ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଚାନ୍ଦୌଲିର ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଦୁନିଆର ସମସ୍ତ ଚାପ ସତ୍ତ୍ବେ ନାଗରିକତା ସଂଶୋଧନ ଆଇନ ଉପରେ ଅଟଳ ରହିଥିବା କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋଦି ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତରେ ରହିଛନ୍ତି । ବାରାଣାସୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ମୋଦି ଚାନ୍ଦୌଲିରେ ପହଞ୍ଚିଥିଲେ । ଏଠାରେ ସେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 63 ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।
CAA ଉପରେ ଆମେ ଅଟଳ
ମୋଦି ଚାନ୍ଦୌଲିରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଜମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେଉ କି ନାଗରିକତା ସଂଶୋଧନ ଆଇନ, ଏ ସମସ୍ତ ନିଷ୍ପତ୍ତିକୁ ଦେଶ ଦୀର୍ଘ ବର୍ଷରୁ ଅପେକ୍ଷା କରି ରହିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ''ଯେଉଁ ନିଷ୍ପତ୍ତିକୁ ଆଗରୁ ପଛକୁ କରିଦିଆଯାଉଥିଲା ମହାଦେବଙ୍କ ଆଶୀର୍ବାଦରୁ ଦେଶ ଆଜି ସର୍ବପ୍ରଥମେ ସେହି ନିଷ୍ପତ୍ତି ନେଉଛି । ସାରା ଦୁନିଆର ଚାପ ସତ୍ତ୍ବେ ଆମେ ଏହି ନିଷ୍ପତ୍ତି ଉପରେ ଅଟଳ ଅଛୁ ଆଉ ରହିବୁ ମଧ୍ୟ । ଦେଶ ପାଇଁ କାମ ସର୍ବଦା ଜାରି ରହିବା ନେଇ ଜନସଧାରଣଙ୍କୁ ବିଶ୍ବାସ ଦେବାକୁ ପଡିବ ବୋଲି ମୋଦି ନିଜ ସମ୍ବୋଧନରେ କହିଛନ୍ତି ।
ମୋଦି ଦିନିକିଆ ବାରାଣାସୀ ଗସ୍ତରେ ଅଛନ୍ତି । ସେ ନିଜ ସଂସଦୀୟ କ୍ଷେତ୍ରରେ 1254 କୋଟି ବ୍ୟୟରେ ନିର୍ମିତ 50ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