ମେଦବହୁଳତା ଆଉ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିନାହିଁ ।ଏହା ବର୍ତମାନ ବିଶ୍ୱ ସଂକଟରେ ପରିଣତ ହୋଇଛି । ଅନେକ ମେଡିକାଲ ଓ ସ୍ୱାସ୍ଥ୍ୟ ସଂଗଠନ ଏବେ ଏହି ରୋଗ ନିରାକରଣ ପାଇଁ ଲାଗି ପଡିଛନ୍ତି । ମେଦବବହୁଳତା ଡାଇବେଟିସ,ହାଇପରଟେନସନ, ହୃଦଜନିତ ରୋଗ ଓ ଷ୍ଟ୍ରୋକ୍ ଭଳି ରୋଗର କାରଣ ପାଲଟିଥାଏ । ତେଣୁ ଏହାର କ୍ଷତି ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ପାଳନ କରାଯାଏ ମେଦବହୁଳତା ବିରୋଧୀ ଦିବସ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ ଅତ୍ୟଧିକ ଓଜନ ଓ ମେଦବହୁଳତା ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ୨ ଦଶମିକ ୮ ମିଲିଅନ ଲୋକ ପ୍ରାଣ ହରାଇଥାନ୍ତି । ବର୍ତମାନ, ଆମେ ଏକ ମହାମାରୀ ସଂକଟ ଦେଇ ଗତି କରୁଛେ । ମହାମାରୀ ଯୋଗୁଁ ଆମେ ଏକ ସତର୍କତାମୂଳକ ଜୀବନଶୈଳୀ ଅବଲମ୍ବନ କରିଛେ । କୁଆଡେ ନ ଯାଇ ଘରେ ବସି ମୋବାଇଲ ନ ହେଲେ ଟିଭି ଘଂଟା ଘଂଟା ଧରି ଦେଖିବା ସହ ଏଣୁତେଣୁ ଖାଇଚାଲିଛେ । ପରିଣାମସ୍ୱରୂପ ଅଧିକାଂଶ ଲୋକଙ୍କ ଓଜନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି ।
କୋରୋନା ମହାମାରୀ ଯୋଗୁଁ ବାହାରକୁ ବାହାରି ନିୟମିତ ଶାରୀରିକ କାର୍ଯ୍ୟକଳାପ କରିବାକୁ କୁଣ୍ଠା ପ୍ରକାଶ କରିଛନ୍ତି ଲୋକେ । ଘରର ଚାରିକାନ୍ଥ ମଧ୍ୟରେ ସେମାନେ ଆବଦ୍ଧ ରହିଛନ୍ତି । ଲକଡାଉନ ପରେ ଅନେକ ଓଜନ ବଢିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଉଦବେଗର ବିଷୟ ଯେ, ପିଲାମାନଙ୍କ ମଧ୍ୟରେ ଏହି ସ୍ଥିତି ବହୁଳ ଭାବେ ଦେଖାଯାଇଛି ।
ମେଦବହୁଳତାର କାରଣ
. ଜେନେଟିକ୍ସ
. ବଂଶାନୁକ୍ରମିକ
. ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ
