ନୂଆଦିଲ୍ଲୀ: ଦେଶରେ ନାଗରିକତା ସଂଶୋଧନ ଆଇନ୍(ସିଏଏ) ବିରୋଧରେ ଚାଲିଥିବା ପ୍ରଦର୍ଶନ କିଛିଟା କମିଥିବା ବେଳେ ଦିଲ୍ଲୀ ଶାହିନ୍ବାଗରେ ଏହା ଜାରି ରହିଛି। ସେଠାରେ ମହିଳାଙ୍କ ବିରୋଧ ରାଜନେତାଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛି। ଏହି ପ୍ରଦର୍ଶନକୁ ନେଇ ବିରୋଧି ଏବଂ ଶାସକ ଦଳ ନେତାଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି। ଏହି କ୍ରମରେ ଶାହିନ୍ବାଗର ପ୍ରଦର୍ଶନକାରୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ତଥା ମେଦୀନପୁର ସାଂସଦ ଦିଲ୍ଲୀପ ଘୋଷ।
ଶାହିନ୍ବାଗ ପ୍ରଦର୍ଶନକାରୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ‘ବିମୁଦ୍ରାକରଣ ସମୟରେ ଏଟିଏମରେ ଧାଡି ବାନ୍ଧିବା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ହେଲେ ବର୍ତ୍ତମାନ ଦିଲ୍ଲୀର ଭୀଷଣ ଥଣ୍ଡାରେ ମହିଳା ଏବଂ ଶିଶୁ ଖୋଲା ଆକାଶ ତଳେ ପ୍ରଦର୍ଶନ କରୁଛନ୍ତି । ତଥାପି ସେମାନେ ଅସୁସ୍ଥ ହେଉନାହାଁନ୍ତି କି ପ୍ରାଣ ହରାଉନାହାଁନ୍ତି। ସେମାନେ କେଉଁ ଅମୃତ ପାନ କରିଛନ୍ତି ବୋଲି ପଶ୍ଚିମବଙ୍ଗ ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି।
ଦକ୍ଷିଣ ଦିଲ୍ଲୀର ଶାହିନ୍ବାଗରେ ସିଏଏ ବିରୋଧରେ ଶହ ଶହ ମହିଳା ଖୋଲା ଆକାଶ ତଳେ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରଦର୍ଶନ ପ୍ରାୟ ମାସେରୁ ଊର୍ଦ୍ଧ୍ବ ସମୟ ହେବ ଜାରି ରହିଛି।
(@ANI)