ଅମରାବତୀ: ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀଙ୍କୁ ବାହାର ପଟୁ ତାଲା ପକାଇଦେଲେ ଜଣେ ମହିଳା ଚାଷୀ । ଏପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ମାଛବରମ ତହସିଲ ଅଫିସରେ । ସୂଚନା ଅନୁସାରେ ଏହି ଅଫିସରେ ଡିଟି ଏବଂ ରେଭେନ୍ୟୁ ଅଧିକାରୀ କାର୍ଯ୍ୟରତ ସମୟରେ ଚାଷୀ ମହିଳା ଲକ୍ଷ୍ମୀ ବାହାର ପଟୁ ତାଲା ପକାଇଦେଲେ ।
ମହିଳାଙ୍କ କହିବା ଅନୁସାରେ 2020 ମେ 11 ତାରିଖରୁ ଲକ୍ଷ୍ମୀ ନିଜର ଜମିର ମାପଚୁପ ପାଇଁ ବାରମ୍ବାର ଉକ୍ତ ତହସିଲ ଅଫିସକୁ ଆବେଦନ କରିିଥିଲେ । ସେ ଅନେକ ଥର ଅଫିସକୁ ଯାଇ ଫେରିଆସୁଥିଲେ । ତଥାପି ଅଧିକାରୀମାନେ ମହିଳାଙ୍କ କୌଣସି ଆବେଦନ ରଖୁନଥିଲେ । ଶେଷରେ କେହି ପ୍ରତିକ୍ରିୟା ନଦେଖାଇବାରୁ ମହିଳା କୃଷକ ରାଗି ଯାଇ ତହସିଲ ଅଫିସକୁ ତାଲା ପକାଇଦେଲେ । ଘଟଣାଟି ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପଞ୍ଜୀକରଣ ଅନୁଯାୟୀ ମହିଳାଙ୍କ ଚାଷଜମି କେତେ ପରିମାଣରେ ଅଛି ତାହା ଦର୍ଶାଇ ଭାଗ ମାପ କରିବାକୁ ଦାବି କରିଛନ୍ତି ଉକ୍ତ ମହିଳା । ସେ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଅଫିସ ତାଲା ଖୋଲିବେ ନାହିଁ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