ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ନେତା ତଥା ବଜରଙ୍ଗ ଦଳର ସଂସ୍ଥାପକ ବିନୟ କଟିୟାର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, କୃଷକ ଆନ୍ଦୋଳନ କଂଗ୍ରେସ ଫଣ୍ଡିଂରେ ଚାଲିଛି । ଚାଷୀ ମାନେ ବର୍ଷ ତମାମ ଆନ୍ଦୋଳନ କଲେ ମଧ୍ୟ କୃଷି ବିଲ ଫେରସ୍ତ ହେବ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ଏହାସହ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । କଂଗ୍ରେସର ଇସାରାରେ କ୍ୟାପଟେନ ଅମରିନ୍ଦର ସିଂ ଆନ୍ଦୋଳନକାରୀଙ୍କୁ ସବୁ ପ୍ରକାର ସୁବିଧା ଉପଲବ୍ଧ କରାଉଛନ୍ତି । ଏସବୁ କଂଗ୍ରେସର ଚକ୍ରାନ୍ତ ବୋଲି ବିନୟ କଟିୟାର କହିଛନ୍ତି ।
ସେ ଆହୁରି କହିଛନ୍ତି, କୃଷକଙ୍କୁ ତାଙ୍କ ମୂଳ ଖର୍ଚ୍ଚର ଦେଢ ଗୁଣା ଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏଥିପାଇଁ ସେ ପ୍ରୟାସ ମଧ୍ୟ କରୁଛନ୍ତି । ଧାନର ସମ୍ପୂର୍ଣ୍ଣ ମୂଲ୍ୟ ହୁଏତ ମିଳି ନଥିବ ହେଲେ ଅଧାଅଧି ମିଳୁଥିବା କଥା ସେ କହିଛନ୍ତି । ଦିନକୁ ଦିନ ଯେପରି ମଞ୍ଜି ଏବଂ ଖତର ଦାମ ବଢୁଛି ସେଥିରେ କୃଷକ ମାନଙ୍କର ମୂଳ ଖର୍ଚ୍ଚର ଦାମ ମଧ୍ୟ ମିଳିବା ଦରକାର । ଠିକ୍ ସେତିକିବେଳେ କୃଷି ବିଲ ଫେରସ୍ତ ନେବାକୁ କହୁଛନ୍ତି । ତେଣୁ ଦେଖିବା ବାକି ରହିଲା କୃଷକ ଏବଂ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା କେବେ ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