଖବର ମିଳିଥିଲା। ଲକଡାଉନ ବେଳେ ବିଭିନ୍ନ କାରଣରୁ 383 ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ରିପୋର୍ଟ ରହିଛି।
![year 2020 comes to end with the fear of covid 19 and labour migration](https://etvbharatimages.akamaized.net/etvbharat/prod-images/9979838_lockdown_kf-2.jpg)
ଲକଡାଉନରେ ଦେବଦୂତ ସୋନୁ-ସବ୍ୟସାଚୀ
ଲକଡାଉନ ଯୋଗୁଁ ପ୍ରବାସୀମାନେ ଯେତେବେଳେ ନିଜ ଘରକୁ ଫେରିବା ପାଇଁ ଡହଲ ବିକଳ ହେଉଥିଲେ ସେତେବେଳେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ଏଭଳି ସଙ୍କଟ ସମୟରେ ନିଜ ଜୀବନକୁ ଖାତିର ନକରି ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇବାକୁ ଅଣ୍ଟା ଭିଡ଼ିଥିଲେ ସୋନୁ। କେବଳ ଯେ ମୁମ୍ବାଇ ନୁହେଁ, ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଟ୍ରେନ ଓ ବିମାନ ଯୋଗେ ଘରକୁ ପଠାଇବାକୁ ବ୍ୟବସ୍ଥା କରାଇଥିଲେ ସୋନୁ। କେରଳରେ ଫସିଥିବା କେନ୍ଦ୍ରାପଡାର କିଛି ମହିଳାଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ ସୋନୁ । ସେହିପରି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ସୋନୁଙ୍କ ରାସ୍ତା ଆପଣାଇଥିଲେ । ଲକଡାଉନ ପାଇଁ ବାହାର ରାଜ୍ୟ ଓ ଦେଶରେ ଫସିଥିବା ଓଡିଆଙ୍କୁ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଥିଲେ ସବ୍ୟ । ପ୍ରବାସୀଙ୍କ ପାଇଁ ସରକାରଙ୍କ ଯୋଜନାଘରବାହୁଡା ଲକ୍ଷ ଲକ୍ଷ ପ୍ରବାସୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଆହାର ବ୍ୟବସ୍ଥା କରିଥିଲେ। ଏହାସହ ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ କୋରୋନା କଟକଣା ସହ ବିଶ୍ରାମ ପାଇଁ ଆଶ୍ରୟସ୍ଥଳୀ କରାଯାଇଥିଲା। ସେହିପରି ପ୍ରବାସୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଥିଲେ କେନ୍ଦ୍ର ସରକାର। ଏହି ଟ୍ରେନରେ ଶ୍ରମିକମାନେ ପଞ୍ଜୀକରଣ କରି ନିଜ ନିଜ ଘରକୁ ଫେରି ପାରିଥିଲେ। ଏହି ସମୟରେ ମଧ୍ୟ କେତେକ ଅବ୍ୟବସ୍ଥା ଯୋଗୁଁ ବିଭିନ୍ନ ରେଳ ଷ୍ଟେସନରେ ଶ୍ରମିକଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା। ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ସେମାନଙ୍କ ଘରକୁ ଫେରାଇ ନେବା ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରି ସ୍ବତନ୍ତ୍ର ବସ ଚଳାଚଳ ଆରମ୍ଭ ହୋଇଥିଲା। ଏହି ବ୍ୟବସ୍ଥା ଯୋଗୁଁ ହାଇଦ୍ରାବାଦ, ସୁରତ ଓ ମୁମ୍ବାଇ ଭଳି ସ୍ଥାନରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନେ ନିଜ ନିଜ ଘରକୁ ଫେରି ପାରିଥିଲେ।
![year 2020 comes to end with the fear of covid 19 and labour migration](https://etvbharatimages.akamaized.net/etvbharat/prod-images/9979838_lockdown_kf-1.jpg)
ବର୍ତ୍ତମାନ କୋରୋନା ସ୍ଥିତି
କୋରୋନା ମହାମାରୀ ଭୟ ମଧ୍ୟରେ 2020 ବର୍ଷ ଶେଷ ହେବାକୁ ବସିଛି। ଚାରୋଟି ଲକଡାଉନ ପରେ ଦେଶରେ ଅନଲକ ଆରମ୍ଭ ହୋଇଛି। ବର୍ତ୍ତମାନ ଦେଶରେ ଅନଲକ 7ର ଗାଇଡଲାଇନ ଜାରି ହୋଇଛି। ଏହା ସତ୍ତ୍ବେ କୌଣସି ଶିକ୍ଷାନୁଷ୍ଠାନ ଖୋଲା ଯାଇପାରିନାହିଁ। କେତେକ ରାଜ୍ୟରେ ସ୍କୁଲ ଖୋଲା ଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଏହାକୁ ବନ୍ଦ କରାଯାଇଛି । ଓଡ଼ିଶାରେ ଏଯାଏଁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି । କୋରୋନା ଭାଇରସ ସଂକ୍ରମଣକୁ 10 ମାସରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ପ୍ରତିଷେଧକ ଟୀକା ଆସିନାହିଁ। ଋଷ ଓ ଆମେରିକା ଟୀକା ଆଣିଥିଲେ ସୁଦ୍ଧା ଏହା କୋରୋନା ଭାଇରସ ଉପରେ 96 ରୁ 98 ପ୍ରତିଶତ ପ୍ରଭାବ ପକାଉଥିବା ଖବର ରହିଛି। ଭାରତରେ ମଧ୍ୟ କୋଭାକ୍ସିନ ଓ କୋଭିସିଲ୍ଡ ନାମରେ ଦୁଇଟି ଟୀକା ବିକଶିତ କରାଯାଉଛି । ତେବେ ଏହା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଦେଶରେ 1 ଲକ୍ଷ 40 ହଜାରରୁ ଅଧିକ ପ୍ରାଣ ହରାଇଥିବା ବେଳେ ଓଡ଼ିଶାରେ 1 ହଜାର 807 ଜଣଙ୍କ ପ୍ରାଣ ନେଲାଣି କୋରୋନା ଭାଇରସ । ନୂତନ ବର୍ଷରେ ଏହି ଭାଇରସର ନିରାକରଣ ହେବ ସେହି ଆଶାରେ ଦେଶବାସୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