ଆର ଥର ଆପଣ ଯେତେବେଳେ ଥିଏଟରକୁ ଯିବେ, ହୁଏତ ଆପଣଙ୍କୁ ଏକ ବୈଜ୍ଞାନିକ କାହାଣୀଭିତ୍ତିକ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଲାଗିପାରେ । ଆପଣଙ୍କ ପାଖରେ ଟିକେଟ ନଥିବ, ବଦଳରେ ଆପଣଙ୍କ ଫୋନ୍ରେ କ୍ୟୁଆର୍ କୋଡ୍ ରହିଥିବ, ହାତରେ ଧରାଯାଉଥିବା ମେଟାଲ ଡିଟେକ୍ଟର ବଦଳରେ କବାଟ ଚଉକାଠରେ ମେଟାଲ ଡିଟେକ୍ଟର ଲାଗିଥିବ, ଯାହା କି ବିମାନ ବନ୍ଦରରେ ବ୍ୟବହୃତ ହୁଏ । ସେହିପରି ଅଧିକୃତ ଟିକେଟ ବିକ୍ରେତାଙ୍କ କାଉଣ୍ଟରରେ ଥିବା କମ୍ପ୍ୟୁଟର ସର୍ଭର ଏବଂ ଗ୍ରାହକଙ୍କ ମଝିରେ ଏକ ସ୍ବଚ୍ଛ କଠିନ କାଚ ଲାଗିଥିବ ଏବଂ ପ୍ରେକ୍ଷାଳୟ ଭିତରେ ବିଚ୍ଛୁରିତ ଢଙ୍ଗରେ ବସିବା ବ୍ୟବସ୍ଥା ସହିତ ଉପଯୁକ୍ତ ସାମାଜିକ ଦୂରତା ନିର୍ଦ୍ଧାରଣ ପାଇଁ ସଂକେତ ଦେବାକୁ ଲୋକ ଥିବେ । ଅବଶ୍ୟ ସମସ୍ତଙ୍କୁ ନିଜ ନିଜର ସାନିଟାଇଜର୍ ଏବଂ ଫେସ୍ ମାସ୍କ୍ ନେଇ ଯିବାକୁ ପଡିବ ଏବଂ ଯଦି 3ଡି ସିନେମା ଦେଖୁଥିବେ, ତେବେ ନିଜସ୍ବ 3ଡି ଚଷମା କିଣି ରଖିବାକୁ ପଡିବ ।
ସିନେମା ଦେଖାର ଏଇ ନୂଆ ଜଗତକୁ ସ୍ବାଗତ । ଆଶାବାଦୀ ଆକଳନ ଅନୁସାରେ ଜୁନ୍ 15ରୁ ଜୁଲାଇ 15 ଭିତରେ ଯେ କୌଣସି ସମୟରେ ଏହା ସଂଘଟିତ ହୋଇଯିବା କଥା । ମୁକ୍ତିଲାଭ ଅପେକ୍ଷାରେ ଥିବା ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ରଣବୀର ସିଂହଙ୍କ ଅଭିନୀତ, ରୋହିତ ଶେଟ୍ଟିଙ୍କ 135 କୋଟିର ‘ସୂର୍ଯ୍ୟବଂଶୀ’, କପିଲ ଦେବଙ୍କ ଚରିତ୍ରରେ ରଣବୀର ସିଂହ ଅଭିନୀତ କବୀର ଖାନ୍ଙ୍କ 125 କୋଟିର ‘83’, ସଲ୍ମାନ ଖାନ୍ ଅଭିନୀତ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ ଭଳି ବିଶାଳ ବଜେଟ୍ର ସିନେମା ପାଇଁ ଆଉ ବଲିଉଡ୍ ଅପେକ୍ଷା କରିପାରିବ ନାହିଁ । କେତେକ ସିନେମା ନିର୍ମାତା ଏତେ ଧୈର୍ଯ୍ୟହରା ହୋଇ ପଡିଛନ୍ତି ଯେ ସେମାନେ ସିଧାସଳଖ ଇଣ୍ଟରନେଟ୍ ଷ୍ଟ୍ରିମିଂରେ ବା ‘ଓଭର୍ ଦି ଟପ୍’ ଶୈଳୀରେ ସେମାନଙ୍କ ସିନେମାକୁ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ରହିଛନ୍ତି । ଯାହା ଫଳରେ କି ସାରା ଭାରତରେ 620 ସିନେମା ସ୍କ୍ରିନ୍ର ମାଲିକାନା ରଖିଥିବା ଆଇନକ୍ସ ଲିଜର୍ କମ୍ପାନୀ, ଏ ସପ୍ତାହରେ ଶାଣିତ ଢଙ୍ଗରେ ଏକ ବିବୃତି ଦେଇ କେତେକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ବ୍ୟକ୍ତ କରିଛି ।
ବିଶ୍ବ ସ୍ତରରେ ଇଣ୍ଟରନେଟ୍ ଷ୍ଟ୍ରିମିଂ ଜରିଆରେ ସିନେମା ମୁକ୍ତିଲାଭ କରାଇବାର ପ୍ରଥା ଆରମ୍ଭ କରିଥିବା ‘ଗୁଲାବୋ ସିତାବୋ’ର ପ୍ରଯୋଜକଙ୍କୁ ଜଣେ “ଉତ୍ତମ ସମୟର ବନ୍ଧୁ”ବୋଲି ବର୍ଣ୍ଣନା କରି ଏହି ବିବୃତିରେ “ପ୍ରତିଶୋଧାତ୍ମକ ନ୍ୟାୟ”ର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ମଧ୍ୟ ଅନୁରୂପ ଉଗ୍ର ଭାବରେ ପ୍ରତ୍ୟୁତ୍ତର ଦେଇ ଅର୍ଥ ଲଗାଣରେ ସୁଧହାର ବୃଦ୍ଧି, ବୀମା ସୁବିଧାର ଅଭାବ, ସିନେମା ହଲ୍ ଖୋଲିବା ସମ୍ଭାବନାରେ ଅନିଶ୍ଚିତତା ଏବଂ ଅବ୍ୟବହୃତ କିମ୍ବା ପରିତ୍ୟକ୍ତ ସୁଟିଂ ସେଟ୍ଗୁଡିକରେ ଖର୍ଚ୍ଚ ହୋଇଥିବା ଅର୍ଥ ବୁଡିଯିବା ପ୍ରଭୃତି କାରଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ସାରା ଦେଶରେ ମୋଟ 9,000 ସିନେମା ସ୍କ୍ରିନ୍ ମଧ୍ୟରୁ 850ଟିର ପରିଚାଳନା କରୁଥିବା ପିଭିଆର୍ ସଂସ୍ଥାର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅଜୟ ବିଜ୍ଲି ଏହି ବିବୃତି ଯୁଦ୍ଧରେ ଯୋଗ ଦେବାକୁ ମନା କରିଦେବା ସହିତ, ବଦଳରେ ସିନେମା ହଲ୍ର ଯାଦୁକରୀ ଆକର୍ଷଣ ସଂପର୍କରେ କହିଛନ୍ତି । ସେ କହନ୍ତି, “ଏହା କେବଳ ଏକ ବ୍ୟତିକ୍ରମ, ଏକ ଢାଞ୍ଚାଗତ ପରିବର୍ତ୍ତନ ନୁହେଁ” । ସେ ଆହୁରି କହିଛନ୍ତି ଯେ ପ୍ରଯୋଜକମାନେ ବଡ ପରଦା ସହିତ ଷ୍ଟ୍ରିମିଂ ସେବାର ଅନୁଭୂତି ମଧ୍ୟ ଅର୍ଜନ କରିବାକୁ ଚାହିଁବେ । ସେ ଦର୍ଶାଇଛନ୍ତି ଯେ ସର୍ବୋପରି ସିନେମାର 45 ପ୍ରତିଶତ ରାଜସ୍ବ ଥିଏଟରରୁ ମିଳିଥାଏ ଏବଂ ଅବଶିଷ୍ଟ ଭାଗ ବ୍ରଡ୍କାଷ୍ଟ ଏବଂ ଡିଜିଟାଲ ରାଇଟ୍ସ ମଧ୍ୟରେ ବିଭାଜିତ ହୋଇଥାଏ ।