. ଅସ୍ୱାସ୍ଥ୍ୟକର ଜୀବନଶୈଳୀ
. ମାନ୍ଦା ବା ନିସ୍ତେଜ ଜୀବନଶୈଳୀ
. ଭାବପ୍ରବଣତା କାରଣ
. ନିଦ୍ରାହୀନତା
. ଔଷଧୀୟ ଚିକିତ୍ସା
. ସ୍ୱାସ୍ଥ୍ୟ ସମସ୍ୟା/ରୋଗ
. ଗର୍ଭାବସ୍ଥା
ମେଦବହୁଳତାର ପ୍ରତିକାର ପାଇଁ ଉପାୟ
୧. ସ୍ୱାସ୍ଥ୍ୟକର ଖାଦ୍ୟପେୟ – ଦେହ ପାଇଁ ହିତକର ହେଉଥିବା ଖାଦ୍ୟ ଖାଇବା ପାଇଁ ଅଭ୍ୟାସ କରନ୍ତୁ । ଚର୍ବିଯୁକ୍ତ , ଶର୍କରା ଓ ଛଣାଛଣି ଖାଦ୍ୟ ଓ ପାନୀୟଠାରୁ ଦୂରରେ ରହନ୍ତୁ । ହଁ କେବେ କେମିତି ଏସବୁ ଖାଦ୍ୟ ଖାଇଲେ କିଛି ଅସୁବିଧା ନାହିଁ । କିନ୍ତୁ ପରିମାଣ ସ୍ୱଳ୍ପ ହେବା ଦରକାର । ଚିପ୍ସ, ବିସ୍କୁଟ, କୁକିଜ ଆଦି ପରିବର୍ତେ ଘର ରନ୍ଧା ଖାଦ୍ୟ ଖାଆନ୍ତୁ ।
୨. ନିୟମିତ ବ୍ୟାୟାମ - ପ୍ରତିଦିନ ୩୦ରୁ ୪୫ ମିନିଟ ବ୍ୟାୟାମ କରିବା ଜରୁରୀ । ବାହାରକୁ ନ ବାହାରିଲେ ମଧ୍ୟ ଘରେ ଆବଶ୍ୟକୀୟ ବ୍ୟାୟାମ କରିପାରିବେ । ଯୋଗ,ଏରୋବିକସ, ସ୍ପଟ ଜମ୍ପିଂ, ସ୍କିପିଂ ଓ ଅନ୍ୟ ଇଣ୍ଡୋର ଶାରୀରିକ କାର୍ଯ୍ୟକଳାପରେ ଆପଣ ନିଜକୁ ବ୍ୟସ୍ତରଖିପାରିବେ ।
୩. ଆବଶ୍ୟକଠାରୁ ଅଧିକ ଖାଆନ୍ତୁ ନାହିଁ – ସମସ୍ତେ ନିଜ ନିଜର ପ୍ରିୟ ବା ପସନ୍ଦଯୋଗ୍ୟ ଖାଦ୍ୟ ଟିକେ ଅଧିକ ଖାଇଦେଇଥାଆନତି । କିନ୍ତୁ ଏହାର ନକାରାତ୍ମକ ସମସ୍ୟା କେହି ଚିନ୍ତା କରନ୍ତି ନାହିଁ । ଏପରି ହେଲେ ଶରୀରର ଓଜନ ବଢିଥାଏ । ନିଜର ଭୋକ ମେଂଟାଇବା ପାଇଁ ଖାଆନ୍ତୁ । କିନ୍ତୁ ଲୋଭରେ ପଡି ଖାଆନ୍ତୁ ନାହିଁ । ସାଧାରଣତଃ ଆମେ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଧିକ ପରିମାଣରେ ଖାଇ ବିପଦକୁ ଡାକି ଆଣିଥାଉ ।
୪. ବିରତି ନିଅନ୍ତୁ - ମାନ୍ଦା ବା ନିସ୍ତେଜ ଜୀବନଶୈଳୀ ମେଦବୃୃଦ୍ଧିର କାରଣ ହୋଇଥାଏ । ସ୍କ୍ରିନ ଆଗରେ ଘଂଟା ଘଂଟା ଧରି ନ ବସି ବାରମ୍ବାର ବ୍ରେକ୍ ନିଅନ୍ତୁ । ଟିକେ ଚାଲନ୍ତୁ ବା ଷ୍ଟ୍ରେଚିଂ କରନ୍ତୁ ।
