କୋଲକାତା: ସଂସଦରେ ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ଦେଶବ୍ୟାପୀ ଲାଗୁ ହେବ ବୋଲି କହିଛନ୍ତି । ତାଙ୍କର ଏହି ବୟାନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ନିଷ୍ପତି ଉପରେ ବର୍ଷିଛନ୍ତି । ଏନଆରସି ପଶ୍ଚିମବଙ୍ଗରେ କଦାପି ଲାଗୁ କରିବା ପାଇଁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ।
ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସାମରେ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଲାଗୁ ହୋଇଥିଲା। ଏହାକୁ ନେଇ ଦିଦି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳରେ ଆସାମ ଚୁକ୍ତି ଅନୁଯାୟୀ ଏହାକୁ ଲାଗୁ କରାଯାଇଥିଲା ବୋଲି କହିଛନ୍ତି । ଏହା ସାରା ଦେଶରେ ଲାଗୁ କରିବାକୁ ସେ ଘୋର ବିରୋଧ କରିଛନ୍ତି ।
ବୁଧବାର ମୁର୍ଶିଦାବାଦ ଜିଲ୍ଲାରେ ସାଗରଦିଘୀତରେ ଏକ ଜନସଭାକୁ ସମ୍ଭୋଧିତ କରି ଏନଆରସି ଲାଗୁ କରି କିଛି ମୁଷ୍ଟିମେୟ ଲୋକ ଆଶାନ୍ତିର ବାତାବରଣ ଖେଳାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ଏହାସହ ପଶ୍ଚିମବଙ୍ଗରେ ଏନଆରସିକୁ ଅନୁମତି କଦାପି ଦିଆଯିବ ନାହିଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି ।
ଏନଆରସିକୁ ଧର୍ମ ନାମରେ ଭାଗବଣ୍ଟିବା ଉଦ୍ଦେଶ୍ୟ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ । ‘କେହି ଆପଣଙ୍କ ନାଗରିକତା ଛଡେଇ ନେଇ, ଆପଣମାନଙ୍କୁ ଶରଣାର୍ଥୀ ଭାବରେ ଘୋଷିତ କରି ପାରିବ ନାହିଁ’ ବୋଲି ସମବେତ ଜନତାଙ୍କୁ ଦମ୍ଭୋକ୍ତି ଦେଇଛନ୍ତି ।