ତଥାପି ବକ୍ସ ଅଫିସରୁ ସିଂହଭାଗ ରାଜସ୍ବ ମିଳିଥାଏ । କିନ୍ତୁ ବହୁ ଚଳଚ୍ଚିତ୍ର ନିର୍ମାତାଙ୍କ ମତରେ ବଡ ପରଦା ପାଇଁ କ୍ଷୁଦ୍ର ସିନେମା ନିର୍ମାଣ କରିବାର ଯୁଗ ଶେଷ ହୋଇଆସୁଛି । କୋରୋନା ପରବର୍ତ୍ତୀ ବିଶ୍ବରେ ଏକ ବିଭାଜନ ଦୃଷ୍ଟିଗୋଚର ହେବ । ଯେଉଁଥିରେ ଧମାକାରେ ପରିପୂର୍ଣ୍ଣ, ବଡ ସ୍କ୍ରିନ୍ ପାଇଁ ନିର୍ମିତ ବଡ ବଜେଟ୍ର ଭାରତୀୟ ସିନେମା ଏବଂ ସାମଗ୍ରିକ ଭାବେ ଭାରତୀୟ ସିନେମା ଜଗତରେ 10 ପ୍ରତିଶତ ଅକ୍ତିଆର କରୁଥିବା ଡବିଂ କରାଯାଇଥିବା ହଲିଉଡ୍ ସିନେମା ସହିତ କ୍ଷୁଦ୍ର ସିନେମା ଏବଂ ଷ୍ଟ୍ରିମିଂ ପ୍ଲାଟ୍ଫର୍ମରେ ଧାରାବାହିକ ରୂପେ ପ୍ରଦର୍ଶିତ ଦୀର୍ଘ ସିନେମା ସ୍ଥାନ ପାଇବ । ଯେଉଁ ପ୍ରଯୋଜକମାନେ ଉଭୟ ଧାରାରେ କାହାଣୀ ଶୁଣାଇ ପାରିବେ ସେମାନେ ଏଥିରେ ଉଲ୍ଲସିତ ହେବେ ।
ଅନୁ ମେନନଙ୍କ ଦୃଷ୍ଟାନ୍ତ ନିଅନ୍ତୁ । ସେ ଆମାଜନ ପ୍ରାଇମ୍ର ‘ଫୋର୍ ମୋର୍ ସଟ୍ସ’ ଶୀର୍ଷକ ସିନେମାର ପ୍ରଥମ ଭାଗର ନିର୍ଦ୍ଦେଶନା ଦେଇଥିଲେ ଏବଂ ବିଦ୍ୟା ବାଲାନ୍ ଅଭିନୀତ ‘ଶକୁନ୍ତଳା ଦେବୀ’ର ମଧ୍ୟ ନିର୍ଦ୍ଦେଶିକା ଥିଲେ । ବଡ ସ୍କ୍ରିନ୍ ପାଇଁ ନିର୍ମାଣ କରାଯାଇଥିବା ଏହି ସିନେମା ଏବେ ଆମାଜନ୍ ପ୍ରାଇମ୍ରେ ପ୍ରଦର୍ଶିତ ହୋଇଛି (ତା ସହିତ କୀର୍ତ୍ତି ସୁରେଶଙ୍କ ପେଙ୍ଗୁଇନ୍, ଜ୍ୟୋତିକାଙ୍କ ପୋନ୍ମାଗାଲ ବାନ୍ଧାଲ ଏବଂ ଆଦିତି ରାଓ ହାଇଦରିଙ୍କ ସୁଫିୟୁମ୍ ସୁଜାତାୟୁମ୍ ଭଳି ବହୁ ଖ୍ୟାତନାମା ଅଭିନେତ୍ରୀଙ୍କ ଅଭିନୀତ ଆଞ୍ଚଳିକ ସିନେମା ପ୍ରଦର୍ଶିତ ହୋଇଛି ) । “ଧାରାବାହିକ ଏବଂ ସିନେମା, କାହାଣୀ ବର୍ଣ୍ଣନର ଦୁଇଟି ସଂପୂର୍ଣ୍ଣ ଅଲଗା ଛନ୍ଦ । କିନ୍ତୁ ମୁଁ ଜଣେ କାହାଣୀକାର । ମାଧ୍ୟମ ନୁହେଁ, ମୋ କାହାଣୀକୁ ମୁଁ କେତେ ଭଲ ଭାବରେ ଶୁଣାଇ ପାରିବି ତାହା ହିଁ ମୁଁ ଦେଖେ ।” ଏଭଳି କଠିନ ସମୟରେ ତାଙ୍କ ସିନେମା 200 ଦେଶର ସଂଖ୍ୟାବହୁଳ ଦର୍ଶକଙ୍କ ନିକଟରେ ପହଞ୍ଚି