ପ୍ରତିବର୍ଷ ଜୁଲାଇ ୨୨ ତାରିଖରେ ପାଳନ କରାଯାଏ ବିଶ୍ବ ମସ୍ତିଷ୍କ ଦିବସ । ଚଳିତବର୍ଷ ବିଶ୍ବ ମସ୍ତିଷ୍କ ଦିବସ ଅବସରରେ ବିଶ୍ବ ନ୍ୟୁରୋଲୋଜି ମହାସଂଘ–ଡବ୍ଲୁଏଫଏନ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । ମହାସଂଘର ସଭାପତି ପ୍ରଫେସର ଉଇଲିୟମ କାରୋଲ ଘୋଷଣା କରିଛନ୍ତି ଯେ, ପାର୍କିନସନ୍ ରୋଗ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଡବ୍ଲୁଏଫଏନ୍ ଓ ଇଣ୍ଟରନ୍ୟାସନାଲ ପାର୍କିନସନ ଆଣ୍ଡ୍ ମୁଭମେଣ୍ଟ ଡିଜଅର୍ଡର ସୋସାଇଟି ହାତ ମିଳାଇଛନ୍ତି । ପ୍ରଫେସର କାରୋଲଙ୍କ ମତରେ, ସବୁ ବୟସ ବର୍ଗକୁ ମିଶାଇ ବର୍ତମାନ ବିଶ୍ବରେ ପାର୍କିନସନ ରୋଗରେ ପୀଡିତଙ୍କ ସଂଖ୍ୟା ୭ ମିଲିଅନ ହେବ ।
ତେବେ ଏହି ରୋଗ ପରୋକ୍ଷ ଭାବେ ଆହୁରି ଅନେକ ଲୋକଙ୍କୁ ପ୍ରଭାବିତ କରୁଛି । ରୋଗୀର ପରିବାରବର୍ଗ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଥିବାରୁ ସେମାନେ ବି ପାର୍କିନସନ ରୋଗ ଦ୍ବାରା ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି ବୋଲି ଡବ୍ଲୁଏଫଏନ୍ ସଭାପତି କହିଛନ୍ତି । ମାନବ ଶରୀରରେ ମସ୍ତିଷ୍କ ହେଉଛି ସବୁଠାରୁ ଜଟିଳ ଅଙ୍ଗ । ମସ୍ତିଷ୍କରେ ଥିବା ଏକାଧିକ ସ୍ନାୟୁ ମିଳିମିଶି ଆମ ଶରୀରର ସୁପରିଚାଳନାରେ ସାହାଯ୍ୟ କରନ୍ତି ।
ପ୍ରତିବର୍ଷ ଜୁଲାଇ ୨୨ ତାରିଖରେ ବିଶ୍ବ ନ୍ୟୁରୋଲୋଜି ମହାସଂଘ ବା ଡବ୍ଲୁଏଫଏନ ଅନ୍ୟ ସ୍ବାସ୍ଥ୍ୟ ସଂଙ୍ଗଠନଗୁଡିକ ସହ ମିଳିତ ଭାବେ ପାଳନ କରେ ବିଶ୍ବ ମସ୍ତିଷ୍କ ଦିବସ । ପ୍ରତିବର୍ଷ ଏହି ଦିନରେ ଗୋଟିଏ ନିର୍ଦ୍ଦିଷ୍ଟ ନୂଆ ବିଷୟବସ୍ତୁ ଉପରେ ଫୋକସ କରାଯାଇ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ହୁଏ । ଏବର୍ଷ ବିଶ୍ବ ମସ୍ତିଷ୍କ ଦିବସର ଥିମ ହେଉଛି ‘ପାର୍କିନସନ୍ସ ଡିଜିଜ୍’ ।
ପାର୍କିସନ୍ସ୍ ରୋଗ କ’ଣ ?
