ଜେନେଭା: ଚୀନରେ କୋରୋନା ଭାଇରସର ସୃଷ୍ଟି ନେଇ ଅନୁସନ୍ଧାନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ପ୍ରତିନିଧି ଦଳ ଚୀନ ଗସ୍ତ କରିବାକୁ ଚାହୁଁଥିବାବେଳେ ତାଙ୍କୁ ପ୍ରତିବନ୍ଧକ ଲଗାଇଛି ଚୀନ ସରକାର । ଭିସା ଜନିତ ସମସ୍ୟା ଦର୍ଶାଇ ପ୍ରତିନିଧି ଦଳର ଚୀନ ଗସ୍ତକୁ ଅନୁମତି ମିଳିନି ।
2019 ଡିସେମ୍ବରରେ ଚୀନର ଉହ୍ବାନ ସହରରେ ପ୍ରଥମେ କରୋନା ଭାଇରସ ଚିହ୍ନଟ କରାଯାଇଥିଲା । ସହରର ଏକ ମାଂସ ବଜାରରୁ ଏହି ଭାଇରସ ବ୍ୟାପିଥିବା କଥା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଉଚ୍ଚ ସ୍ତରୀୟ ବିଶେଷଜ୍ଞ ଟିମ କୋରୋନା ଭାଇରସର ପ୍ରଥମ ଚିହ୍ନଟ ସ୍ଥଳ ଚୀନର ଉହ୍ବାନ ସହରରେ ତଦନ୍ତ କରିବାକୁ ଦାବି ହୋଇ ଆସୁଥିଲା । ଦୀର୍ଘ ଦିନ ଧରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ ଚୀନ ଗସ୍ତ କରିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଭିସା ଜନିତ କଟକଣା ଦର୍ଶାଇ ଗସ୍ତକୁ ଅନୁମତି ଦେବାରେ ବିଳମ୍ବ କରୁଛି ଚୀନ ପ୍ରଶାସନ ।
ଏହି ପ୍ରସଙ୍ଗରେ ‘ହୁ’ ମୁଖ୍ୟ କହିଛନ୍ତି ଏହି ତଦନ୍ତ ବିଶ୍ବ ପାଇଁ ଏକ ଜରୁରୀ ଅଭିଯାନ । ତେଣୁ ଏହି ପ୍ରସଙ୍ଗରେ ଚୀନ ପ୍ରାଥମିକତା ଆଧାରରେ ସହଯୋଗ କରିବାର ଆବଶ୍ୟକତା ଅଛି । ତେବେ ପ୍ରତିନିଧିଙ୍କ ଗସ୍ତ ସମ୍ପର୍କରେ ସେ ଚୀନ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି । ଭିସା ଜନିତ ସମସ୍ୟାର ସମାଧାନ ହୋଇଗଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଚୀନ ଯାଇ ଉହ୍ବାନରେ ଅନୁସନ୍ଧାନ ଆରମ୍ଭ କରିବା ନେଇ ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