ପାରିଥିବାରୁ ସେ ବେଶ୍ ଉତ୍ସାହିତ । ତାଙ୍କ କହିବା ଅନୁସାରେ. “ସମସ୍ତ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରି ଏକ ପରିପୂର୍ଣ୍ଣ ଜୀବନ ବିତାଇବାକୁ ଚାହୁଁଥିବା ଜଣେ ମହିଳାଙ୍କ କାହାଣୀକୁ ନେଇ ଏହି ସିନେମା ହୋଇଛି । ଜଣେ ମାଆ ଓ ଜଣେ ଝିଅ ସଂପର୍କରେ ଏହା ଏକ ସୁନ୍ଦର କାହାଣୀ, ସେଇଭଳି କାହାଣୀ ଯାହାକୁ ଲୋକେ ପରିବାର ସହ ବସି ଦେଖିବାକୁ ଚାହିଁବେ ।”
ଆଉ ଏକ ବଡ଼ ପ୍ରଶ୍ନ ହେଉଛି ସୁଟିଂ କେବେ ଆରମ୍ଭ ହେବ ଏବଂ କେମିତି ? ସିନେମାର କଳାକାର ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟରକ୍ଷା ଏବଂ ସୁରକ୍ଷା ବିଧି ନିଶ୍ଚିତ ରୂପେ ପାଳନ କରାଯିବ । ଏମିତି ଅନେକ ଫିଲ୍ମ ଅଛି, ଯେଉଁଗୁଡ଼ିକର ନିର୍ମାଣ ପ୍ରାୟତଃ ଶେଷ ହେବା ଉପରେ, ଅଧା ତିଆରି ହୋଇଛି କିମ୍ବା ଏଇମାତ୍ର ଆରମ୍ଭ ହେବାକୁ ଯାଉଛି । ଆମୀର ଖାନ୍ ଅଭିନୀତ ‘ଫରେଷ୍ଟ ଗମ୍ପ’ର ରିମେକ୍ ‘ଲାଲ ସିଂହ ଚଢା’ର ନିର୍ଦ୍ଦେଶକ ଅଦ୍ବୈତ ଚନ୍ଦନ କହନ୍ତି ଯେ ତାଙ୍କ କଳାକାରମାନେ ଠିକ୍ ସ୍ଥାନରେ ଅଛନ୍ତି ଏବଂ କାର୍ଗିଲ ଯୁଦ୍ଧ ସେଟ୍ରେ ସୁଟିଂ କାମ ଭଲରେ ଚାଲିଛି । କେବଳ ମୁମ୍ବାଇ ଓ ଦିଲ୍ଲୀରେ ଅଳ୍ପ କିଛି ଦିନର ସୁଟିଂ ବାକି ଅଛି । ଯଦିଓ ବହୁତ ଭିଏଫଏକ୍ସ ବା ଦୃଶ୍ୟାବଳୀରେ ସ୍ବତନ୍ତ୍ର ପ୍ରଭାବ ପ୍ରଦାନ କାମବାକି ରହିଛି, ତଥାପି ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ସିନେମାର ନିର୍ମାଣ ଠିକ୍ ସମୟରେ ସରିଯିବ ବୋଲି ସେ ଆଶା କରନ୍ତି ।
ଗୋଟିଏ କାଶ୍ମୀରି ପରିବାରର ତିନିଟି ପିଢିକୁ ନେଇ ରଚିତ କାହାଣୀ ଉପରେ ନିର୍ମିତ ଦିବାକର ବାନାର୍ଜୀଙ୍କ ନେଟ୍ଫ୍ଲିକ୍ସ ସିନେମାର ଆଉ ଗୋଟିଏ ଦିନ ସୁଟିଂ ବାକି ରହିଛି । ସେହିଭଳି ଯୁବାବସ୍ଥାର ଏକ ପ୍ରେମ କାହାଣୀକୁ ନେଇ ନିର୍ମାଣାଧୀନ ଅନୁରାଗ କାଶ୍ୟପଙ୍କ ସିନେମାର ଆଉ ଚାରି ଦିନ ସୁଟିଂ ବାକି ରହିଛି । ସେମାନେ ସୁଟିଂ ସେଟ୍କୁ ଫେରିବାକୁ ଅପେକ୍ଷା କରିଥିବା ବେଳେ ମୋଗଲ ସାମ୍ରାଜ୍ୟ କାଳର ଐତିହାସିକ କଥାବସ୍ତୁକୁ ନେଇ ନିର୍ମାଣ ଅପେକ୍ଷାରେ ଥିବା କରନ୍ ଜୋହରଙ୍କ 250 କୋଟି ଟଙ୍କାର ବିଶାଳ ସିନେମା ‘ତକ୍ତ’ ପାଇଁ ମୁମ୍ବାଇରେ ଦୁଇଟି ସେଟ୍ ତିଆରି ସରିଛି ।
କିନ୍ତୁ ସାଂପ୍ରତିକ ପରିବେଶରେ ସବୁକିଛି ପରିବର୍ତ୍ତନଶୀଳ ଏବଂ ସିନେମା ଶିଳ୍ପରେ ଅନ୍ୟୂନ ପଚାଶ ଲକ୍ଷ ଲୋକ ପରୋକ୍ଷ ଭାବରେ ନିଯୁକ୍ତି ପାଇଥିଲେ ହେଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କାର୍ଯ୍ୟସୂଚୀରେ ଏହା ସ୍ଥାନ ପାଇନାହିଁ । ଅନେକ ଥିଏଟର ମଲ୍ ଭିତରେ ରହିଥିବାରୁ ସିନେମା ଦେଖିବାକୁ ଯିବା କ୍ଷେତ୍ରରେ ଏଥିରେ ଦ୍ବିତୀୟ ସ୍ତରର ବିପଦ ଆଶଙ୍କା ଯୋଡି ହୋଇ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଖ୍ରୀଷ୍ଟୋଫର ନୋଲାନ ଆଶା କରନ୍ତି ଯେ ଜୁଲାଇ 17ରେ ତାଙ୍କର ବହୁ ପ୍ରତୀକ୍ଷିତ ସିନେମା ‘ଟେନେଟ୍’ ସାରା ଦେଶରେ ମୁକ୍ତିଲାଭ କଲେ ବହୁ ଦର୍ଶକ ଥିଏଟରକୁ ଆସିବେ । ହେଲେ ସେଠାକାର ସିନେମା ଶିଳ୍ପ ଭିନ୍ନ ଧାରାରେ କାମ କରେ । ଆମେରିକାର ଚାରିଟି ବୃହତ୍ ଷ୍ଟୁଡିଓ ଏବଂ ସିନେମା ପ୍ରଦର୍ଶନକାରୀ ଶୃଙ୍ଖଳ ରହିଛି । ସେଠାରେ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଲାଗି କେବଳ କେତେକ ଫୋନ୍ କଲ୍ ଦରକାର ହୁଏ । କିନ୍ତୁ ଭାରତରେ ପ୍ରଯୋଜକମାନେ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି ଏବଂ ସିନେମାର ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ । ଆମେରିକାରେ ବର୍ଷକୁ 200 ସିନେମା ନିର୍ମାଣ କରାଯାଉଥିବା ବେଳେ ଭାରତରେ ଏହା ବର୍ଷକୁ 1,000 ଏବଂ 1,200 ଭିତରେ ରହେ ।
କିନ୍ତୁ ତାହାର ଅର୍ଥ ହେଉଛି ଯେ ଭାରତରେ ସିନେମା ଦେଖିବାକୁ ଆଗ୍ରହ ମଧ୍ୟ ବହୁ ଅଧିକ । କେବଳ ଏକ ଭୂତାଣୁ କ’ଣ ଏହାକୁ ନଷ୍ଟ କରିଦେଇପାରିବ ?
କାବେରୀ ବାମଜାଇ