କେରଳ: ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ମନ୍ଦିରରେ ପ୍ରବେଶ ପାଇଁ ଭୂମାତା ବ୍ରିଗେଡର ସଂସ୍ଥାପକ ତଥା ସାମାଜିକ କର୍ମୀ ତୃପ୍ତି ଦେଶାଇ କେରଳରେ ପହଞ୍ଚିଥିବା ସୂଚନା । ତୃପ୍ତି ମଙ୍ଗଳବାର ସକାଳୁ କୋଚି ବିମାନ ବନ୍ଦରରେ ପହଞ୍ଚିଛନ୍ତି ।
ମନ୍ଦିରରେ ପ୍ରବେଶ ପୂର୍ବରୁ ପୁଣି ଥରେ ହିଂସା ଦେଖିବାକୁ ମିଳିଥିବା ବେଳେ ମହିଳାମାନେ ବିରୋଧର ସାମ୍ନା କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ମନ୍ଦିରକୁ ପ୍ରଥମେ ପ୍ରବେଶ କରିଥିବା ବିନ୍ଦୁ ଅମିନଙ୍କ ମୁହଁକୁ ଲଙ୍କା ମାଡ ହୋଇଥିବା ଅଭିଯୋଗ ହୋଇଛି ।
ଦେଶାଇଙ୍କ ସହ ଅନ୍ୟ ପାଞ୍ଚ ଜଣ ମହିଳା ମନ୍ଦିର ଯିବା ନେଇ ଜଣା ପଡିଛି । ମନ୍ଦିରରେ ପ୍ରବେଶ ପାଇଁ ପୁଲିସଠାରୁ ସୁରକ୍ଷା ମାଗିବେ ବୋଲି ମହିଳାମାନେ କହିଛନ୍ତି । ସାବରୀମାଳା ମନ୍ଦିରରେ ଦୁଇ ମାସର ପର୍ବ ଗତ ସପ୍ତାହରେ ଔପଚାରିକ ଭାବେ ଆରମ୍ଭ ହୋଇଛି । ଅୟପ୍ପାଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଲମ୍ବା ଧାଡି ଲାଗିଛି ।