ଭୋପାଳ: ବିଦ୍ୟାଳୟ, ଯେଉଁଠି କାନ୍ଥବାଡ ମଧ୍ୟ ଶିକ୍ଷାର ବାର୍ତ୍ତା ପ୍ରଦାନ କରିଥାଏ । ଖାତା, ବହି ଓ ଶିକ୍ଷକଙ୍କ ଶିକ୍ଷାଦାନ ବ୍ୟତୀତ ସ୍କୁଲର କାନ୍ଥ ମଧ୍ୟ ଅନେକ ଶିକ୍ଷା ଦେଇଥାଏ । କାନ୍ଥରେ ବିଭିନ୍ନ ମହାପୁରୁଷଙ୍କ ବାର୍ତ୍ତା, ସେମାନଙ୍କର ଚିତ୍ର ଓ ସର୍ବଶିକ୍ଷା ଅଭିଯାନର ବିଭିନ୍ନ ପ୍ରକାର ଜନହିତକର ବାର୍ତ୍ତା ଲେଖାଯାଇଥାଏ । ମାତ୍ର ମଧ୍ୟ ପ୍ରଦେଶରେ ଏପରି ଏକ ସ୍କୁଲ ରହିଛି ଯେଉଁଠି ଏହି ସ୍ଲୋଗାନ ପରିବର୍ତ୍ତେ ବିଭିନ୍ନ ପ୍ରକାର ବିପଦରୁ ବର୍ତ୍ତିବା ପାଇଁ ସ୍ଲୋଗାନ ସବୁ ଲେଖାଯାଇଛି ।
ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଯୋଜନା ଗୁଡ଼ିକର ସଫଳତା ଡେଙ୍ଗୁରା ପିଟୁଥିବା ବେଳେ ଗ୍ବାଲିୟରର ସରକାରୀ ହରି ଦର୍ଶନ ବିଦ୍ୟାଳୟ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଓଲଟା । କାରଣ ଏହି ବିଦ୍ୟାଳୟ କେତେବେଳେ ଭୁଶୁଡ଼ି ପଡ଼ିବ ତାହା କହିବା ମୁସ୍କିଲ। ଫଳରେ ଏହି ସ୍କୁଲର କାନ୍ଥରେ ବିଭିନ୍ନ ମହାପୁରୁଷଙ୍କ ବାଣୀ ପରିବର୍ତ୍ତେ ସତର୍କ ସୂଚନା ଲେଖାଯାଇଛି ।
ଅଧିକ ପଢନ୍ତୁ: ମଦମୁକ୍ତି ପାଇଁ ବିଜେପି ନେତାଙ୍କ ଲବଣ ସତ୍ୟାଗ୍ରହ
ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ବିଦ୍ୟାଳୟ ଘରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଉପର ମହଲାକୁ ଯିବା ପାଇଁ ସବୁ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି । ତେବେ ଲଗାଣ ବର୍ଷା ହେଲେ ଏହି ସ୍କୁଲ ଗୃହଟି ଭୁଶୁଡ଼ି ଯିବାର ସମ୍ଭାବନା ଅଧିକ ରହିଛି । ସେହିଭଳି ଭାବରେ ସ୍କୁଲରେ ପଢୁଥିବା ପିଲାଙ୍କ କହିବା ମୁତାବକ ଆମେ ଯେବେ ଶ୍ରେଣୀଗୃହରେ ବସିଥାଉ ସେତେବେଳେ ଭଗବାନଙ୍କୁ ସ୍ମରଣ କରିଥାଉ । କାରଣ ସେହି ସମୟରେ କୌଣସି ପ୍ରକାର ବଡ଼ ଧରଣର ଅଘଟଣ ନ ଘଟୁ।
ସେପଟେ ଏନେଇ ସ୍ଥାନୀୟ ସାଂସଦ ବିବେକ ନାରାୟଣଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିବେକଙ୍କ କହିବା ମୁତାବକ ଗଣମାଧ୍ୟମ ଦ୍ବାରା ଆମକୁ ତାହାର ସୂଚନା ମିଳିଛି । ଉକ୍ତ ସ୍କୁଲର ମରାମତି ଦାୟିତ୍ବକୁ ପ୍ରାଥମିକତା ପର୍ଯ୍ୟାୟରେ କରାଯିବ ବୋଲି ସେ କହିଥିଲେ।ସେହିପରି ଡିପିସି ସଞ୍ଜିବ ଶର୍ମାଙ୍କ କହିବା ମୁତାବକ ଶିକ୍ଷା ଜିଲ୍ଲାରେ ଦୁର୍ବଳ ସ୍କୁଲ ଗୃହକୁ ଚିହ୍ନଟ କରି ସେ ସମ୍ପର୍କରେ ସ୍କୁଲ ପ୍ରବନ୍ଧକଙ୍କୁ ସୂଚନା ଦିଆଯାଇଛି । ଖୁବ ଶୀଘ୍ର ସେଗୁଡ଼ିକର କାର୍ଯ୍ୟ ଆରମ୍ଭ କରାଯିବ ।