ଡେରାଡୁନ: ମଙ୍ଗଳବାର ବନ୍ଦ ହେବାକୁ ଯାଉଛି ଦେବଭୂମିର ମାଆ ଯମୁନେତ୍ରୀ ମନ୍ଦିର ଦ୍ବାର। ଶୀତ କାରଣରୁ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ମାଆଙ୍କ ମନ୍ଦିର କବାଟର ଦ୍ବାର ବନ୍ଦ କରାଯିବ । ଏନେଇ ସମୟ ଧାର୍ଯ୍ୟ କରାଯାଇଛି । ତେବେ ମାଆଙ୍କର ଶେଷ ଦର୍ଶନ ଦେଖିବା ପାଇଁ ଶହଶ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି।
ଯମୁନେତ୍ରୀ ମନ୍ଦିର ସମିତିର ସଚିବ କୃତେଶ୍ବର ଅନିୟାଲ କହିଛନ୍ତି ଯେ, ମଙ୍ଗଳବାର ଭାଇଦୁଜ ପର୍ବ ପାଳନ କରାଯିବ। ଏହି ଅବସରରେ ଶୀତକାଳୀନ ପ୍ରବାସ ପାଇଁ ଖୁସୀମଠରୁ ଶନିଦେବଙ୍କ ଡୋଲି ମାଆ ଯମୁନାଙ୍କୁ ନେବାପାଇଁ ସକାଳୁ ସକାଳୁ ଯମୁନେତ୍ରୀ ଧାମରେ ପହଞ୍ଚିବ। ଏହାପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ପରେ ଧାର୍ଯ୍ୟ ଶୁଭ ମୁହୂର୍ତ୍ତ 12:25 ମିନିଟ ସମୟରେ ମାଆଙ୍କ ମନ୍ଦିର ଦ୍ବାର ବନ୍ଦ ହେବ।
ଏହାପରେ ପାରମ୍ପାରିକ ବାଦ୍ୟ ଯନ୍ତ୍ର ସହ ଶନିଦେବଙ୍କ ସହ ମାଆ ଯମୁନାଙ୍କ ଡୋଲି ଖୁସୀମଠ ପାଇଁ ବାହାରିବେ। ମଙ୍ଗଳବାର ସଂଧ୍ୟାରେ ଏହି ଡୋଲି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବ। ଯେଉଁଠି ମାଆ ତାଙ୍କର ଶୀତକାଳିନ ପ୍ରବାସ ପାଇଁ ନିର୍ମିତ ହୋଇଥିବା ଯମୁନା ମନ୍ଦିରରେ ବିରାଜମାନ କରିବେ। ଏ ସମୟରେ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ 6 ମାସ ପର୍ଯ୍ୟନ୍ତ ଖୁସୀମଠ ମନ୍ଦିରରେ ମାଆଙ୍କ ଦର୍ଶନ କରିବେ।
ଶୀତକାଳିନ ର 6 ମାସ ପରେ ଅକ୍ଷୟ ତୃତୀୟାର ପବିତ୍ର ତିଥିରେ ଗ୍ରୀଷ୍ମକାଳ ପାଇଁ ଯମୁନେତ୍ରୀ ଧାମର ଦ୍ବାର ପୁଣି ଥରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଦିଆଯିବ । ଏହାପରେ ଶ୍ରଦ୍ଧାଳୁ ମାନେ ପୁଣି 6 ମାସ ପର୍ଯ୍ୟନ୍ତ ଯମୁନେତ୍ରୀ ଧାମରେ ମାଆଙ୍କର ଦର୍ଶନ କରିବେ । ତେବେ ମଙ୍ଗଳବାର ଯମୁନେତ୍ରୀଙ୍କ ସମେତ ବାବା କେଦାରନାଥଙ୍କ ମନ୍ଦିର ଦ୍ବାର ମଧ୍ୟ ବନ୍ଦ କରିଦିଆଯିବ ।