୫. ଚାପମୁକ୍ତ ରହନ୍ତୁ- ଚାପ ଓ ବ୍ୟଗ୍ରତା ବି ମେଦବୃଦ୍ଧିରେ ସହାକ ହୋଇଥାଏ । ତେଣୁ ଏଥିରୁ ଦୂରେଇ ରହିବା ପାଇଁ ଧ୍ୟାନ କରନ୍ତୁ । ଭଲ ଭାବେ ଶୁଅନ୍ତୁ ଓ ମସ୍ତିଷ୍କକୁ ହାଲୁକା କରନ୍ତୁ । ‘ଇମୋସନାଲ ଇଟିଂ’ରୁ ଦୂରେଇ ରହନ୍ତୁ ।
୬. ତରବର ହୋଇ ଖାଆନ୍ତୁ ନାହିଁ - ଜେଜେ ମାଆବାପା ଆପଣଙ୍କୁ ଗୋଟିଏ ପରାମର୍ଶ ଦେଉଥିବା କଥା ଶୁଣିଥିବେ ।କୌଣସି ଖାଦ୍ୟଜିନିଷ ୩୨ ଥର ଭଲ ଭାବେ ଚୋବାଇ ଖାଇବାକୁ ସେମାନେ ପରାମର୍ଶ ଦେଉଥିଲେ । କାରଣ ଖାଦ୍ୟ ଗିଳିବା ପରିବର୍ତେ ଧୀରେ ସୁସ୍ଥେ ଭଲ ଭାବେ ଚୋବାଇ ଖାଇବା ଉଚିତ । ଦ୍ରୁତ ଗତିରେ ଖାଇଲେ ଅତ୍ୟଧିକ ଖାଇବା ସମସ୍ୟା ସୃଷ୍ଟି ହୁଏ, ଯାହା କି ଓଜନ ବଢାଇଥାଏ ।
୭. ସୁନିଦ୍ରା ଯାଆନ୍ତୁ- ଭଲ ନିଦ ନ ହେଲେ ବି ଓଜନ ବଢିଥାଏ । ନିଦ ନହେଲେ ହରମୋନାଲ୍ ପରିବର୍ତନ ହୋଇଥାଏ, ଯାହା କି ଭୋକ ବଢାଇଥାଏ । ଅଧିକ ଖାଇବାକୁ ଇଚ୍ଛା ହୁଏ । ତେଣୁ ସୁନିଦ୍ରା ଯିବା ଆବଶ୍ୟକ । ପ୍ରାପ୍ତବୟସ୍କଙ୍କ କ୍ଷେତ୍ରରେ ମେଦବହୁଳତା ସେମାନଙ୍କ ଯୌନ ସମସ୍ୟାକୁ ପ୍ରଭାବିତ କରେ । କେବଳ ଶାରୀରିକ ଭାବେ ନୁହେଁ, ମେଦବହୁଳତା ଜଣକର ମାନସିକ ସ୍ଥିତି ଉପରେ ବି ନକାରାତ୍ମକ ପ୍ରଭାବ ପକାଇଥାଏ । ସମାଜରେ ମେଦବହୁଳ ରୋଗୀଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଏ । ଉପହାସ , ପରିହାସ ର ପାତ୍ର ହୋଇଥାଏ । ତେଣୁ ମେଦବହୁଳତା ଦ୍ୱାରା ଚାପ, ଅବସାଦ , ବ୍ୟଗ୍ରତା ଓ ଲଜ୍ଜାବୋଧ ଭଳି ମାନସିକ ଅବସ୍ଥା ସୃଷ୍ଟି ହୁଏ । ତେଣୁ ଖାଦ୍ୟ ଅଭ୍ୟାସ ଓ ଜୀବନଶୈଳୀରେ ସାମାନ୍ୟ ପରିବର୍ତନ କରି ମେଦବହୁଳତାର ପ୍ରତିକାର କରିବା ଆବଶ୍ୟକ । ଆହାରରେ ଅଧିକରୁ ଅଧିକ ଫଳମୂଳ ଓ ପନିପରିବା ଅନ୍ତର୍ଭୁକ୍ତ କରିବା ଦରକାର । ମେଦବହୁଳତା ଏଡାଇବା ପାଇଁ ଦରକାର ସନ୍ତୁଳିତ ଆହାର, ସଠିକ ଜୀବନଶୈଳୀ ଏବଂ ଫିଟନେସ୍ ।