ରାଞ୍ଚି: 9 ଅଗଷ୍ଟ । ବିଶ୍ବ ଆଦିବାସୀ ଦିବସ । ଆଦିବାସୀଙ୍କ ପାଇଁ ଦିନଟିଏ । ଆଧୁନିକତା ଛାପ ପଡ଼ିଥିଲେ ମଧ୍ୟ ନିଜର ସଂସ୍କୃତି, ପରମ୍ପରା, ପୋଷାକ ପରିଧାନ ଓ ଜୀବନଶୈଳୀକୁ ନେଇ ଆଦିବାସୀ ମାନେ ବେଶ ସଚେତନ । ଆଧୁନିକତାକୁ ଯଥେଷ୍ଟ ପରିମାଣରେ ଆପଣାଇ ପାରିନଥିଲେ ମଧ୍ୟ ପରିବର୍ତ୍ତନଶୀଳ ସମାଜ ଓ ସମୟ ସହିତ ନିଜକୁ ଖାପ ଖୁଆଇବାକୁ ପ୍ରୟାସ କରିଆସୁଛନ୍ତି ଦେଶର ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଜନଜାତି ।
ସେପଟେ ଏହି ଆଦିବାସୀ ସମ୍ପ୍ରଦାୟ ପାଇଁ ଅନେକ ସମୟରେ ଅନେକ ଆଦିବାସୀ ନେତା ଲଢିଛନ୍ତି । ଏମାନଙ୍କ ହକ, ଅଧିକାର ଓ ମୌଳିକ ସୁବିଧା, ସ୍ବତନ୍ତ୍ର ମାନ୍ୟତା ପାଇଁ ଅନେକ ଜନନେତା ବିଶ୍ବ ଦରବାରରେ ସ୍ବର ଉଠାଇଛନ୍ତି । ତେବେ ଆସନ୍ତୁ ସେମାନଙ୍କ ମଧ୍ୟରୁ କିଛି ଜନନେତାଙ୍କ ବିଷୟରେ ଜାଣିବା ।
କାର୍ତ୍ତିକ ଓରାଂଓ
ଦେଶର ଆଦିବାସୀ ରାଜ୍ୟ ଭାବେ ପରିଚିତ ଝାଡ଼ଖଣ୍ଡ । ତେବେ ରାଜ୍ୟ ରାଜନୀତିର ଜଣେ ସକ୍ରିୟ ନେତା ଭାବେ ପରିଚିତ କାର୍ତ୍ତିକ ଓରାଂଓ । କେବଳ ରାଜ୍ୟ ରାଜନୀତି ନୂହେଁ ଓରାଂଓ କେନ୍ଦ୍ର ରାଜନୀତିରେ ମଧ୍ୟ ବେଶ ପ୍ରଭାବଶାଳୀ ଥିଲେ । କାର୍ତ୍ତିକ ଆରମ୍ଭରୁ ରାଜନୀତିରେ ନଥିଲେ । ଇଞ୍ଜିନିୟରିଂ ପେସାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଓରାଂଓ ଆଦିବାସୀଙ୍କ ପାଇଁ ଲଢେଇ କରିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁଙ୍କ ନିର୍ଦ୍ଦେଶ କ୍ରମେ ସେ ଝାଡଖଣ୍ଡ ରାଜନୀତିରେ ପ୍ରବେଶ କରିଥିଲେ । ସେ କେନ୍ଦ୍ରରେ ମଧ୍ୟ ମନ୍ତ୍ରୀପଦ ଦାୟିତ୍ବ ତୁଲାଇଛନ୍ତି । ଏହା ସହିତ ତାଙ୍କ ପତ୍ନୀ ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ । ଝିଅ ଗୀତାଶ୍ରୀ ଓରାଂଓ ରାଜ୍ୟରେ ଶିକ୍ଷା ମନ୍ତ୍ରୀ ଥିବା ବେଳେ ଜ୍ବାଇଁ ଅରୁଣ ଓରାଂଓ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି ।

