ଦିନକୁ ଦିନ ଭାରତର ଜମି କିସମ ବଦଳିବା ତଥା ଉର୍ବର ଏବଂ ଜଙ୍ଗଲ ଜମି ସବୁର ଅବକ୍ଷୟ ହେବା ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି । ଏ ଭିତରେ ପାଖାପାଖି ୩୦ ପ୍ରତିଶତ ଜମିର ଏଭଳି ଅବନତି ଘଟିଛି । ଏଥିପାଇଁ ଅନେକ କାରଣ ଦାୟୀ। ସେଥିରେ ରହିଛି ଦ୍ରୁତ ଜଙ୍ଗଲ କାଟ, ଜଙ୍ଗଲ ଜମିକୁ ଚାଷ ଜମିରେ ପରିଣତ କରିବାର ନିରନ୍ତର ଧାରା, ମୃତ୍ତିକା ଅବକ୍ଷୟ, ଆର୍ଦ୍ରଭୂମିକୁ ନଷ୍ଟ କରିବା ପ୍ରଭୃତି । ଏହିଭଳି ଜମି ନଷ୍ଟ ହେବା ଭାରତର ସାମଗ୍ରିକ ଉତ୍ପାଦ ବିକାଶ ଉପରେ ମଧ୍ୟ ପ୍ରଭାବ ପକାଉଛି। କୃଷି ଓ ଜଙ୍ଗଲଜାତ ଉତ୍ପାଦ ହ୍ରାସ ପାଉଛି ଓ ଏହା ପ୍ରତିବର୍ଷ ଜିଡିପି ଉପରେ ୨.୫ ପ୍ରତିଶତ ନକାରାତ୍ମକ ପ୍ରଭାବ ପକାଉଛି।
କେବଳ ସେତିକି ନୁହେଁ, ଏହା ଜଳବାୟୁ ପରିବର୍ତ୍ତନର ଏକ ପ୍ରମୁଖ କାରଣ ବି ସାଜୁଛି। ଅର୍ଥାତ୍ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଜଙ୍ଗଲ ସହ ପାଣିପାଗର ଏକ ନିବିଡ଼ ସମ୍ପର୍କ ରହିଛି। ଏଣୁ ବିଶେଷଜ୍ଞମାନେ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ କାବୁ କରିବା ଲାଗି ଜଙ୍ଗଲ ସୃଷ୍ଟି ପାଇଁ ପରାମର୍ଶ ଦିଅନ୍ତି। କିନ୍ତୁ ଭାରତରେ ସବୁଠାରୁ ଉଦ୍ବେଗର ବିଷୟ ଏହା ଯେ ଦିନକୁ ଦିନ ଆମର ଜଙ୍ଗଲ ପରିମାଣ କମି ଚାଲିଛି।
୨୦୧୮ ବର୍ଷର ଏକ ଆକଳନ ଅନୁସାରେ ବିଗତ ୧୮ ବର୍ଷ ଭିତରେ ଆମ ଦେଶ ୧୬ ଲକ୍ଷ ହେକ୍ଟର ଜଙ୍ଗଲ ହରାଇଛି। ୨୦୧୫ ବର୍ଷର ଏକ ପରିସଂଖ୍ୟାନ କହୁଛି ଯେ, ୫ ବର୍ଷ ପୂର୍ବରୁ ଭାରତ ସରକାର ଦେଶର ବିଭିନ୍ନ ଜଙ୍ଗଲରେ ଥିବା ୧ କୋଟି ଗଛ କାଟି ପଦା କରିବାକୁ ନିର୍ଦେଶ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ଏନ୍ଡିଏ ସରକାରର ପ୍ରଥମ ୪ ବର୍ଷ ଶାସନ ସମୟ ଅର୍ଥାତ୍ ଜୁନ୍ ୨୦୧୪ରୁ ମେ’ ୨୦୧୮ ମଧ୍ୟରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ଼ ଭାରତର ସଂରକ୍ଷିତ ଅଞ୍ଚଳ ଏବଂ ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ୫୦୦ ଶିଳ୍ପାନୁଷ୍ଠାନ ଗଢ଼ି ତୋଳିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଶାସନ କରିଥିବା ୟୁପିଏ ସରକାର ୨୦୦୯ରୁ ୨୦୧୩ ମଧ୍ୟରେ ଏହିପରି ସମ୍ବେଦନଶୀଳ ଅଞ୍ଚଳରେ ୨୬୦ଟି ଶିଳ୍ପ ପ୍ରକଳ୍ପ ଖୋଲିବା ଲାଗି ଅନୁମୋଦନ ଦେଇଥିଲେ।
ଯଦି ପରିସ୍ଥିତି ଏମିତି ହୋଇଚାଲିବ ତେବେ ଆମ ଦେଶରେ ବିଶାଳ ସଂଖ୍ୟା ଧାରଣ କରିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ସମାଜ ଗୁରୁତର ଭାବେ କ୍ଷତି ଶିକାର ହେବ। ଏମାନଙ୍କ ସଂଖ୍ୟା ସମୁଦାୟ ଚାଷୀ ସଂଖ୍ୟାର ପ୍ରାୟ ୮୦ ପ୍ରତିଶତ। ଏମାନଙ୍କ ଉପରେ ଦେଶର କୃଷି ଅର୍ଥନୀତି ନିର୍ଭରଶୀଳ । ପୁଣି ଆମ ଦେଶର କୃଷି ଅର୍ଥନୀତିକୁ ବିଶ୍ଵରେ ଏକ ବୃହତ୍ତମ ଅର୍ଥନୀତି ଭାବେ ଗଣାଯାଏ । ଜାତିସଂଘ ରିପୋର୍ଟ ଅନୁସାରେ, ଦୁଗ୍ଧ, ଡାଲି ଏବଂ ଝୋଟ ଉତ୍ପାଦନରେ ଆମେ ହେଉଛୁ ବିଶ୍ଵର ସର୍ବାଧିକ ଉତ୍ପାଦକାରୀ ରାଷ୍ଟ୍ର। ସେହିପରି ଧାନ, ଗହମ, ଆଖୁ, ବାଦାମ, ପନିପରିବା, କପା ଓ ଫଳମୂଳ ଉତ୍ପାଦନରେ ଆମେ ଦ୍ଵିତୀୟ ସର୍ବବୃହତ ଉତ୍ପାଦନକାରୀ। କିନ୍ତୁ ଜଳବାୟୁ ପରିବର୍ତ୍ତନ ତଥା ମୃତ୍ତିକା ଅବକ୍ଷୟ ହେତୁ ଏହି କୃଷି ଅର୍ଥନୀତି ପ୍ରଭାବିତ ହେବ। ଖାଲି ସେତିକି ନୁହେଁ ଜଳବାୟୁ ପରିବର୍ତ୍ତନ ଏବଂ ମୃତ୍ତିକା ଅବକ୍ଷୟ ଧାରା ଯଦି ଏମିତି ଜାରି ରହିବ ତେବେ, ଆମ ପ୍ରାଣୀ ସମ୍ପଦ ମଧ୍ୟ ପ୍ରଭାବିତ ହେବେ। ଏହା ଆଉ କେହି କହୁନାହାନ୍ତି ବରଂ ଜାତିସଂଘ ଦ୍ଵାରା ଗଠିତ ଅନ୍ତର୍ଜାତୀୟ ସରକାରୀ ପ୍ୟାନେଲ ( ଆଇପିସିସି) ଯେଉଁମାନେ ଦୀର୍ଘ ବର୍ଷ ହେଲା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ଅନୁଧ୍ୟାନ ଓ ଗବେଷଣା କରୁଛନ୍ତି ସେମାନେ ହିଁ ମତ ଦେଇଛନ୍ତି। ଦିଲ୍ଲୀ ଭିତ୍ତିକ ଏକ ବେସରକାରୀ ସଂସ୍ଥା ଦି’ ଏନର୍ଜୀ ଆଣ୍ଡ ରିସୋର୍ସ ଇନ୍ଷ୍ଟିଚ୍ୟୁଟ୍ ( ଟେରୀ) ପକ୍ଷରୁ ପ୍ରକାଶିତ ଗବେଷଣାତ୍ମକ ରିପୋର୍ଟ ଅନୁସାରେ ଜଙ୍ଗଲ ଅବକ୍ଷୟ ଦ୍ଵାରା ପ୍ରତିବର୍ଷ ଭାରତର ସାମଗ୍ରିକ ଉତ୍ପାଦ ୧.୪ ପ୍ରତିଶତ ହାରରେ ପ୍ରଭାବିତ ହେଉଅଛି। ଭାରତ ଭଳି ଅନୁରୂପ ଭାବେ ଜଳବାୟୁ ପରିବର୍ତ୍ତନ ରୂପକ ସାଂଘାତିକ ସମସ୍ୟାକୁ ଭୋଗ କରୁଥିବା ଦେଶଗୁଡ଼ିକ ମଧ୍ୟ ସେମାନଙ୍କ ଉତ୍ପାଦନକ୍ଷମ ମୃତ୍ତିକା ହରାଇବାରେ ଲାଗିଛନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ଅଙ୍ଗାରକାମ୍ଳ ଭଳି ଗ୍ରୀନ୍ହାଉସ୍ ଗ୍ୟାସ୍। ବିଶ୍ଵ ତାପନ ବୃଦ୍ଧିର ଏହା ଏକ ମୁଖ୍ୟ କାରଣ। ଏହି ଗ୍ୟାସର ପ୍ରଭାବରେ ପ୍ରାୟ ୧୦ ଲକ୍ଷ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ଲୋପ ପାଇଗଲେଣି। ଉତ୍ପାଦନ କମିବା ହେତୁ ବିଶ୍ଵରେ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି। ଖଲି ସେତିକି ନୁହେଁ ବାସସ୍ଥଳୀ ହାନୀ ଏବଂ ମୃତ୍ତିକା ଅବକ୍ଷୟ ବି ଏହି ଗ୍ୟାସ୍ ହେତୁ ବଢ଼ି ଚାଲିଛି।
ଭାରତ ସରକାରଙ୍କ ଏବେ ହୃଦ୍ବୋଧ ହୋଇଛି ଯେ, ଆଦିବାସୀ ତଥା ଏହାର ମୂଳ ବାସିନ୍ଦାମାନେ ସ୍ଥାନୀୟ ପରିବେଶର ସୁରକ୍ଷା ବାବଦରେ ଅନେକ ସଚେତନ ଥାଆନ୍ତି ଓ ସ୍ଥାନୀୟ ଜଙ୍ଗଲ ସୁରକ୍ଷା କରିବାରେ ସହାୟକ ହୋଇଥାଆନ୍ତି। ଏଣୁ ସରକାରୀ ନୀତି ପ୍ରସ୍ତୁତି ଓ ପ୍ରଣୟନରେ ସେମାନଙ୍କ ଭାଗିଦାରୀ ପରିବେଶର ସୁରକ୍ଷା କରିବା, ମୃତ୍ତିକା ଅବକ୍ଷୟ ରୋକିବା, ଜଙ୍ଗଲ ସୁରକ୍ଷାରେ ସହାୟକ ହେବ। ପରୋକ୍ଷରେ ଏ ସବୁ ଚେଷ୍ଟା ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ ସବୁକୁ ମଧ୍ୟ ରୋକ୍ ଦେବ। ଏ ପ୍ରସଙ୍ଗରେ ୨୦୦୬ରେ ପାରିତ ହୋଇଥିବା ଜଙ୍ଗଲ ସୁରକ୍ଷା ଆଇନ ବିଶେଷ ସହାୟକ ହେବ। କାରଣ ଏହି ଆଇନ, ଆଦିବାସୀମାନେ ପୁରୁଷ ପୁରୁଷରୁ ବ୍ୟବହାର କରୁଥିବା ଜଙ୍ଗଲ ଜମି ଓ ପ୍ରାକୃତିକ ସମ୍ପଦରେ ତାଙ୍କ ଅଧିକାର, ପରିଚାଳନା ଏବଂ ପ୍ରଶାସନକୁ ଗ୍ରହଣ କରିଛି। କିନ୍ତୁ ସମସ୍ୟା ହେଉଛି ଜଙ୍ଗଲ ଉପରେ ସେମାନଙ୍କ ଅଧିକାରକୁ ପ୍ରଦାନ କରିବାର ପ୍ରକ୍ରିୟା ଅତ୍ୟନ୍ତ ଧୀମା। ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ସରକାର ୨୦୧୯ ଏପ୍ରିଲ୍ ୩୦ ସୁଦ୍ଧା ମାତ୍ର ୧ କୋଟି ୨୯ ଲକ୍ଷ ହେକ୍ଟର ଜମିରେ ମାମଲାକୁ ଶୁଣାଣି କରି ଜଙ୍ଗଲ ଅଧିକାର ଆଇନ ଅନୁସାରେ ଆଦିବାସୀଙ୍କୁ ଅଧିକାର ପ୍ରଦାନ କରିଛି। ଅପରପକ୍ଷେ ଦେଶରେ ୪ କୋଟି ହେକ୍ଟର ଜଙ୍ଗଲ ଜମିରେ ସେଠାର ସ୍ଥାନୀୟ ଆଦିବାସୀ ତଥା ପୁରୁଷାନୁକ୍ରମେ ଜଙ୍ଗଲକୁ ଉପଭୋଗ କରିଆସୁଥିବା ଆଦିବାସୀଙ୍କର ଜଙ୍ଗଲ ପରିଚାଳନା, ଜଙ୍ଗଲ ସୁରକ୍ଷା ଏବଂ ପ୍ରଶାସନ ବାବଦରେ ଅଧିକାର ପ୍ରଦାନ କରାଯିବାକୁ ବାକି ରହିଛି। ଏ ଭିତରେ ଜଙ୍ଗଲ ଜମିରେ ନିଜ ଅଧିକାର ଦାବି କରିଥିବା ୨୦ ଲକ୍ଷ ଆଦିବାସୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ୨୧ ରାଜ୍ୟର ସରକାର ଏହି ଆବେଦନକୁ ପୁଣିଥରେ ସମୀକ୍ଷା କରୁଛନ୍ତି। ଟେରୀ ଆକଳନ ଅନୁସାରେ ଭାରତରେ ଲୁଣିପାଣି ମାଡ଼ି ଆସିବା ଯୋଗୁ ମୃତ୍ତିକା ନଷ୍ଟ ହେବା ତଥା ବୃଷ୍ଟିପାତ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକି ଦୁର୍ବିପାକ ବା କୌଣସି ମଣିଷକୃତ କାର୍ଯ୍ୟକଳାପ ଯୋଗୁ ହେତୁ ମୃତ୍ତିକା ଅବକ୍ଷୟ ଜନିତ କ୍ଷତି ପରିମାଣ ପାଖାପାଖି ୭୨ ହଜାର କୋଟି ଟଙ୍କା । ଏହା ୨୦୧୮-୧୯ରେ ଦେଶର କୃଷି ବଜେଟ୍ ପରିମାଣର ୫୮ ହଜାର କୋଟିରୁ ଯଥେଷ୍ଟ ଆଗରେ।
