ପାଟନା: ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ନେତା ଉପେନ୍ଦ୍ର କୁଶୱାହଙ୍କ ବିସ୍ଫୋରକ ବୟାନ । 'ଯଦି ନିର୍ବାଚନର ଫଳ ନିରପେକ୍ଷ ନହୁଏ, ତେବେ ହତିଆର ଧରି ଏନଡିଏ ନେତାଙ୍କୁ ହାଣ' ବୋଲି ମନ୍ତବ୍ୟ ଦେଇଛନ୍ତି ଉପେନ୍ଦ୍ର ।
ଗଣମାଧ୍ୟମର ଏକଜିଟ୍ ପୋଲ ପ୍ରକାଶ ପାଇବା ପରେ ପାଟନାରେ ବସିଥିଲା ମହାମେଣ୍ଟର ବୈଠକ । ଏହି ବୈଠକରେ ଆରଏଲଏସପି ନେତା କହିଛନ୍ତି 'ପ୍ରଥମେ ବୁଥ ଲୁଟ ଆଉ ଏବେ ରେଜଲ୍ଟ ଲୁଟ' ର ଚକ୍ରାନ୍ତ ଚଳାଇଛି ଏନଡିଏ । ଯଦି ଫଳାଫଳ ଲୁଟିବାର ଘଟଣା ଆସେ ତେବେ ଇଛା ଅନୁସାରେ ଅସ୍ତ୍ର ଶସ୍ତ୍ର ଉଠାଅ' ।
ଜନତାଙ୍କ ଆକ୍ରୋଶ ସବୁଠାରୁ ଭୟଙ୍କର । ସେ ରାଜରାସ୍ତାରେ ମଧ୍ୟ ମାରିଦେଇ ପାରିବେ । ଏଥିପାଇଁ ଜିଲ୍ଲାପ୍ରଶାସନ ସର୍ତକ ରହିବା ଦରକାର । ଯଦି ଏହା ସତ୍ଯରେ ପରିଣତ ହୁଏ ତେବେ ଏଥିପାଇଁ ବିଜେପିର ପ୍ରମୁଖ ନେତାମାନେ ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି । କୁଶବାହଙ୍କ ବିବାଦୀୟ ବୟାନପରେ ବିହାର ବିଜେପି ସଭାପତି ନିତ୍ୟାନନ୍ଦ ରାୟ କହିଛନ୍ତି ମହାମିଲାବଟ ନେତାଙ୍କର ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ହାରିଯାଉଥିବା ଭୟରେ ଏପରି ମନ୍ତବ୍ୟ ଦେଉଛନ୍ତି ମହାମେଣ୍ଟ ନେତା । ଯାହା ସାମ୍ବିଧାନିକ ଏବଂ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଉଛି ବୋଲି ନିତ୍ଯାନନ୍ଦ କହିଛନ୍ତି ।