ଆଲଝେଇମର ରୋଗ ପରେ ପାର୍କିନସନ୍ସ ଡିଜିଜ ବା ରୋଗ ହେଉଛି ଦ୍ବିତୀୟ ସାଧାରଣ ନ୍ୟୁରୋଲୋଜିକାଲ ସ୍ଥିତି । ଏହା ଏକ ନ୍ୟୁରୋ ଡିଜେନେରେଟିଭ ଡିଜଅର୍ଜର ବୋଲି ଦି ପାର୍କିନସନ୍ସ ଫାଉଣ୍ଡେସନ କହେ । ଏହି ରୋଗ ମସ୍ତିଷ୍କରେ ଥିବା ‘ସବଷ୍ଟାନସିଆ ନିଗରା’ ନାମକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଡୋପାମାଇନ ସୃଷ୍ଟି କରୁଥିବା ନ୍ୟୁରୋନକୁ ବିଶେଷ ଭାବେ ପ୍ରଭାବିତ କରେ । ଏହି ରୋଗରେ ପୀଡିତ ବ୍ୟକ୍ତିଠାରେ ପ୍ରାୟତଃ ବର୍ଷ ବର୍ଷ ଧରି ଲକ୍ଷଣ ଦେଖାଯାଇଥାଏ । ତେବେ, ଏହି ରୋଗର କାରଣ ଏବେ ବି ଜଣାପଡିନାହିଁ । ଏଥିପାଇଁ ଦିଆଯାଉଥିବା ଔଷଧ କେବଳ ଲକ୍ଷଣ ହ୍ରାସ କରିବାରେ ହିଁ ସମର୍ଥ ହୁଏ । କିନ୍ତୁ ରୋଗର ସ୍ଥାୟୀ ଚିକିତ୍ସା ଓ ଆରୋଗ୍ୟ ନେଇ ଏବେ ବି ଗବେଷଣା ଚାଲିଛି ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅନ ଏଜିଂ ଅନୁସାରେ ପାର୍କିନସନ୍ସ ରୋଗର କିଛି ଲକ୍ଷଣ ହେଉଛି –
. ହାତ, କାନ୍ଧ, ଗୋଡ ଓ ଥୋବଡାରେ କମ୍ପନ
. ବିଭିନ୍ନ ଅଙ୍ଗ ଓ ଗଣ୍ଡିରେ କଠୋରତା
. ଚଳପ୍ରଚଳରେ ମନ୍ଥରତା
. ସନ୍ତୁଳନ ଓ ସମାନ୍ୟରେ ବିଶୃଙ୍ଖଳା, ଯାହା ଫଳରେ ରୋଗୀ ତଳେ ପଡିଯାଏ
ଏହି ରୋଗର ଆଉ କିଛି ଲକ୍ଷଣ ହେଲା –
. ଅବସାଦ
. ଖାଦ୍ୟ ଚୋବାଇବା ଓ ଗିଳିବାରେ ଅସୁବିଧା
. କଥା କହିବାରେ ସମସ୍ୟା
. ମୂତ୍ରଜଜନିତ ସମସ୍ୟା ଓ କୋଷ୍ଠକାଠିନ୍ୟ
.ଚର୍ମ ସମସ୍ୟା
. ନିଦରେ ବ୍ୟାଘାତ
ରୋଗ ଆଗକୁ ବଢିଲେ, ରୋଗୀର ହାତ, ଗୋଡର ଚଳପ୍ରଚଳତା ସୀମିତ ହୋଇଯାଏ । ସେ ଟିକେ ଆଗକୁ ପଡିଲା ଭଳି ଚାଲେ । ସାଧାରଣତଃ ବୟସ୍କ ଲୋକେ ହିଁ ପାର୍କିନସନ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ ।
କୋଭିଡ-୧୯ ଓ ମସ୍ତିଷ୍କ
ଚଳିତବର୍ଷ ଏକ ମହାମାରୀ କବଳିତ ସ୍ଥିତିରେ ଆମେ ରହିଛେ । କୋରୋନା ଭାଇରସ ଆମ ମସ୍ତିଷ୍କକୁ ପ୍ରଭାବିତ କରେ ବୋଲି ମଧ୍ୟ ଜଣାପଡିଛି । ବିଶ୍ବ ନ୍ୟୁରୋଲୋଜି ମହାସଂଘ ଅନୁସାରେ କୋରୋନା
ଦ୍ବାରା ମସ୍ତିଷ୍କ ଉପରେ 4 ପ୍ରକାର ପ୍ରଭାବ ପଡେ । ଆଉ ସେସବୁର ଲକ୍ଷଣ ହେଲା –
. ସଂଶୟଜନକ ସ୍ଥିତି, ବେଳେବେଳେ ଏହା ମନସ୍ତାତ୍ବିକ ଓ ସ୍ମରଣ ଶକ୍ତିରେ ସମସ୍ୟା ସୃଷ୍ଟି କରେ
. ମସ୍ତିଷ୍କର ପ୍ରଦାହ
. ରକ୍ତ ଜମାଟ (ଯାହା ଫଳରେ ଷ୍ଟ୍ରୋକ୍ ହୁଏ )
. ଶରୀରରେ ସ୍ନାୟୁ କ୍ଷତିଗ୍ରସ୍ତ ହୋଇପାରେ ଯାହା ଦ୍ବାରା କି ଯନ୍ତ୍ରଣା ସୃଷ୍ଟି ହୁଏ
ମସ୍ତିଷ୍କକୁ ସୁସ୍ଥ ରଖନ୍ତୁ..
ଜଣଙ୍କର ବୟସ ବଢିବା ପରେ ମସ୍ତିଷ୍କରେ ବି ବିଭିନ୍ନ ବିଶୃଙ୍ଖଳା ସୃଷ୍ଟି ହୁଏ । ମସ୍ତିଷ୍କକୁ ସୁସ୍ଥ ଓ ସତେଜ ରଖିବା ପାଇଁ କିଛି ଉପାୟ ନିମ୍ନରେ ଦିଆଗଲା ।
. କେବଳ ଶାରୀରିକ ନୁହେଁ. ମାନସିକ ବ୍ୟାୟାମ ବି ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ପଜଲ୍ସ ସମାଧାନ କରନ୍ତୁ । କ୍ରସୱାର୍ଡସ୍ , ସୁଡୋ ଭଳି ଖେଳରେ ସଂପୃକ୍ତ ରହିବା ଦରକାର ।
. ମୁଣ୍ଡରେ ଆଘାତ ଲାଗିଲେ, ତାହା ମସ୍ତିଷ୍କ ପାଇଁ ଗୁରୁତର ସ୍ଥିତି ସୃଷ୍ଟି କରିଥାଏ । ତେଣୁ ମୁଣ୍ଡର ସୁରକ୍ଷା ଜରୁରୀ । ଗାଡି ଚାଳନା ବେଳେ ହେଲମେଟ ନିଶ୍ଚିତ ପିନ୍ଧନ୍ତୁ ।
. ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଯୋଗ, ଧ୍ୟାନ ବି ଜରୁରୀ । ଭଲ ନିଦ ହେବା ବି ଦରକାର ।
. ଧୂମପାନରୁ ବିରତ ରହିବା ଦରକାର । ପୋଷଣ ଯୁକ୍ତ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ମଦ୍ୟପାନରୁ ଦୂରେଇ ରହନ୍ତୁ ।
‘ମନମସ୍ତିଷ୍କ ସୁସ୍ଥ ହେଲେ ହିଁ ଶରୀର ସୁସ୍ଥ ରହିଥାଏ’ । ତେଣୁ ଶାରୀରିକ ଫିଟନେସ ସହ ମାନସିକ ଫିଟନେସ ବି ସମାନ ଗୁରୁତ୍ବପୂର୍ଣ୍ଣ । ସୁସ୍ଥ ଶରୀର ପାଇଁ ସୁସ୍ଥ ମସ୍ତିଷ୍କର ଗୁରୁତ୍ବ ଉପଲବ୍ଧ ପାଇଁ ସଚେତନତା ଅଭିଯାନ ସଫଳ ହେଲେ ମସ୍ତିଷ୍କଜନିତ ରୋଗରୁ ସମସ୍ତେ ସୁରକ୍ଷିତ ରହିପାରିବେ ।