ଏହା ଭାରତ ପାଇଁ ପାଇଁ ଏକ ଗୁରୁତ୍ଵପୂଣ୍ଣ ପ୍ରସଙ୍ଗ। କାରଣ ଦେଶ ପାଇଁ ଏତେ ବିଶାଳ ଲୋକସଂଖ୍ୟାକୁ ଆବଶ୍ୟକ ଖାଦ୍ୟ ଯୋଗାଇବା ବି ଗୋଟିଏ ପ୍ରଧାନ ଆହ୍ବାନ। ଏ ବିଷୟରେ ଏକ ସମ୍ବେଦନଶୀଳ ତଥ୍ୟ ବି ଉପସ୍ଥାପନ କରାଯାଇପାରେ, ତାହା ହେଲା ଭାରତ ବିଶ୍ଵର ୧୧୯ଟି ରାଷ୍ଟ୍ର ଭିତରେ ୨୦୧୮ ମସିହା ତଥ୍ୟ ଅନୁସାରେ ବିଶ୍ଵ କ୍ଷୁଧା ସୂଚକାଙ୍କ ( ହଙ୍ଗର ଇଣ୍ଡେକ୍ସ)ରେ ୧୦୩ ସ୍ଥାନରେ ସ୍ଥାନ ପାଇଥିଲା। ଏହା ପୂର୍ବବର୍ଷ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ ୧୦୦ରେ ଥିଲା। ଏବେ ଆର୍ଦ୍ରଭୂମି କଥା ଚିନ୍ତା କରିବା। ଭାରତର ସମୁଦାୟ ଆର୍ଦ୍ରଭୂମି ପରିମାଣ ହେଉଛି ୧୫୨, ୬୦୦ ବର୍ଗ କିଲୋମିଟର। ଏହା ଆସାମର ସମୁଦାୟ କ୍ଷେତ୍ରଫଳର ପ୍ରାୟ ଦୁଇଗୁଣା। କିନ୍ତୁ ଗଲା କିଛି ବର୍ଷ ହେଲା ଏହି ଆର୍ଦ୍ରଭୂମି ଅବସ୍ଥା ଅତ୍ୟନ୍ତ ଦୁର୍ବିସହ ହେବାରେ ଲାଗିଛି। ଏହାର ପ୍ରମୁଖ କାରଣଗୁଡ଼ିକ ଭିତରେ ଜଙ୍ଗଲ ନଷ୍ଟ, ଜଳବାୟୁ ପରିବର୍ତ୍ତନ, ଅବରୋଧ ଏବଂ ଡ୍ରେନେଜ୍ ବ୍ୟବସ୍ଥା ପ୍ରଭୃତି ଦାୟୀ। ଯଦି ପରିସଂଖ୍ୟାନ ଅନୁଧ୍ୟାନ କରାଯାଏ ତବେ ପ୍ରତିବର୍ଷ ସମୁଦାୟ ଆର୍ଦ୍ରଭୂମିର ୨ ରୁ ୩% ନଷ୍ଟ ହେଉଥିବା ଜଣାଯାଏ। ଗଲା ତିନି ଦଶନ୍ଧିରେ ଭାରତର ପଶ୍ଚିମାଞ୍ଚଳରେ ଥିବା ଆର୍ଦ୍ରଭୂମି ଜଙ୍ଗଲର ୪୦ ପ୍ରତିଶତ ଅଞ୍ଚଳ ଚାଷ ଭୂମିରେ ପରିଣତ ହୋଇଛି । ଏହି ପ୍ରକାର ଭୂମି ସାଧାରଣତଃ ବିଶ୍ଵ ତାପନର ମୂଳ କାରଣ ଅଙ୍ଗାର ( କାର୍ବନ)କୁ ଶୋଷଣ କରିବାର କ୍ଷମତା ଧାରଣ କରିଥାଏ। ଯେତେବେଳେ ଏହି ପ୍ରକାର ଭୂମିର ପରିବେଷ୍ଟନୀ କମେ ସେତେବେଳେ ବିଶ୍ଵତାପନରେ ଆମେ ପ୍ରଭାବିତ ହେବା ସ୍ଵଭାବିକ। ଆମ ଦେଶ ପକ୍ଷରୁ ଏଯାଏ ଏହି ପ୍ରକାର ଭୂମିର ସଂରକ୍ଷଣ ତଥା ଅବକ୍ଷୟ ରୋକିବା ଲାଗି ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଉପକୂଳବର୍ତ୍ତୀ ଅଞ୍ଚଳ ନିୟମାକ ବିଜ୍ଞପ୍ତି-୨୦୧୮ର କେହଳ ଅନୁପାଳନ ବ୍ୟବସ୍ଥା ଏହି ପ୍ରକାର ଆର୍ଦ୍ରଭୂମିକୁ ନଷ୍ଟ କରିବା ପାଇଁ ଅନେକ ଗଳା ବାଟ ଉନ୍ମୁକ୍ତ କରିଛି। ଫଳରେ ଏହି ଅଞ୍ଚଳରେ ଜନବସତି ସ୍ଥାପନ ପାଇଁ ଅନେକ ନିର୍ମାଣ କାର୍ଯ୍ୟ ହେଉଛି। ଯଦି ଠିକଣା ଭାବେ ଏହି ନିୟମାକକୁ ପାଳନ କରାଯାଆନ୍ତା ତେବେ ଆମେ ନଷ୍ଟ ହେଉଥିବା ଉପକୂଳ ଏବଂ ପରିବେଶକୁ ସୁରକ୍ଷିତ କରିପାରନ୍ତେ। ବିଶ୍ଵତାପନ ଭାରତ ପାଇଁ ଆଉ ଏକ ବିପଜ୍ଜନକ ଆହ୍ବାନ। କାରଣ ଏହାର ୬୯ ପ୍ରତିଶତ ଜମି ଶୁଷ୍କ, ତଥା ଅଳ୍ପ ଆର୍ଦ୍ରଭୂମି ଭାବେ ଗଣାଯାଏ। ଏହି ପ୍ରକାର ଭୂମିରେ ଗଢ଼ି ଉଠିଥିବା ଜୀବ ମଣ୍ଡଳ ଏବଂ ଜନବସତି ସ୍ଵଳ୍ପ ତାପମାତ୍ରା ବୃଦ୍ଧି ହେଲେ ମଧ୍ୟ ଉତ୍କଟ ସମସ୍ୟାର ସମ୍ମୁଖୀନ ହେବ। ଏହି ଅଞ୍ଚଳରେ ପାଣି ସମ୍ୟା ଲାଗି ରହିବା ସହ ମରୁଡ଼ି ଆଶଙ୍କା ଯଥେଷ୍ଟ ରହିଛି। ପୁଣି ୨୦୫୦ ବେଳକୁ ଆକଳନ କରାଯାଉଥିବା ୧.୫ ଡିଗ୍ରୀ ତାପମାତ୍ରା ଅଭିବୃଦ୍ଧି ଏହି ଅଞ୍ଚଳ ପାଇଁ ହାନୀକାରକ ହୋଇପାରେ। ଏବେ ଭାରତର ୬୦ କୋଟି ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ଅଧା ଲୋକ ଜଳ ସମସ୍ୟାରେ ପୀଡ଼ିତ। ଯଦି ବିଶ୍ଵର ଅନ୍ୟ ଦେଶଗୁଡ଼ିକୁ ଲକ୍ଷ୍ୟ କରିବା ତେବେ ବିଶ୍ଵରେ ଭାରତ ଭଳି ଅଧି ବୃଷ୍ଟିପାତ ପାଉଥିବା ଦେଶଭାନଙ୍କ ଭିତରେ ଆମ ଦେଶ ଏହି ଜଳସଙ୍କଟ ଭୋଗିବାରେ ୧୭ତମ ସ୍ଥାନରେ ରହିଛି। ଆଇପିସିସିର ତଥ୍ୟରୁ ଏହା ଜାଣିବାକୁ ମିଳିଛି।
ଦିଲ୍ଲୀ ଘୋଷଣାନାମା: ନିକଟରେ ନୂଆ ଦିଲ୍ଲୀରେ ଜାତିସଂଘ ପକ୍ଷରୁ କନ୍ଫରେନ୍ସ ଅଫ୍ ପାର୍ଟିଜ୍ର ୧୪ତମ ସଂସ୍କରଣ ( ସିଓପି-୧୪) ଅନୁଷ୍ଠିତ ହୋଇଥିଲା। ଏହା ଦୁଇ ପଡ଼ୋଶୀ ଦେଶର ସୀମାନ୍ତ ଅଞ୍ଚଳରେ ଜଙ୍ଗଲ ତଥା ଶାନ୍ତି ବନ ସୃଷ୍ଟି କରାଇ ପତିତ ତଥା ଅଣ ବ୍ୟବହାରିକ ଜମିର ଉତ୍ଥାନ କରାଇବାକୁ ପ୍ରସ୍ତାବ ପାରିତ କରିଛି। ଏହା ଆଗକୁ ଆମେ ଭୋଗିବାକୁ ଥିବା ମରୁଭୂମି ସମସ୍ୟାକୁ ପ୍ରତିହତ କରିବା ଲାଗି ୟୁଏନ୍ କନ୍ଭେନ୍ସନ୍ ଟୁ କମ୍ବାଟ୍ ଡେଜର୍ଟିଫିକେସନ୍ (ୟୁଏନ୍ସିସିଡି)ର ଏକ ନିବେଦନ ଥିଲା। ଏଥିରେ ଆଶା କରାଯାଇଥିଲା ଯେ, ଏହିପରି ବନୀକରଣ ଦ୍ଵାରା ସୀମା ସୁରକ୍ଷା କରୁଥିବା ଦୁଇ ପଡ଼ୋଶୀ ଦେଶ ଭିତରେ ଥିବା ବିବାଦ ହ୍ରାସ ପାଇବା ସହ ବିଶ୍ଵାସ ବୃଦ୍ଧି ହୋଇପାରିବ। ଏଥିରେ ସଦସ୍ୟ ଦେଶମାନେ ମଧ୍ୟ ଅବକ୍ଷୟ ଜମିର ସଂରକ୍ଷଣ ତଥା ପୁନରୁତ୍ଥାନ ଲାଗି ନିଜ ଦେଶର ଆଭ୍ୟନ୍ତରୀଣ ଯୋଜନାରେ ବ୍ୟବସ୍ଥା କରିବାକୁ ସହମତ ପ୍ରକାଶ କରିଛନ୍ତି। ୨୦୩୦ ସୁଦ୍ଧା ଏହିାକୁ ଏକ ଜାତୀୟ ଲକ୍ଷ୍ୟ ଭାବେ
ଗ୍ରହଣ କରି ପୂରଣ ଲାଗି ମଧ୍ୟ ପ୍ରସ୍ତାବ ଗ୍ରହଣ କରିଛନ୍ତି। ସିଓପି-୧୪ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ଵ ଧ୍ୟାନ ଆକର୍ଷଣ କରିବାକୁ ଯାଇ ସଦସ୍ୟ ରାଷ୍ଟ୍ରମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଏକ ସ୍ଵତନ୍ତ୍ର ବୈଷୟିକ ପ୍ରତିଷ୍ଠାନ ଗଠନ ଲାଗି ପ୍ରସ୍ତାବ ରଖିଥିଲେ। ଏହାଦ୍ଵାରା ୟୁନ୍ସିସିଡି ଲକ୍ଷ୍ୟ ପୂରଣ କରିବାକୁ ଯାଇ ଏହି ରାଷ୍ଟ୍ରମାନଙ୍କ ଦକ୍ଷତା ବିକାଶ ହେବ ଏବଂ ମୃତ୍ତିକା ଅବକ୍ଷୟ ରୋକିବା ଦିଗରେ ନିରପେକ୍ଷ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ସଶକ୍ତ ହେବେ ବୋଲି ଆଶା କରାଯାଇଛି। ୨୦୩୦ ବର୍ଷ ସୁଦ୍ଧା ଭାରତ ଏ ଦିଗରେ ଏକ ଗୁରୁତ୍ଵପୂଣ୍ଣ କାର୍ଯ୍ୟ ହାତକୁ ନେବାକୁ ଯାଉଛି। ସମୁଦାୟ ୯୬ କୋଟି ୪୦ ଲକ୍ଷ ହେକ୍ଟର ପତିତ ଜମିରୁ ଅତିକମ୍ରେ ୩୦ କୋଟି ହେକ୍ଟର ଅବକ୍ଷୟ ଘଟିଥିବା ଜମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖିଛି । ଏଥିରେ ୧୦ କୋଟି ହେକ୍ଟର ଲେଖାଏ ପତିତ ଜମି, ଚାଷ ଜମି ଓ ଜଙ୍ଗଲ ଜମି
ଅନ୍ତର୍ଭୁକ୍ତ। (ଲେଖକ, ନିରଜ କୁମାର )