ଥିରୁଅନନ୍ତପୁରମ: ପ୍ରେମ ନିରାକାର ଓ ନିରନ୍ତର । ପ୍ରେମ କରିବାର ବା ପ୍ରକାଶ କରିବାର କୌଣସି ବୟସ ନଥାଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ତ୍ରିସୁର, କେରଳର ଏହି ବୃଦ୍ଧ ଦମ୍ପତ୍ତି ସାଇଦୁ ଓ ସୁଭଦ୍ରା । ବିବାହର 30 ବର୍ଷ ପରେ ଚାକିରୀ ସନ୍ଧାନରେ ଘର ଛାଡି ଉତ୍ତର ଭାରତ ଚାଲିଯାଇଥିଲେ ସ୍ବାମୀ । ଆଉ ତା’ପରେ ସ୍ବାମୀଙ୍କ ବିନା ସୁଭଦ୍ରା କାଟିଥିଲେ 36 ବର୍ଷ । ହେଲେ 36 ବର୍ଷ ପରେ ହୋଇଥିଲା କିଛି ଏପରି ଯାହା ସମସ୍ତଙ୍କ ହୃଦୟ କିଣି ନେଇଥିଲା ।
ସାଇଦୁଙ୍କ ସହ ସୁଭଦ୍ରାଙ୍କର ଏଥିଲା ଦ୍ବିତୀୟ ବିବାହ । ପ୍ରଥମ ବିବାହ ପରେ ସୁଭଦ୍ରାଙ୍କ ଔରସରୁ ଜନ୍ମ ନେଇଥିଲେ 2 ସନ୍ତାନ । ଏହାପରେ ସୁଭଦ୍ରାଙ୍କୁ ଏକା କରି ଚିରନିଦ୍ରାରେ ଶୋଇଯାଇଥିଲେ ସ୍ବାମୀ । ଏହି ସମୟରେ ଘର ପାଖରେ ରହୁଥିବା ଜଣେ ମୁସଲିମ ଯୁବକ, ସାଇଦୁଙ୍କୁ ମନ ଦେଇ ବସିଥିଲେ ସୁଭଦ୍ରା । ଆଉ ଏହି ପ୍ରେମ ପରେ ବିବାହରେ ପରିଣତ ହୋଇଥିଲା । ହେଲେ ବିବାହର 30 ବର୍ଷ ପରେ ଚାକିରୀ ସନ୍ଧାନରେ ଘରୁ ଦୂରକୁ ଚାଲିଯାଇଥିଲେ ସାଇଦୁ ।
ଏପରି ସ୍ଥିତିରେ ସୁଭଦ୍ରାଙ୍କ ସାହାରା ପାଲଟିଥିଲେ 2 ସନ୍ତାନ । ହେଲେ କିଛି ଦିନ ତଳେ ସେମାନେ ବି ମା’ ସୁଭଦ୍ରାଙ୍କୁ ଏକା କରି ଆରପାରିକୁ ଚାଲିଯାଇଥିଲେ । ସ୍ବାମୀ ଓ ପିଲାଙ୍କ ବିନା ଦୁଃଖୀ ସୁଭଦ୍ରା ମନ୍ଦିରରେ ଭିକ ମାଗି ପେଟ ପୋଷିବା ଆରମ୍ଭ କରିଥିଲେ । କିନ୍ତୁ ସୁଭଦ୍ରାଙ୍କ ପାଇଁ ବିଧିର ବିଧାନ ଥିଲା କିଛି ଅଲଗା । ମନ୍ଦିରରେ ଦେହ ଖରାପ ହେବାରୁ ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ସହ ‘ଭେଲିଚାମ’ ବୃଦ୍ଧାଶ୍ରମରେ ପହଞ୍ଚାଇଥିଲା ।
ପରେ ସୁଭଦ୍ରାଙ୍କ କାହାଣୀ ଶୁଣି ସାଇଦୁଙ୍କୁ ଖୋଜିବା ଆରମ୍ଭ କରିଥିଲେ ପୋଲିସ ଓ ବୃଦ୍ଧାଶ୍ରମ ଅଧିକାରୀ । ଆଉ ସତରେ ଯେମିତି ଏହି ଜାଗାରେ ହିଁ ଲେଖାଥିଲା ଉଭୟଙ୍କ ମିଳନ । ପୋଲିସଠାରୁ ଖବର ପାଇ ବୃଦ୍ଧାଶ୍ରମରେ ପହଞ୍ଚିଥିଲେ ସାଇଦୁ । ଉଭୟଙ୍କ ଦେଖାକୁ 36 ବର୍ଷ ବିତିଥିଲେ ବି ସାଇଦୁଙ୍କୁ ଗୋଟିଏ ଝଲକରେ ଦେଖି ଚିହ୍ନିଯାଇଥିଲେ ସୁଭଦ୍ରା ।
ଦୁହେଁ ଦୁହିଁଙ୍କ ହାତ ଧରି ସତେ ଯେମିତି ଏତ ବର୍ଷର ଦୁଃଖ ବଖାଣି ଚାଲିଥିଲେ । ଏ ଦୃଶ୍ୟ ଦେଖି ଯେକେହିବି ପ୍ରେମ ଉପରେ ଭରସା କରିବା ଆରମ୍ଭ କରିଦେବ । ତେବେ ଏହା ପରେ ସାରା ଜୀବନ ଏକାଠି ସେହି ବୃଦ୍ଧାଶ୍ରମରେ ଉଭୟେ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ବୃଦ୍ଧାଶ୍ରମ ଅଧିକାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