ଜୟପାଲ ସିଂ ମୁଣ୍ଡା
ଜୟପାଲ ସିଂ ମୁଣ୍ଡା ଝାଡ଼ଖଣ୍ଡରେ ମରାଙ୍ଗ ଗୋମକେ ନାମରେ ବେଶ ପରିଚିତ ଲାଭ କରିଛନ୍ତି । ଏହା ବ୍ୟତୀତ ଜାତୀୟସ୍ତରର ଜଣେ ଜଣାଶୁଣା ହକି ଖେଳାଳି ଭାବେ ମଧ୍ୟ ସେ ପରିଚିତ ହୋଇଥାନ୍ତି । ଜୟପାଲ 1928ରେ ଆମଷ୍ଟରଡ୍ୟାମରେ ହୋଇଥିବା ଅଲମ୍ପିକରେ ଭାରତୀୟ ହକି ଦଳର ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ସେପଟେ ରାଜନୀତିରେ ଲୋକମାନଙ୍କ ନିକଟରେ ବଳିଷ୍ଠ ନେତୃତ୍ବ ପାଇଁ ମରାଙ୍ଗ ଗୋମକେ ଭାବେ ପରିଚୟ ସୃଷ୍ଟି କରିଥିଲେ । ଆଦିବାସୀ ଭାଷାରେ ମରାଙ୍କ ଗୋମକେର ଅର୍ଥ ମହାନ ନେତା । ତାଙ୍କର ବଳିଷ୍ଠ ନେତୃତ୍ବ ଓ ଲୋକପ୍ରିୟତା ପାଇଁ ଝାଡ଼ଖଣ୍ଡ ତଥା ଛୋଟନାଗପୁର ଅଞ୍ଚଳରେ ଅନେକ ସ୍ଥାନରେ ତାଙ୍କ ନାମରେ ସ୍ମୃତିସ୍ତମ୍ଭ କରାଯାଇଛି ।
ପଦ୍ମଶ୍ରୀ ରାମଦୟାଲ ମୁଣ୍ଡା
ସଂଯୁକ୍ତ ରାଷ୍ଟ୍ର ସଂଘ (ୟୁଏନଓ)ରେ ରାମଦୟାଲ ମୁଣ୍ଡା ପ୍ରଥମ ନେତା ଭାବେ ଆଦିବାସୀଙ୍କ ଅଧିକାରକୁ ନେଇ ଦାବି କରିଥିଲେ । ଏପରିକି ସେ ଆଦିବାସୀଙ୍କ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବିଶ୍ବ ଦରବାରରେ ତାହାର ପ୍ରଚାର ଓ ପ୍ରସାର କରିଥିଲେ । ତେବେ ଏହି ପ୍ରୟାସ ପାଇଁ ଗତ 2010ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହା ବ୍ୟତୀତ ରାମଦୟାଲ ମୁଣ୍ଡା ରାଞ୍ଚି ବିଶ୍ବବିଦ୍ୟାଳୟର କୁଳପତି ପଦରେ ରହିବା ସହିତ ରାଜ୍ୟସଭାର ସଦସ୍ୟ ମଧ୍ୟ ରହିସାରିଛନ୍ତି ।

ଦିଶୋମ ଗୁରୁ ଏବଂ କଡ଼ିଆ ମୁଣ୍ଡାଙ୍କ ଯୋଗଦାନ
ଝାଡ଼ଖଣ୍ଡ ରାଜନୀତିରେ ଶିବୁ ସୋରେନ ଓ କରିଆ ମୁଣ୍ଡାଙ୍କ ସ୍ବତନ୍ତ୍ର ପରିଚୟ ରହିଛି । ବିଶେଷ କରି ଶିବୁ ସୋରନଙ୍କୁ ଦିଶୋମ ଗୁରୁ ଭାବେ ଜଣାଯାଇଥାଏ । ଶିବୁ ସୋରେନ ଦୀର୍ଘ ଦିନ ଧରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ଓ କଡ଼ିଆ ମୁଣ୍ଡା 8 ଥର ଖୁଣ୍ଟିରୁ ଲୋକସଭା ସାଂସଦ ରହି ଆସିଛନ୍ତି । ଏହା ବ୍ୟତୀତ କଡ଼ିଆ ମୁଣ୍ଡା ଲୋକସଭା ଉପବାଚସ୍ପତି ପଦରେ ମଧ୍ୟ ରହିସାରିଛନ୍ତି । କଡ଼ିଆ ମୁଣ୍ଡା ନିଜର କର୍ମକୁ ନେଇ ସବୁବେଳେ ଚର୍ଚ୍ଚିତ ରହିଥାନ୍ତି ।
ଶିବୁ ସୋରେନଙ୍କ ସଂଥାଲ ପ୍ରଗଣା ହେଉଛି କର୍ମକ୍ଷେତ୍ର । ଏଠାରେ ତାଙ୍କ ବଳିଷ୍ଠ ନେତୃତ୍ବ, କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ସ୍ଥାନୀୟ ଲୋକେ ତାଙ୍କୁ ଦିଶୋମ ଗୁରୁ ଉପାଧି ଦେଇଛନ୍ତି । ସୋରେନ ଦୁମକା ସଂସଦୀୟ କ୍ଷେତ୍ରରୁ 8 ଥର ନିର୍ବାଚିତ ହୋଇ ସାଂସଦ ମଧ୍ୟ ରହିସାରିଛନ୍ତି ।

ଝାଡ଼ଖଣ୍ଡର ଆଦିବାସୀ ମୁଖ୍ୟମନ୍ତ୍ରୀ
ଅନେକ ଆଦିବାସୀ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାବୁଲାଲ ମାରାଣ୍ଡି ଓ ମଧୁ କୋଡ଼ାଙ୍କ ନାମ ଆସିଥାଏ । ଅର୍ଜୁନ ମୁଣ୍ଡା କେନ୍ଦ୍ରରେ ମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି । କିଛି ବିବାଦୀୟ ଘଟଣାକୁ ଛାଡ଼ିଦେଲେ ମଧୁ କୋଡା ପ୍ରଥମ ଆଦିବାସୀ ନେତା, ଯିଏକି ମୁଖ୍ୟମନ୍ତ୍ରୀ ପଦ ଦୀର୍ଘ ଦିନ ଧରି ସମ୍ଭାଳିଥିଲେ । ଏହା ସହିତ ସେ ରାଜ୍ୟ ରାଜନୀତିରେ ଦୀର୍ଘ ଦିନ ଧରି ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।

