ପୋର୍ଟ ବ୍ଲେୟାର: ଆଜିଠାରୁ ସପ୍ତାହ ପର୍ଯ୍ୟନ୍ତ ଲକଡାଉନରେ ରହିବ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାର ହଠାତ୍ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ଆଜିଠାରୁ ଏକ ସପ୍ତାହ ପାଇଁ ବାହ୍ୟ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ଚେତନ ବି ସାଙ୍ଘୀ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ଏବଂ ପରେ ସମସ୍ତ ତିନୋଟି ଜିଲ୍ଲା କର୍ତ୍ତୃପକ୍ଷ ଲକଡାଉନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ପେଟ୍ରୋଲ ପମ୍ପ ସହିତ ତେଜରାତି ଦୋକାନ, ମେଡିକାଲ ଷ୍ଟୋର, ପନିପରିବା, ମାଛ ଏବଂ ମାଂସ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ସହ ବ୍ୟାଙ୍କ ଏବଂ ଏଟିଏମ୍ ଖୋଲା ରହିବ। ନିକୋବର ଜିଲ୍ଲାରେ କୌଣସି ଦୋକାନ ଖୋଲିବା ପୂର୍ବରୁ ସଂପୃକ୍ତ ସହକାରୀ କମିଶନରଙ୍କ ଅନୁମତି ନିଆଯିବା ଆବଶ୍ୟକ । ଅତ୍ୟାବଶ୍ୟକ ସେବା ଯୋଗାଇବା ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସମସ୍ତ ଧାର୍ମିକ ସ୍ଥାନ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରଖାଯିବ । ମୁଖ୍ୟ ଅଞ୍ଚଳରୁ ଆସୁଥିବା ଯାତ୍ରୀମାନଙ୍କୁ ପରୀକ୍ଷା କରାଯିବ ଏବଂ ସେମାନଙ୍କୁ ସାତ ଦିନ ପାଇଁ ଅନୁଷ୍ଠାନିକ କ୍ବାରେଣ୍ଟାଇନରେ ଯିବାକୁ ପଡିବ । ସେହିପରି ଅନ୍ୟ ସମସ୍ତ ଯାତ୍ରୀ 14 ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବେ । ଆଦିବାସୀ ଅଞ୍ଚଳକୁ ଯାଉଥିବା ଯାତ୍ରୀମାନେ RT-PCR ପରୀକ୍ଷା ଦେବେ । ଆଣ୍ଡାମାନ ମୁଖ୍ୟ ରାସ୍ତାରେ ଯାଉଥିବା ଡ୍ରାଇଭରମାନଙ୍କୁ COVID-19 ପାଇଁ ନକାରାତ୍ମକ ପରୀକ୍ଷା କରିବା ପରେ ହିଁ ଯିବାକୁ ଅନୁମତି ଦିଆଯିବ ।
ଗତକାଲି ଦ୍ୱୀପପୁଞ୍ଜରେ 135 ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି । ଆଜି ପର୍ଯ୍ୟନ୍ତ, 1,625 ମାମଲା ରିପୋର୍ଟ ହୋଇଥିବା ବେଳେ 709 ଜଣ ସୁସ୍ଥ ହୋଇଛନ୍ତି ଏବଂ 896 ଟି ମାମଲା ସକ୍ରିୟ ଅଛି। କୋରୋନାରେ ଏପର୍ଯ୍ୟନ୍ତ କୋଡିଏ ଜଣଙ୍କର ମୃତ୍ୟୁ ହୋଇଛି ।